ସାପଛୁଆ…….
ମାନସୀ ଦେଖୁଥିଲା ପାଚେରୀ ଆରପଟେ , ପଡିଶା ଘର ହତା ଭିତରେ ଖେଳୁଥିବା ଦୁଇ ଛୁଆଙ୍କୁ।ଦୁଇ ଭାଇ ସେମାନେ।
ବୟସ ବେଶୀ ନୁହେଁ ଦୁଇ ଭାଇଙ୍କର :ବଡ଼ ପିଲାଟିର ବୟସ ଦଶ ବର୍ଷ ଓ ସାନ ପିଲାଟିର ବୟସ ସାତ ବର୍ଷ ବୋଲି ଖବରକାଗଜ ଓ ଟିଭିରୁ ଜାଣିଥିଲା।ଗତ କାଲି ସନ୍ଧ୍ୟା ବେଳଠୁ ଦୁହେଁ ଆସିଛନ୍ତି।
ପଡିଶା ଘରଟିକୁ ମାସେ ହେଲା ଭଡାରେ ନେଇ,ସମାଜସେବୀ ତଥା ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ, ମିସେସ କବିତା ସ୍ବାଇଁ କରିଥିବା ଏନ ଜି ଓ “ସହାୟ”କୁ।
ସେଥିପାଇଁ ମାନସୀର ଚିନ୍ତା।ମଦ ପିଇବାକୁ ଟଙ୍କା ପାଇଁ,ଏଇ ଦୁଇ ପିଲାଙ୍କ ପନ୍ଦର ବର୍ଷୀୟ ବଡ଼ଭାଇ କାଠ ଫାଳିଆରେ ବାଡେଇ ନିଜ ମା କୁ ମାରିଦେଇ ଏବେ ଜେଲରେ।ପିଲାଙ୍କ ବାପା କାଳେ ଏଗାର ବର୍ଷ ହେଲାଣି କୌଣସି ଅପରାଧରେ ସଢୁଛି ଜେଲରେ।ପୁରା ଫ୍ୟାମିଲି ହିଁ ଅପରାଧୀ।
କାଲି ରାତିରେ ସେ କଥା ଭାବି ଭାବି ଶୋଇ ପାରିନି ମାନସୀ।କେମିତି ନିଦ ଆସିବ ? ଘର ପାଖରେ ଖୁନୀ ଆସାମୀଙ୍କ ପିଲା ରହିଲେ କାହାକୁ ନିଦ ହେବ ?
ସ୍ବାମୀ ଅବିନାଶଙ୍କ ସହ ସେ କାଲି ଝଗଡା
କରି କହିଥିଲା,
– ଯେମିତି ହେଉ,ଏ ଛୁଆଙ୍କୁ ଏଠୁ ବାହାର କରିବାକୁ ପଡିବ।ମିସେସ ସ୍ବାଇଁ କଣ ଆଇଏସ ଅଫିସରଙ୍କ ସ୍ତ୍ରୀ ହେଲେ ବୋଲି ଯାହା ଇଛା ତା କରିବେ ?ଆମ ପିଲା ଉପରେ ଖରାପ ପ୍ରଭାଵ ପଡିବ। ”
– କିନ୍ତୁ କାହିଁକି ? ଅସହାୟ ପିଲା ଦୁଇଟାଙ୍କ ଯତ୍ନନେଇ ସେମାନଙ୍କୁ ଭଲ ମଣିଷ କରିବାକୁ ମିସେସ ସ୍ବାଇଁ ନିଜ ଏନଜିଓ କୁ ଆଣିଛନ୍ତି।”
– ଏତେ ବାତ୍ସଲ୍ୟ ପ୍ରେମ ଯଦି ଉଛୁଳୁଛି ତେବେ ନିଜ ଘରେ ଏଇ ଦୁଇ ଛୁଆଙ୍କୁ ରଖୁ ନାହାନ୍ତି ମିସେସ ସ୍ବାଇଁ ?ତମ ସାଙ୍ଗ ପରା ଏଠିକା ଏସ ପି।ତାଙ୍କୁ କହି ଏ ଛୁଆଙ୍କୁ ସରକାରୀ ହଷ୍ଟେଲ,କିମ୍ବା ଅନାଥାଶ୍ରମ ନହେଲେ ଆଉ କେଉଁଠିକୁ ପଠାଅ।କାଲି ମୁଁ ଆମ ଲେଡିଜ ଆସୋସିଏସନ ମିଟିଂ ରେ ଏକଥା ପକାଇବି।ପୋଲିସ କମିଶନରଙ୍କୁ ଭେଟିବୁ ଆମେ।ହତ୍ୟାକାରୀର ପୁଅ,ଭାଇ ଅପରାଧୀ ହିଁ ହେବେ,ସାଧୁ ନୁହେଁ। ”
