33.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶା ଖଣିଜ ସମ୍ପଦର ଭବିଷ୍ୟତ : ମାୟାଧର ନାୟକ

ଓଡିଶା ଖଣିଜ ସମ୍ପଦର ଭବିଷ୍ୟତ : ମାୟାଧର ନାୟକ

ଓଡିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ – ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍‌, ଜାପାନ, ଆମେରିକା ପ୍ରଭୃତି ଦେଶକୁ ଏକ୍ସପୋର୍ଟ କରୁଛୁ । ଚୀନ୍ ଦେଶରେ ଆମ ଭାରତଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚାଇନା ତା’ର ଉତରପିଢୀଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି । ଆମ ଦେଶ ବିଶେଷ କରି ଓଡିଶାରୁ ଲୁହାପଥର, କ୍ରୋମାଇଟ୍ ଚଢା ଦାମ ଦେଇ ବୋହି ନେଉଛି । ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା ବିଶ୍ୱରେ ଛାଇ ହେଇଗଲାଣି । ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି । ଜାପାନ ମଧ୍ୟ ଆମ କ୍ରୋମାଇଟ୍‌ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି । ଆମେରିକା ଆମ କ୍ରୋମାଇଟ୍ ଲୁହାପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି ।

 

ଆନ୍ତର୍ଜାତୀୟ ମହାଜନୀ ମାଫିଆର କରାଳ କୂଟ ଚକ୍ରାନ୍ତରେ ଶାସନ ପ୍ରଶାସନର ମଧ୍ୟସ୍ଥତାରେ ଶୀକାର ହେଉଛି ସାଧାରଣ ଜନତା । ଖଣିଜ ପଦାର୍ଥକୁ ସାମଗ୍ରୀରେ ପ୍ରସ୍ତୁତ ବା ପରିଣତ କରିବାର କଳା ଓ କୌଶଳଠାରୁ ଆଜି ମଧ୍ୟ ଆମେ ଅପହଂଚ ଦୂରତ୍ୱରେ । ତେଣୁ ମୋଟ୍ କଥା–ଏଥିପାଇଁ ଆବଶ୍ୟକ ବୈଷୟିକ, ବୈଜ୍ଞାନିକ ଜ୍ଞାନ ଓ ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ । ଏସବୁର ଅଭାବ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଖଣିଜ ପଦାର୍ଥର ଭବିଷ୍ୟତ ଘୋର ଅନ୍ଧକାର ।

 

ଯେଉଁ କ୍ରୋମାଇଟ୍ ବିଶ୍ୱର ମହା ମହା ମାରାଣାସ୍ତ୍ର ତିଆରି କରିବାରେ ମୁଖ୍ୟ ବ୍ରହ୍ମବୀଜ – ଯାହାକୁ ନେଇ ବଜ୍ର । ଏସିଆ ମହାଦେଶରେ ୯୮ ଭାଗ କ୍ରୋମାଇଟ୍ କେବଳ ଆମ ରାଜ୍ୟ ସୁକିନ୍ଦାରେ କାହିଁ କେଉଁ କାଳରୁ ପ୍ରକୃତି ସାଇତି ରଖିଛି । ଏ କ୍ରୋମାଇଟ୍ ହେଉଛି – କଳିକାଳର ଦଧିଚି ହାଡ – ଯାହାକୁ ନେଇ ଆଟମ୍ ବମ୍‌, ହାଇଡ୍ରୋଜେନ୍ ବମ୍‌ଠାରୁ ଆରମ୍ଭ କରି ସାଇକେଲ ବଲବ୍ ବେରିଙ୍ଗ୍ ପର୍ଯ୍ୟନ୍ତ ପ୍ରସ୍ତୁତି ହୁଏ, ଏହାକୁ ଇସ୍ପାତ ସହିତ ମିଶ୍ରଣ କରାଯାଇ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ । ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖ ଦର୍ପଣରେ ଏବେ ସୁକିନ୍ଦା । ଏସୀୟ ରାଷ୍ଟ୍ର ଚୀନ୍ ଓ ଜାପାନ ଚାଟି ନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟ୍‌ର ବହୁଳାଂଶ । ଏବେ ଆମେରିକା ଏ ସୁକିନ୍ଦା କ୍ରୋମାଇଟ୍‌ର ସ୍ୱାଦ ଚାଖି ସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ ।

 

କୌଳିକତାହୀନ ଏବଂ ମୌଳିକତାହୀନ ଗୁଡାଏ ଅପଦାର୍ଥ ଏହି ଖଣିଜ ପଦାର୍ଥକୁ ଆତ୍ମସାତ୍ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତର ଅଧିକାରୀ ହେବାକୁ ଯାଉଛନ୍ତି – ତାହା ସେମାନଙ୍କୁ ଜନଗଣଙ୍କର ପିଠି ଉପରେ ଚାବୁକ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ – କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ – ଅଛି ବିତରେ । ଧନ ଧଳା ହେଉ କି କଳା ହେଉ – ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱ ବର୍ଜିତ – ଅଥଚ ବିତ ଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରା ସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ ।

 

ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତି – ଏହି ଜାତୀୟ ସମ୍ପତିକୁ କେଉଁ ନ୍ୟାୟରେ ବଂଟାକୁଂଟା କରି ଲିଜ୍ ମାଧ୍ୟମରେ ହେଉ କି ସୁପାରିଶ୍ ଜରିଆରେ ହେଉ, ବ୍ୟକ୍ତି ସମ୍ପତିରେ ପରିଣତ କରିବାରେ ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା କାଏମ ରହିଛି କିପରି ?

