ନୂଆଦିଲ୍ଲୀ : ସିଦ୍ଧୁ ମୁସେଓ୍ଵାଲାଙ୍କ ନୂଆ ଗୀତ ‘ଓ୍ଵାର୍’ ଗୁରୁପର୍ବ ଅବସରରେ ରିଲିଜ୍ କରି ଦିଆଯାଇଛି। ଗୁରୁପର୍ବ ଅବସରରେ ରିଲିଜ୍ ହୋଇଥିବା ମୁସେଓ୍ଵାଲାଙ୍କ ଏହି ଗୀତରେ ଶିଖ୍ ବୀରତାର କାହାଣୀକୁ ଦର୍ଶାଯାଇଛି। ମୁସେଓ୍ଵାଲାଙ୍କ ହତ୍ୟା ପରେ ରିଲିଜ୍ ହୋଇଥିବା ଏହା ତାଙ୍କର ଦ୍ୱିତୀୟ ଗୀତ। ଏହି ଗୀତକୁ ସିଦ୍ଧୁ ମୁସେଓ୍ଵାଲାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ୍ କରାଯାଇଛି। ରିଲିଜ୍ ହେବା କ୍ଷଣି ଗୀତକୁ ମାତ୍ର ୨ ଘଣ୍ଟାରେ ୨୨ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଛି। ଗୀତରେ ଶିଖ୍ମାନଙ୍କ ବୀରତା ଓ ବଳିଦାନକୁ ଦେଖାଯାଇଛି ଏବଂ ସେମାନଙ୍କ ତୁଳନା ସିଂହମାନଙ୍କ ସହିତ କରାଯାଇଛି। ସିଦ୍ଧୁ ମୁସେଓ୍ଵାଲାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ‘ଓ୍ଵାର୍’ ଗୀତର ଏକ କ୍ଲିପ୍ ମଧ୍ୟ ସେୟାର କରାଯାଇଛି। ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ତାଙ୍କର ପ୍ରଥମ ଗୀତ ‘ଏସ୍ଓ୍ଵାଇଏଲ୍’ ଜାରି କରାଯାଇଥିଲା। ଏହାକୁ ପାଖାପାଖି ଦୁଇ ଦିନରେ ୟୁଟ୍ୟୁବ୍ରେ ୨୫ ମିଲିୟନ ଭ୍ୟୁ ମିଳିଥିଲା। ଏହି ଗୀତ ପରେ ବିଲ୍ବୋର୍ଡ ରେକର୍ଡ ତାଲିକାରେ ଜାଗା ବନାଇଥିଲା। ଯଦିଓ ଭାରତ ସରକାରଙ୍କ ଦ୍ୱାରା ଆଇନଗତ ପ୍ରସଙ୍ଗ ପରେ ଗୀତକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଥିଲା। କହି ରଖୁଛୁ, ସିଦ୍ଧୁ ମୁସେଓ୍ଵାଲାଙ୍କୁ ଚଳିତ ବର୍ଷ ମେ’ ୨୯ରେ ତାଙ୍କ ଗାଁ ମାନସାରେ ହତ୍ୟା କରାଯାଇଥିଲା।