– ସେମିତି କୁହନା।ବିଚରା ଅସହାୟ ପିଲା ଦୁଇଟା।ହୁଏତ ଆଦର ,ସ୍ନେହ,ଶିକ୍ଷା ପାଇଲେ ସେମାନେ ଦିନେ ଭଲ ମଣିଷ ହେବେ।”
ଠୋ ଠୋ ହସି ମାନସୀ କହିଲା,
– ଏସବୁ ନିର୍ଭର କରେ ଘର ପରିବାରର ସଂସ୍କାର ଉପରେ।ଆମ ପିଲାଙ୍କୁ ଆମେ ଯେମିତି ଶିକ୍ଷା,ସଂସ୍କାର ଦେବା,ସେମାନେ ସେଭଳି ବଢ଼ିବେ।”
ଚୁପ ରହିଥିଲେ ଅବିନାଶ।ଏଇ କଲୋନୀ ଲେଡିଜ କ୍ଲବର ସେକ୍ରେଟାରୀ ହେଉଛି ମାନସୀ।
ପାଖ ଘର ବଗିଚାରେ ଖେଳୁଥିବା
ଦୁଇ ଛୁଆ, ମାନସୀକୁ ଦେଖି ଅନାଇଲେ।ବହୁତ ସରଳ ଦିଶୁଥିଲା ସେ ଦୁହିଁଙ୍କ ଚେହେରା।
ମାନସୀ ନିଜ ମୋବାଇଲ ରେ ସେମାନଙ୍କ ଫଟ ଉଠାଇବା ଦେଖି ଦୁହେଁ ଟିକେ କୌତୁହଳୀ ହୋଇ ହସିଦେଲେ।ବିରକ୍ତ ହୋଇ ଘର ଭିତରକୁ ଚାଲିଆସିଲା ମାନସୀ।
ଓହୋ,କି ଛୁଆରେ ବାବା!ଏତେ ବଡ଼ ଅଘଟଣ ହୋଇଗଲା ପରେ ବି ଦାନ୍ତ ଦେଖାଇ ହସୁଛନ୍ତି ?
ଡ୍ରଇଂ ରୁମରେ ତାଙ୍କ ପୁଅ ଟନି ଟିଭି ଦେଖୁଥିଲା।ଆନିମଲ ପ୍ଲାନେଟ ଚ୍ୟାନେଲ ରେ ବିଷଧର ସାପଙ୍କ ଉପରେ ପ୍ରୋଗ୍ରାମ।ଯୁକ୍ତ ଦୁଇ ର ପ୍ରଥମ ବର୍ଷର ଛାତ୍ର ଟନି ;ସହର ର ସବୁଠୁ ଭଲ ଓ ନାମଜାଦା କଲେଜରେ ନିଜ ଏକମାତ୍ର ପୁଅର ନାମଲେଖାଇଛନ୍ତି ବୋଲି ମନେମନେ ଗର୍ବ କରନ୍ତି ମାନସୀ।
– ମମି,ଦେଖ କିଙ୍ଗ କୋବ୍ରା ;କିଛି ଛୁଆ ବି ଜନ୍ମ କରିଛି।ଏମାନେ ସବୁଠୁ ବଡ଼ ଭୟଙ୍କର ଓ ବିଷାକ୍ତ ସାପ।କିନ୍ତୁ ତାଙ୍କ ଛୁଆ ଗୁଡାକ କେତେ କ୍ୟୁଟ ଦେଖିଲ ?”
ଟିଭିର ରିମୋଟ ନେଇ ଅନ୍ୟ ଚ୍ୟାନେଲ ବଦଳାଇ ମାନସୀ କହିଲେ,
– କ୍ୟୁଟ ପୁଣି କଣ ?ସାପ ଛୁଆ ,ସାପ ହିଁ ହେବ।ବିଷଧର।ତୁ ଏସବୁ ଦେଖେନା।ଖରାପ ସ୍ୱପ୍ନ ରାତିରେ ଦେଖିବୁ।”
– ଓହୋ,ମମି;ମୁଁ କଣ ଛୋଟ ପିଲା ହୋଇଛି ?ଆଛା ମମି ,ଆମ ପାଖ ଘରକୁ ଆସିଥିବା ଦୁଇ ପିଲାଙ୍କ ସହ ମୁଁ କ୍ରିକେଟ ଖେଳିପାରିବି ?”
