କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ମଙ୍ଗଳବାର ଗୃହକାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତି ବିମାନ ବାନାର୍ଜୀଙ୍କ ପ୍ରତି ଶୁଭେନ୍ଦୁ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଆଲୋଚନା ଚାଲିଥିବାବେଳେ ବିଜେପି ବିଧାୟକ ଶଙ୍କର ଘୋଷ ଏକ ବୈଧାନିକ ପ୍ରଶ୍ନ ଉଠାଇଥିଲେ ।
ବିଜେପିରୁ ଟିଏମ୍ସି (ତୃଣମୂଳ କଂଗ୍ରେସ)କୁ ଲମ୍ଫପ୍ରଦାନ କରିଥିବା ବିଧାୟକଙ୍କ ବିଧାୟକ ପଦ କାହିଁକି ରଦ୍ଦ କରାଯାଇନାହିଁ ବୋଲି ଶଙ୍କର ପ୍ରଶ୍ନ କରିଥିଲେ । ତେବେ ଗୃହ ରେକର୍ଡରୁ ଏହି ମନ୍ତବ୍ୟ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେବାପରେ ଶୁଭେନ୍ଦୁଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେବାସହିତ କକ୍ଷତ୍ୟାଗ କରିଥିଲେ । ଶୁଭେନ୍ଦୁଙ୍କ ନିଲମ୍ବନ ଦାବିରେ ଟିଏମ୍ସି ବିଧାୟକ ତାପସ ରାୟଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବକୁ ବାଚସ୍ପତି ଅନୁମୋଦନ କରିଥିବା ପ୍ରକାଶ ।