ଭାରତବର୍ଷର ବିପ୍ଳବର ଇତିହାସର ମାଓବାଦ ଆନ୍ଦୋଳନ ଏକ କୁହୁଳା ନିଆଁର ନାଁ, ଯାହା ଆଜିବି ଛପି ରହିଛି ପାଉଁଶ ତଳେ । ପୁଣି କେବେ କେବେ ସେହି ପାଉଁଶ ତଳର ନିଆଁ ତା’ର ଝୁଲର ଜିହ୍ୱା ବିସ୍ତାର କରି ଆତଙ୍କର ଝଲକ ସୃଷ୍ଟି କରିଚାଲିଛି ଆମର ସୁପରିଚିତ ସାମାଜିକ ବେଷ୍ଟନୀ ମଧ୍ୟରେ । ଏ ନିଆଁର ନିର୍ବାପନ ସେତେଦିନ ଯାଏ ଅସମ୍ଭବ, ଯେତେଦିନ ଯାଏ ଆମର ଏ ଶୋଷିତ, ବିକୃତ, ବିକଳାଙ୍ଗ, ଆତ୍ମବିଭକ୍ତ, ବିଖଣ୍ଡିତ ଓ ଭୋଗବାଦୀ ସମାଜବ୍ୟବସ୍ଥା କାଏମ ରହିଛି ।
ସାମ୍ରାଜ୍ୟବାଦୀ ବ୍ରିଟିଶ୍ର ୨୦୦ବର୍ଷ ଗୋଲାମୀ ଖଟିଲା ପରେ ଦୀର୍ଘ ୭୪ ବର୍ଷ ଧରି ସ୍ୱାଧୀନ ଭାରତବର୍ଷର କୋଟି କୋଟି ମେହେନତୀ ଜନଗଣ ଏବେବି ପରୋକ୍ଷ ଭାବେ ଗୋଲାମୀରୁ ମୁକ୍ତ ନୁହଁନ୍ତି । ସମଗ୍ର ପୃଥିବୀ ହେଉ କିମ୍ବା ଓଡିଶା ହେଉ – ଯେଉଁଠି ଅନ୍ୟାୟ ଅତ୍ୟାଚାର, ଶୋଷଣ କଷଣ, ଜୁଲମ-ଅବିଚାର, ବ୍ୟଭିଚାର ନିର୍ଯାତନା ହୋଇଛି, ସେଠି ଅଶାନ୍ତି ଅସନ୍ତୋଷର ବହ୍ନି ବିଭିନ୍ନ ରୂପ ନେଇ ସମାଜଜୀବନରେ ଭୟଙ୍କର ବିସ୍ଫୋରଣ ଘଟାଇଛି । ଭାରତବର୍ଷରେ ଏଇ ବିସ୍ଫୋରଣର ଅନ୍ୟତମ ବହ୍ନିମାନ୍ ଶିଖା ନକ୍ସଲବାଦୀ ଆନ୍ଦୋଳନ । କମ୍ୟୁନିଷ୍ଟ ଆନ୍ଦୋଳନର ମୂଳଉତ୍ସରୁ ବିଚ୍ୟୁତି ଘଟିବାରୁ ତଥାକଥିତ ସାମ୍ୟବାଦୀଙ୍କଠାରୁ ଏମାନେ ଦୂରେଇଯାଇ ସଶସ୍ତ୍ର ବିପ୍ଲବର ପଥ ବାଛିନେଇଥିଲେ- ଯାହା ଆଜିବି ଦିଗହରା, ଦିଶାହରା ହୋଇ କୌଣସି ନା କୌଣସିଠାରେ ଘୂର୍ଣ୍ଣିଝଡ ସୃଷ୍ଟି କରୁଛି ।