ଚମକି ପଡି ମାନସୀ କହିଲେ,
-ପାଟି ଚୁପ କର।ଖବରଦାର କହୁଛି, ସେ ପିଲାଙ୍କୁ ତୁ ଅନାଇବୁନି।ସେମାନେ ଖରାପ ପିଲା।”
ମାନସୀଙ୍କ ଆଖି ଆଗରେ ଭାସି ଉଠିଲା ସେଇ ଦୁଇ ପିଲାଙ୍କ ଦାନ୍ତ ଦେଖା ହସ ହସ ମୁହଁ।
ବିଷ ଦାନ୍ତ ବୋଲି ଭାବିବାକୁ ହେବ।
ସାପଛୁଆ ନାମ ହିଁ ପ୍ରଯୁଜ୍ୟ ସେମାନଙ୍କ ପାଇଁ।ସାପର ଛୁଆ,ସବୁବେଳେ ସାପ।ବିଷଧର ସାପଙ୍କ ଛୁଆ ଭବିଷ୍ୟତରେ କେବଳ ବିଷଧର ହିଁ ହେବେ।ତାଙ୍କୁ ଯେତେ କ୍ଷୀର ପିଆଇଲେ ବି ନିଜ ଫଣା ମେଲାଇ, ଚୋଟ ମାରିବା ପ୍ରକୃତି କଣ ଛାଡିବେ ?
ନିଜ ଲେଡିଜ ଆସୋସିଏସନ ଗ୍ରୁପରେ ପିଲାଙ୍କ ଫଟ ଛାଡି ମାନସୀ ଲେଖିଲା,
“ଏ କଲୋନୀ କଣ ହତ୍ୟାକାରୀ,ଖୁନୀ ଆସାମୀଙ୍କ ପିଲାଙ୍କ ପାଇଁ ?ଆଜି ଦିନ ଏଗାରଟା ବେଳେ ଆମେ ପୋଲିସ କମିଶନରଙ୍କୁ ଅଭିଯୋଗ ପତ୍ର ଦେବା”
ସାଙ୍ଗେ ସାଙ୍ଗେ ପ୍ରେସିଡେଣ୍ଟ ମିସେସ ରଥଙ୍କୁ ଫୋନ କରି କହିଲା,
-ଶୀଘ୍ର ଏ ଦୁଇ ସାପଛୁଆଙ୍କୁ ଏଠୁ ବିଦା ନକଲେ ଗତି ମୁକ୍ତି ନାହିଁ।ମିଡ଼ିଆ ଵାଲା ଗୁଡାକ କ୍ୟାମେରା ନେଇ ଗେଟ ଆଗରେ ଠିଆ ହେଉଛନ୍ତି।ଆମର ପ୍ରାଇଭେସି ବୋଲି କିଛି ନାହିଁ ?ଖୁନୀ ଆସାମୀଙ୍କ ପିଲାଙ୍କୁ ଦେଖିଲେ ତାହା ଆମ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇବ।ଘର,ସଂସ୍କାର ବୋଲି କିଛି ଅଛି ନା ନାହିଁ ? ”
ସେପଟୁ ମିସେସ ରଥ କହୁଥିଲେ,
– ହଁ,ତମେ ଠିକ କହିଛ।ଅପରାଧିକ ମନୋବୃତ୍ତି ଅଧିକ ଦେଖାଯାଏ ଏସବୁ ପରିସ୍ଥିତିରେ ବଢିଥିବା ପିଲାଙ୍କ ଉପରେ।ଏ ଦୁଇଟା ପିଲା ଏଠି ରହିଲେ ଆମ ପିଲା ଖରାପ ହେବେ।”
ଖରାବେଳେ କଲେକ୍ଟର, ପୋଲିସ କମିଶନର ଇତ୍ୟାଦିଙ୍କୁ ଦେଖା କରି ଅଭିଯୋଗ କରି ସେ ପିଲା ଦୁଇଟାଙ୍କୁ ସେଠୁ ବିଦା ନକଲେ ଧାରଣା,ଆନ୍ଦୋଳନ କରିବେ ବୋଲି ଚେତାଇ ଦେଲେ।
ଅପରାହ୍ନ ବେଳକୁ ଗୋଟେ ଗାଡି ଆସି ପହଁଚି ପିଲା ଦୁହିଁଙ୍କୁ ଅନ୍ୟଆଡେ କୁଆଡେ ନେଇଗଲା।ଗାଡି ର କାଚ ଝରକା ବାଟେ ପିଲା ଦୁଇଟାଙ୍କ ଅସହାୟ ମୁହଁ ଦୁଇଟା ଦେଖି ଖୁସି ହେଉଥିଲା ମାନସୀ।
