ୱାଶିଂଟନ: ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଯୁଦ୍ଧବିରତି ଆଉ ଦୁଇଦିନ ବୃଦ୍ଧି ପାଇବା ମଧ୍ୟରେ ଇସ୍ରାଏଲ୍ ଉପରେ ବାଇଡେନ୍ ପ୍ରଶାସନ ଚାପ ସୃଷ୍ଟି କରିଛି । ଆମେରିକା ପ୍ରଶାସନ ଇସ୍ରାଏଲ୍କୁ କହିଛି, ଯଦି ହାମାସ୍ ବିପକ୍ଷରେ ତାଜା ଅଭିଯାନ ଚଳାଏ, ତେବେ ଦକ୍ଷିଣ ଗାଜାରେ ପାଲେଷ୍ଟାଇନ୍ ନାଗରିଙ୍କ ବିସ୍ଥାପନରୁ ବର୍ତ୍ତିବା ନିମନ୍ତେ କାମ କରିବା ଆବଶ୍ୟକ । ଆମେରିଗ୍ଦା ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଏବଂ ବିସ୍ଥାପନରୁ ବର୍ତ୍ତିବାକୁ ଚାହୁଁଛି ।
ଉଲ୍ଲେଖଯୋଗ୍ୟ ଉତ୍ତର ଗାଜାରେ ଇସ୍ରାଏଲ୍ ଅଭିଯାନ ବେଳେ ବହୁ ପରିମାଣରେ ଧନଜୀବନ ନଷ୍ଟ ହୋଇଥିଲା । ରିପୋର୍ଟ ଅନୁସାରେ ଆମେରିକୀୟ ଅଧିକାରୀମାନେ ଦକ୍ଷିଣ ଗାଜାରେ ଆରମ୍ଭ ହେବାକୁ ଥିବା ଅଭିଯାନକୁ ନେଇ ଇସ୍ରାଏଲ୍କୁ ସତର୍କ କରାଇଛନ୍ତି । ଉତ୍ତର ଗାଜାରେ ଯେପରି ହୋଇଛି ଦକ୍ଷିଣ ଗାଜାରେ ସେପରି ନହେବା ଉଚିତ ବୋଲି ଅଧିକାରୀମାନେ ଇସ୍ରାଏଲ୍କୁ କହିଛନ୍ତି । ଏଥିପାଇଁ ଇସ୍ରାଏଲ୍ ଏଠାରେ ଅଧିକ ଯୋଜନାବଦ୍ଧ ଭାବେ କାମ କରୁ ବୋଲି ଆମେରିକା ଚାହେଁ । ପାଲେଷ୍ଟାଇନ୍ରେ ମୃତକଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଅନ୍ତର୍ଜାତୀୟ ଓ ଘରୋଇ ଚାପ ଦୃଷ୍ଟିରୁ ଆମେରିକା ଏପରି ପଦକ୍ଷେପ ନେଇଛି । ଜଣେ ଅଧିକାରୀ କହିଛନ୍ତି, ବାଇଡେନ୍ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ପରେ ଇସ୍ରାଏଲ୍ ଏହାକୁ ସ୍ୱୀକାର କରିଛି ।
ଯୁଦ୍ଧବିରତିର ପ୍ରାରମ୍ଭିକ ଚାରିଦିନରେ ୫୧ ଇସ୍ରାଏଲୀ ଏବଂ ୧୯ ବିଦେଶୀ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି । ଏହା ବଦଳରେ ୧୫୦ ପାଲେଷ୍ଟାଇନ୍ ନାଗରିକଙ୍କ ଇସ୍ରାଏଲ୍ ଜେଲ୍ରୁ ମୁକ୍ତି ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୁକ୍ତି ପାଇଥିବା ପାଲେଷ୍ଟାଇନ୍ କଏଦୀମାନଙ୍କ ମଧ୍ୟରେ ଅଧିକାଂଶ କିଶୋର ହୋଇଥିବା ବେଳେ ସେମାନେ ଇସ୍ରାଏଲ୍ ସେନା ସହ ମୁହାଁମୁହିଁ ବେଳେ ପଥର ଓ ଫାୟାର୍ବମ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଇତିମଧ୍ୟରେ ପ୍ରତି ଅତିରିକ୍ତ ୧୦ ପଣବନ୍ଦୀଙ୍କ ମୁକ୍ତି ପାଇଁ ଯୁଦ୍ଧବିରତି ଗୋଟିଏ ଦିନ ବୃଦ୍ଧି କରାଯିବ ବୋଲି ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି ।
ତେବେ ବର୍ତ୍ତମାନର ଚୁକ୍ତି ଅନୁୟାୟୀ ଆଉ କୌଣସି ବନ୍ଧକଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ହେବା ପରେ ହାମାସକୁ ଧ୍ୱଂସ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ସହିତ ଯୁଦ୍ଧ ଆରମ୍ଭ କରିବାକୁ ଇସ୍ରାଏଲ ବାରମ୍ବାର ପ୍ରତିଜ୍ଞା କରିଛି । ଇତିମଧ୍ୟରେ ଯୁଦ୍ଧ ବିରତି ଶେଷ ହେବାପରେ ପୁଣିଥରେ ମିଲିଟାରୀ ଅପରେସନ୍ ଆରମ୍ଭ କରିବେ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୁଦ୍ଧ ବିରତି ହାମାସ୍ ଦ୍ୱାରା ପଣବନ୍ଦୀଙ୍କୁ ମୁକ୍ତି ପାଇଁ କରାଯାଇଛି । ଦୁଇ ପକ୍ଷ ଯୁଦ୍ଧ ବିରତିକୁ ଆଉ ଦୁଇଦିନ ବୃଦ୍ଧି କରିବା ସହିତ ପଣବନ୍ଦୀ ଓ କଏଦୀଙ୍କ ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି । ତେବେ ଏହି ଯୁଦ୍ଧବିରତି ଯେତେ ପର୍ଯ୍ୟନ୍ତ ସମ୍ଭବ ଚାରୀ ରହୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚାହାନ୍ତି । ଯୁଦ୍ଧବିରତି ବୃଦ୍ଧି କରିବା ଏବଂ ଅଧିକ ପଣବନ୍ଦୀ ମୁକ୍ତ କରିବା ନିମନ୍ତେ ଏକ ଉପାୟ ଖୋଜିବା ନିମନ୍ତେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍ ଚଳିତ ସପ୍ତାହ ମଧ୍ୟପ୍ରାଚ୍ୟ ଗସ୍ତରେ ଆସିବେ ।