 

ସୁକିନ୍ଦାରେ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠା ବେଳେ ସେ ସ୍ଥାନରୁ କ୍ରୋମାଇଟ୍‌, କିରୋସିନି ବାହାରି ଥିବାରୁ ଶ୍ରମିକମାନେ କହିଲେ – ମୁଁ ଅଭିଯୋଗ କଲି । ନୀଳାଚଳ ଷ୍ଟିଲ ପ୍ଲାଂଟ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ କିନ୍ତୁ କେହି ଶୁଣିଲେ ନାହିଁ । ୧୯୯୦ ମସିହାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ମୋତେ ଡକାଇ ପଠାଇଲେ । ପଚାରିଲେ – ମାୟାଧର! ଓଡିଶା ରାଜକୋଷ ଖାଲି । ଟଙ୍କା କୁଆଡୁ ଆସିବ? ମୁଁ କହିଥିଲି – ଟଙ୍କା ଓଡିଶାର ମାଟି ତଳେ ପୋତା ହୋଇଛି । ଖୋଳନ୍ତୁ ବସ୍ତା ବସ୍ତ ଟଙ୍କା ପାଇବେ । ସେ ଆଶ୍ଚର୍ଯ୍ୟହୋଇ ଚାହିଁଲେ । ମୁଁ କହିଲି – ଓଡିଶାରେ ଯେତେ ଖଣିଜ ସମ୍ପଦ ଅଛି – ସବୁ ଖଣି ଲିଜ୍ ବାତିଲ କରନ୍ତୁ – ନୋ କ୍ୟପଟିଭ୍ ମାଇନସ୍‌, ନୋ ଏକ୍ସପୋର୍ଟ । ସବୁ ଖଣିଜ ସମ୍ପଦକୁ ସରକାର ନିଜ ଅଧିନରେ ରଖି ଉତୋଳନ କରି ବଜାର ଦରରେ ମୂଲ୍ୟଯୁକ୍ତ କରାଯାଇ ବିକ୍ରି କରନ୍ତୁ – ଓଡିଶା ଟଙ୍କାରେ ପୋତି ହୋଇଯିବ । ସେ ମୁଣ୍ଡ ଟୁଙ୍ଗାରିଲେ । କିନ୍ତୁ କାର୍ଯ୍ୟକାରୀ କରିବା ପୂର୍ବରୁ ସ୍ୱର୍ଗଦ୍ୱାରକୁ ଚାଲିଗଲେ ।

 

କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାର ଲୁହାପଥରର ପାହାଡ ଲୁଟ୍ ଚାଲିଛି । ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର କୋଇଲା ବିଶ୍ୱବିଖ୍ୟାତ । କଳାହାଣ୍ଡି ନୂଆପଡା, ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ଜେମ୍‌ସ ଷ୍ଟୋନ୍‌, ହୀରା, ମୋତି, ମାଣିକ, ସୁନା ପଥର ଲକ୍ଷଲକ୍ଷ କୋଟି ଟଙ୍କାରେ ଗଚ୍ଛିତ ଅଛି । କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲାର ବକ୍‌ସାଇଟ୍ ଖୁନ୍ଦି ହୋଇ ରହିଛି । ମାଙ୍ଗାନିଜ୍ ଠାରୁ ଆରମ୍ଭ କରି ଚାଇନା କ୍ଲେ ପର୍ଯ୍ୟନ୍ତ ୩୨ ପ୍ରକାର ଖଣିଜ ସମ୍ପଦରୁ ୪୧ ପ୍ରକାରକୁ ଉଠିଲାଣି । ସବୁ ଖଣିଜ ସମ୍ପଦ ଓଡିଶା ମାଟିରେ । ଶାସନକଳ ସହାୟତାରେ ସବୁ ଲୁଟ୍ ପାଟ ଚାଲିଛି । କେବଳ ଖଣିଜ ସମ୍ପଦକୁ କରାୟତ କରିପାରିଲେ ଓଡିଶା ଭାରତରେ ଏକନମ୍ବର ଧନୀ ରାଜ୍ୟରେ ପରିଣତ ହେବ ।

 