ଫୋନ କରି ସୁସମ୍ବାଦଟି ସବୁ ବାନ୍ଧବୀଙ୍କୁ ଜଣାଇ କହୁଥିଲା,
– ମୁଁ ଭାବୁଛି,ଗୋଟେ ପ୍ରେସ କନଫେରେନ୍ସ ଡାକି ଆମ ଦାବି ଯୋଗୁଁ ଏ ଦୁଇ ସାପଛୁଆ ବିଦା ହେଲେ ବୋଲି ଜଣାଇବା।”
କିଛି ପ୍ରେସଵାଲାଙ୍କୁ ଫୋନ କଲା ମାନସୀ।
ସନ୍ଧ୍ୟା ବେଳକୁ ଡ୍ରେସିଂ ଟେବୁଲ ସାମ୍ନାରେ ସଜବାଜ ହେଲାବେଳେ, ବାହାରେ କିଛି ଗାଡି ଅଟକିବାର ଓ ବାହାରେ କଲିଙ୍ଗବେଲ ଶବ୍ଦ ଶୁଣି ଖୁସି ହୋଇ ସ୍ୱାମୀ ଙ୍କ ଉଦ୍ଦେଶ୍ୟରେ କହିଲା,
– ଶୁଣ ପ୍ରେସଵାଲା ଆସିଗଲେଣି ବୋଧେ।ଡ୍ରଇଂ ରୁମରେ ସେମାନଙ୍କୁ ବସାଅ।”
ଓଠରେ ଲିପଷ୍ଟିକ ଓ ନିଜ ମୁହଁର ମେକଅପ,ଶାଢ଼ୀ ସହ ମ୍ୟାଚିଂ ବ୍ଲାଉଜ ସଜାଡି ଡ୍ରଇଂ ରୁମକୁ ଆସି ଚମକି ପଡିଲା।
କିଛି ପୋଲିସ ଲୋକଙ୍କ ସହ ଠିଆ ହୋଇଥିଲା ଅବିନାଶ।ସାଙ୍ଗରେ ଲେଡିଜ କ୍ଲବ ପ୍ରେସିଡେଣ୍ଟ ମିସେସ ରଥଙ୍କ ପୁଅ ଜିତୁ, ହାତରେ ହାତକଡି ପିନ୍ଧି ଠିଆ ହୋଇ କାନ୍ଦୁଥିଲା।
– ଏ ପିଲା ବୟାନ ଦେଇଛି,ଆପଣଙ୍କ ପୁଅ ଓ ସେ ଦୁହେଁ ମିଶି ମଟର ସାଇକେଲରେ ବସି ଲୋକଙ୍କ ସୁନା ଗହଣା ଲୁଟୁଥିଲେ ଓ ତା ସହ ଡ୍ରଗ କାରବାର ବି।ଆପଣଙ୍କ ଘର ଖାନ ତଲାସ ହେବାର ୱାରେଣ୍ଟ ଅଛି ଆମ ପାଖରେ।”
ମାନସୀ ର ମୁଣ୍ଡ ବୁଲାଇଦେଲା ଭଳି ଲାଗୁଥିଲା।ହେ ଭଗବାନ,ତା ପୁଅ ଚୋରି, ଡ୍ରଗ ବେପାର କରୁଛି ?ଏତେ ଶିକ୍ଷା,ସଂସ୍କାର ଦେଇ…..
ଭେଁ ଭେଁ ହୋଇ କାନ୍ଦୁଥିଲା ମାନସୀ।ଅବିନାଶ ତାକୁ ଧରି ନପକାଇଥିଲେ ସେ ହୁଏତ ତଳେ ପଡିଯାଇଥାନ୍ତା।ପଥର ମୂର୍ତ୍ତି ଭଳି ସେ ବସିଥିଲା ଚେୟାର ଉପରେ।
ଘର ଖାନତଲାସ ବେଳେ ଟନି କପ ବୋର୍ଡରୁ କିଛି ସୁନା ହାର,ଗୋଟେ ଦେଶୀ ବନ୍ଧୁକ ମିଳିଲା।
ହାତକଡି ପକାଇ ପୋଲିସ ଗାଡ଼ିରେ ବସି ଜୁଳୁ ଜୁଳୁ କରି ଅନେଇ ଥିଲା ଟନି।ପାଖରେ ବସିଥିଲା ଜିତୁ।
ମାନସୀ ର ମନେ ପଡୁଥିଲା ଓପରଓଳି ସେଇ ପିଲା ଦୁଇଟାଙ୍କ ଅସହାୟ ମୁହଁ।
ଏଇନା ସେ ଚିନ୍ତା କରୁଥିଲା, ଅସଲ ସାପଛୁଆ କିଏ !!!…..
(©️ଅରବିନ୍ଦଦାସ)