ସିଙ୍ଗାପୁର: ଚଳିତ ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତର ତାରକା ମହିଳା ଖେଳାଳି ପିଭି ସିନ୍ଧୁ ତାଙ୍କ ବିଜୟ ଧାରା ଜାରି ରଖିଛନ୍ତି । ଶନିବାର ସେ ସେମିଫାଇନାଲ୍ ମୁକାବିଲାରେ ଜାପାନର ଅଣସିଡେଡ୍ ଖେଳାଳି ସାଏନା କାୱାକାମିଙ୍କୁ ମାତ୍ର ୩୧ ମିନିଟ୍ ମଧ୍ୟରେ ପରାସ୍ତ କରି ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ପୂର୍ବରୁ କାୱାକାମିଙ୍କୁ ୨ ଥର ପରାସ୍ତ କରିଥିବା ସିନ୍ଧୁ ଏଠାରେ ୨୧-୧୫, ୨୧-୭ରେ ବିଜୟୀ ହୋଇ ତାଙ୍କ ବିପକ୍ଷରେ ଅପରାଜେୟ ଧାରା କାଏମ ରଖିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚ୍ରେ ସିନ୍ଧୁ ପ୍ରଭାବ ବିସ୍ତାର କରି ଖେଳିବା କାୱାକାମି ମ୍ୟାଚ୍କୁ ଫେରିବାର ସୁଯୋଗ ହିଁ ପାଇ ନ ଥିଲେ ।
ସିନ୍ଧୁ ତାଙ୍କ ଅଭିଜ୍ଞତାର ଭରପୂର ଉପଯୋଗ କରି ୨୪ ବର୍ଷୀୟ ପ୍ରତିଦ୍ୱନ୍ଦ୍ୱୀ କାୱାକାମିଙ୍କୁ ମାତ୍ ଦେଇଥିଲେ । ସିନ୍ଧୁଙ୍କ ଶଟ୍ଗୁଡ଼ିକର କାୱାକାମିଙ୍କ ପାଖରେ କୌଣସି ଜବାବ ନ ଥିଲା । ଏହି ପ୍ରତିଯୋଗିତାରେ ପୂର୍ବରୁ ସାଇନା ନେହ୍ୱାଲ୍ ଓ ଏଚ୍ଏସ୍ ପ୍ରଣୟ ପରାସ୍ତ ହୋଇଥିବାରୁ ଭାରତର ଅଭିଯାନ କେବଳ ସିନ୍ଧୁଙ୍କ ମାଧ୍ୟମରେ କାଏମ ରହିଛି । ଗତ ଥୋମାସ୍ କପ୍ରେ ଭାରତ ଐତିହାସିକ ସ୍ୱର୍ଣ୍ଣପଦକ ଜିତିବା ପରେ ଆସନ୍ତା ଜୁଲାଇ ୨୮ରୁ ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସମାନ ପ୍ରଦର୍ଶନ ଆଶା କରାଯାଉଛି । ସିନ୍ଧୁଙ୍କ ଉପରେ ଭାରତର ପ୍ରଦର୍ଶନ ମୁଖ୍ୟତଃ ନିର୍ଭରଶୀଳ ଥିବାରୁ ଚଳିତ ସିଙ୍ଗାପୁର ଓପନ୍ରେ ସେ ଚାମ୍ପିଅନ୍ ହେବା ଆଶା ରହିଛି ।