ପ୍ରାକୃତିକ ପ୍ରହରୀ ପରି ଯେଉଁ ଶହ ଶହ ବର୍ଷର ବୃକ୍ଷ – ଆଜି ସେମାନେ ଗୋଟାଏ ଗୋଟାଏ କାକୁସ୍ଥ କବନ୍ଧ ପରି ନିରୀହ ଦେଶବାସୀଙ୍କ ଆଖି ସାମ୍ନାରେ ଛିନ୍ନ ଓ ବିଚ୍ଛିନ୍ନ । ଏହା ଜାତୀୟ ଜୀବନର ସୁରକ୍ଷା ପ୍ରତି ଏକ ଅହିତକର ଅଭିଯାନର ଆରମ୍ଭ ମାତ୍ର ଯାହା ଦିନେ ଆମର ଉତରପିଢୀକୁ ପାଉଁଶ ପୋଖରୀରେ ଉବୁଟୁବୁ ହୋଇ ଅଣନିଶ୍ୱାସୀ ଅବସ୍ଥାରେ ଶେଷ ଆଡକୁ ମୁହାଁଇନେବ – ଚାଷ ନଷ୍ଟ କଲ – ବାସ ନଷ୍ଟ କଲ – ଏବେ ବିନାଶକୁ ବିକାଶ ନାଁରେ ତମେ ଦେଉଛ – ତମ ସରକାରୀ ଶିଳ୍ପ ସମୃଦ୍ଧିର ଚମତ୍କାର ଛଦ୍ମବେଶ – ଏ ବେଶ କାହାଣୀରେ କଥିତ ଚାଇନା ରାଜାର ଲଙ୍ଗଳା ପୋଷାକକୁ ବି ପରିହାସ କରୁଛି । ତୁମେ ଲୁଚିଛ କିନ୍ତୁ ତୁମର ଗୋଡ ଦୁଇଟା କ’ଣ ସବୁଯାକ ଆମ ଆଖି ଆଗରେ ଆଜି ଉଧୁ ଲଙ୍ଗଳା ହୋଇ ଦିଶିଲାଣି । ଦେଶକୁ ପାଉଁଶ ଗଦା କରନା କି ଜାତିକୁ କରନା ପାଳଭୂତ । ମୁଷ୍ଟିମେୟ ମହାଜନର ମୁନାଫା ହୋଇପାରେ ମାତ୍ର ଅଗଣିତ ମାମୁଲି ମଣିଷର ମୃତ୍ୟୁ ଅବଶ୍ୟମ୍ଭାବୀ । ଏ ମୃତ୍ୟୁର ସ୍ରୋତକୁ ଆଜିଠୁଁ ବାଧା ଦିଆ ନଗଲେ – ଆସନ୍ତା କାଲି ହେବ – ଆମ ପାଇଁ ଅକାଳ ସକାଳ – ଘୋର ଦୁଃସକାଳ ।

 

ଏଇ କଥା ଆଜି କହିଲା ବେଳକୁ ମୁଁ କ୍ଲାନ୍ତ ନୁହେଁ ଅବଶ୍ୟ ମାତ୍ର ଭୟଙ୍କର ଭାବରେ ହତାଶ । କାରଣ – ଏଇକଥା – ଖାଲି ଏତିକି କଥା ନୁହେଁ – ଆହୁରି ବହୁତ କଥା – ବହୁ ବର୍ଷ ତଳୁ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କଠୁ ଆରମ୍ଭ କରି ବିଜୁବାବୁଙ୍କ ପର୍ଯ୍ୟନ୍ତ କାହା କାହାକୁ ମୁଁ ନ କହି ଆସିଛି – ଅଳ୍ପ କହିଛି – ବହୁତ ଅକୁହା ରହିଛି – କାହିଁକି ନା କୌଣସି କର୍ଣ୍ଣଧାର ମୋର ଏ କଥାରେ କର୍ଣ୍ଣପାତ କରିନାହାଁନ୍ତି ବୋଲି ମୁଁ କାହିଁକି କେଜାଣି ଭାବି ଆସୁଛି । ଏବେ ନେଡିଗୁଡ କହୁଣୀକୁ ବୋହିଯିବା ବେଳକୁ ଖଣିକୁ ନେଇ ଖାଲି ଖଞ୍ଜଣି ମାଡ ।

 

ଆଜି ଆପଣମାନଙ୍କୁ କହୁଛି – ମୋତେ ଭାରି ବାଧୁଛି । ମୁଁ ଦିନେ ଛାତ୍ର ଓ ତରୁଣ ଅବସ୍ଥାରୁ ଘର ଛାଡିଥିଲି ମହାସ୍ରୋତ ସହିତ ନିଜକୁ ସାମିଲ କରିବା ପାଇଁ । ହିରୋ ହୋଇ ହାରିବାକୁ ଚାହିଁଥିଲି ପଛେ ଜୋକର ହୋଇ ଜିତିବାକୁ ଜିଦ୍ କରି ନଥିଲି ମୋଟେ । ସେଥିପାଇଁ ରାଜଧାନୀରେ ରାଜନୀତିର ବେଙ୍ଗଳା ନ ବୁଲାଇ ମୁଁ ରହିଗଲି ଘାଟିରେ ଆଉ ମାଟିରେ । ଖଣି କଥା ବହୁତ କହିଛି – ଏବେ ଆଣମାନେ କହନ୍ତୁ – ମୁଁ ଯେଉଁଠି ଛାଡିଲି ।

 

 

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking