ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଘୋଟାଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ନିମ୍ନ ଅଦାଲତରେ ଜାମିନ ଆବେଦନ ଦାଖଲ କରିଛନ୍ତି । ଏହା ପୂର୍ବରୁ ଜାମିନ ପାଇଁ ସେ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଶୀର୍ଷ ଅଦାଲତ ତାଙ୍କ ଆବେଦନ ଖାରଜ କରି ହାଇକୋର୍ଟ ଯିବାକୁ କହିଥିଲେ । ସୂଚନାଯୋଗ୍ୟ, ଆସନ୍ତାକାଲି ସିସୋଦିଆଙ୍କ ସିବିଆଇ ରିମାଣ୍ଡ୍ ଶେଷ ହେବ । ଶନିବା ଅପରାହ୍ଣ ୨ଟା ବେଳେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ ।
ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ସିବିଆଇ ଫେବୃଆରୀ ୨୬ ତାରିଖରେ ତାଙ୍କୁ ଗିରଫ କରିଥିଲା । ପରଦିନ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇ ଦେଇଥିଲେ । ସିସୋଦିଆଙ୍କ ଗିରଫ ପରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଗ୍ଭି ମଙ୍ଗଳବାର ସକାଳେ ତୁରନ୍ତ ଶୁଣାଣି ପାଇଁ କୋର୍ଟରେ ଆବେଦନ କରିଥିଲେ, ଯାହା କୋର୍ଟ ସ୍ୱୀକାର କରିଥିଲେ ।
ଫେବୃଆରୀ ୨୮ ତାରିଖ ସନ୍ଧ୍ୟା ୪ଟା ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ୍ ନିରସିହ୍ମାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଜାମିନ ଆବେଦନ ଖାରଜ କରିବା ସହିତ ହାଇକୋର୍ଟ ଯିବାକୁ କହିଥିଲେ । ଖଣ୍ଡପୀଠ କହିଥିଲେ ଆମେ ଏକ ଭୁଲ ପରମ୍ପରାକୁ ପ୍ରୋତ୍ସାହନ ଦେବାକୁ ଚାହୁଁନାହୁଁ । ଅନ୍ୟପକ୍ଷରେ ଗିରଫ ହେବା ପରେ ସିସୋଦିଆଙ୍କ ସମେତ ପୂର୍ବରୁ ଜେଲ୍ରେ ଥିବା ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।