ରାୟପୁର: ସାରନାଥ ଏକ୍ସପ୍ରେସରେ ଫୁଟିଲା ଗୁଳି । ଏଥିରେ ଜଣେ ଆରପିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡର ରାଜଧାନୀ ରାୟପୁରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆରପିଏସଏଫ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆହତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି । ଆଜି ସକାଳ ୬ଟାରେ ସମୟରେ ଏହି ଘଟଣା ଘଟିଥିଲା । ସାରନାଥ ଏକ୍ସପ୍ରେସରେ ଉସଲାପୁରରୁ ରାୟପୁର ପର୍ୟ୍ୟନ୍ତ ଆରପିଏସଏଫ କର୍ମଚାରୀମାନେ ଯାଞ୍ଚ କରୁଥିଲେ । ଯେତେବେଳେ ଟ୍ରେନ ରାୟପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ପହଞ୍ଚିଲା, ଏହି ସମୟରେ ଆରପିଏସଏଫ କନଷ୍ଟେବଳ ଦୀନେଶ ଚନ୍ଦ୍ର ଟ୍ରେନର କୋଚ ନମ୍ବର ଝ / ୦୨ରୁ ଓହ୍ଲାଇଥିଲେ । ଏତିକି ବେଳେ ତାଙ୍କ ବନ୍ଧୁକରୁ ହଠାତ୍ ଭୁଲବଶତଃ ଗୁଳି ଫୁଟିଥିଲା । ଏହି ଗୁଳି ଦୀନେଶ ଚନ୍ଦ୍ରଙ୍କ ଛାତିରେ ବାଜିବା ସହ କୋଚରେ ଶୋଇଥିବା ଜଣେ ଯାତ୍ରୀଙ୍କ ଦେହରେ ବାଜିଥିଲା । ଏହାପରେ ଟ୍ରେନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାଦେଖି ଅନ୍ୟ ଯାତ୍ରୀମାନେ ଜୀବନ ବିକଳରେ ଟ୍ରେନରୁ ବାହାରକୁ ପଳାଇ ଆସିଥିଲେ । ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆରପିଏଫ କର୍ମଚାରୀମାନେ ପହଞ୍ଚି ଆହତ ଦୀନେଶ ଏବଂ ଯାତ୍ରୀଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଆରପିଏସଏଫ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏବେ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।