ମାଓବାଦ ଆନ୍ଦୋଳନ ଆଇନ କାନୁନ୍ର ସମସ୍ୟା ନୁହେଁ । ଏହା ଏକ ଅର୍ଥନୈତିକ, ସାମାଜିକ ସମସ୍ୟା । ଏହାର ରାଜନୈତିକ ସମାଧାନ ଏକାନ୍ତ ଆବଶ୍ୟକ । ନକ୍ସଲପନ୍ଥୀମାନେ ନିଜକୁ ସଚ୍ଚା କମ୍ୟୁନିଷ୍ଟର ସନ୍ଧାନ ଖୋଜି ପାଇବା କଷ୍ଟକର ହୋଇପଡିଛି । ପୁଞ୍ଜିବାଦ ସାମ୍ରାଜ୍ୟବାଦକୁ ଧ୍ୱଂସ କରି ସମାଜବାଦରୁ ସାମ୍ୟବାଦ ପ୍ରତିଷ୍ଠା କରିବାର ମାର୍ଗ ମହାନ ଦାର୍ଶନିକ କାର୍ଲମାର୍କ୍ସ ଦେଖାଇଥିଲେ । ସେହି ମାର୍କ୍ସବାଦୀ ତତ୍ୱକୁ ଆଧାର କରି ରୁଷିଆରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ମହାନ୍ ଲେନିନ୍ ୧୯୧୭ ମସିହାରେ ସୋଭିଏତ୍ ରୁଷକୁ ପ୍ରଥମ ସମାଜବାଦୀ ରାଷ୍ଟ୍ର ଭାବେ ଘୋଷଣା କରି ସମଗ୍ର ବିଶ୍ୱର ଶ୍ରମିକ ଶ୍ରେଣୀ ପାଇଁ ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲେ ।
୨ୟ ବିଶ୍ୱଯୁଦ୍ଧ ପରେ ପରେ ଷ୍ଟାଲିନ୍ଙ୍କ ନେତୃତ୍ୱରେ ପୂର୍ବୟୁରୋପ ଦେଶମାନଙ୍କରେ ସମାଜବାଦୀ ରାଷ୍ଟ୍ରର ଜୟଯାତ୍ରା ଆଗକୁ ଆଗକୁ ବଢି ଚାଲିଲା । ସମଗ୍ର ବିଶ୍ୱ ଦୁଇ ମହାଶିବିରରେ ପରିଣତ ହେଲା – ରୁଷିଆ ନେତୃତ୍ୱରେ ସମାଜବାଦୀ ଶିବିର, ଆମେରିକା ନେତୃତ୍ୱରେ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ଶିବିର । ଭାରତ ଭଳି ବିକାଶଶୀଳ, ଅନୁନ୍ନତ ଦେଶମାନେ ଉଭୟ ଶିବିରଠାରୁ ସାହାଯ୍ୟ ସହଯୋଗ ପାଇ ଆସୁଥିଲେ । ଆମ ଦେଶରେ ସ୍ୱାଧୀନତା ଲାଭ ପୂର୍ବରୁ ଯେଉଁ ବୈପ୍ଲବିକ – ସାମାଜିକ – ରାଜନୈତିକ ଆନ୍ଦୋଳନର ପ୍ରୟୋଜନ ଥିଲା, ନ୍ୟସ୍ତ ସ୍ୱାର୍ଥ ଶୋଷକ-ଶାସକ ଶ୍ରେଣୀର ସୁପରିକଳ୍ପିତ ଷଡଯନ୍ତ୍ର ଯୋଗୁ ତାହା ସାକାର ହେବା ସମ୍ଭବପର ହୋଇପାରିନଥିଲା ।
୧୯୪୮ ମସିହାରେ ତେଲେଙ୍ଗାନାରେ କୃଷକ ବିଦ୍ରୋହ ଭାରତବର୍ଷର ନୂତନ ସରକାରକୁ ଚେତାବନୀ ଥିଲା । ସେହି ସମୟରେ (୧୯୫୦) ମାଓସେତୁଙ୍ଗଙ୍କ ନେତୃତ୍ୱରେ ଚାଇନା ବିପ୍ଲବ ସଫଳ ହେଲା । ସମଗ୍ର ବିଶ୍ୱରେ ସର୍ବହରା ଶ୍ରେଣୀ ସମାଜବାଦ ପ୍ରତିଷ୍ଠାର ଶପଥ ନେଇ ଦେଶେ ଦେଶେ କମ୍ୟୁନିଷ୍ଟ ଦଳ ନେତୃତ୍ୱରେ ଆନ୍ଦୋଳନ ଜାରୀ ରଖିଲେ । ଲେନିନ୍, ଷ୍ଟାଲିନ୍ଙ୍କ ପରେ କୃଶ୍ଚେଭ ବ୍ରେଜ୍ନେଭ କିନ୍ତୁ ସଂଶୋଧନବାଦୀ ରାସ୍ତାରେ ପାଦ ଦେଲେ । ସମାଜବାଦୀ ରାସ୍ତାରୁ ଧୀରେ ଧୀରେ ଖସି ଆସିଲେ । ଏଇ ଦୁରବସ୍ଥାକୁ ଲକ୍ଷ୍ୟ ରଖି ୧୯୫୭ରେ ମାଓ ସେ ତୁଙ୍ଗ ସର୍ବହରା ବିପ୍ଲବୀମାନଙ୍କୁ ନେଇ ଚୀନ କମ୍ୟୁନିଷ୍ଟ ପାର୍ଟି ଭିତରେ ପୁଞ୍ଜିବାଦୀ ରାସ୍ତାରେ ଯାଉଥିବା ନେତାମାନଙ୍କ ବିରୋଧରେ ଅବିରାମ ସଂଗ୍ରାମ ଆରମ୍ଭ କଲେ । ଚୀନ ସାଂସ୍କୃତିକ ବିପ୍ଲବ ଜରିଆରେ ବହୁ ନେତା ପଦଚ୍ୟୁତ ହେଲେ । ୧୯୬୨ରେ ଭାରତଚୀନ ଯୁଦ୍ଧ ପରେ ସି.ପି.ଆଇ. ମଧ୍ୟରେ ରଣକୌଶଳକୁ ନେଇ ପ୍ରବଳ ଅନ୍ତଦ୍ୱର୍ନ୍ଦ୍ୱ ସୃଷ୍ଟି ହେଲା । ସି.ପି.ଆଇ. ବିଭାଜିତ ହେଲା । ସି.ବି.ଆଇ. (ମାର୍କ୍ସବାଦୀ) ଗଠନ ହେଲା । ଭାରତରେ କୃଷକ ଶ୍ରମିକମାନଙ୍କୁ ନେଇ ବିପ୍ଲବ କରିବା ପଦ୍ଧତିରେ ବିଭ୍ରାନ୍ତି ଦେଖାଗଲା । ୧୯୬୭ ମସିହାରେ ପୁନଶ୍ଚ ସି.ପି.ଆଇ., ସି.ପି.ଏମ୍. ଓ ଅନ୍ୟ ବାମ ଗଣତାନ୍ତ୍ରିକ ଦଳମାନଙ୍କର ୟୁନାଇଟେଡ୍ ଫ୍ରଷ୍ଟ ପଶ୍ଚିମ ବଙ୍ଗରେ ଗଠନ ହେଲା । ମାଓସେତୁଙ୍ଗଙ୍କ “ବନ୍ଧୁକ ମୁନରୁ ରାଜନୈତିକ କ୍ଷମତାର ଜନ୍ମ” ଆଦର୍ଶ ଗ୍ରହଣ କରି ସିଲିଗୁଡିର ନକ୍ସାଲବାଡି ଗାଁରେ ଚାରୁ ମଜୁମଦାର, କାହ୍ନୁ ସାନ୍ୟାଲ, ଜଙ୍ଗଲ ସାନ୍ତାଲଙ୍କ ନେତୃତ୍ୱରେ କୃଷକ ବିଦ୍ରୋହ ଆରମ୍ଭ ହେଲା । ସେତେବେଳର ଘରୋଇମନ୍ତ୍ରୀ ଜ୍ୟୋତି ବସୁ ଏଇ ଆନ୍ଦୋଳନର ରାଜନୈତିକ ସମାଧାନ ଅପେକ୍ଷା ଆଇନଶୃଙ୍ଖଳା ପରିସ୍ଥିତି ଦ୍ୱାହି ଦେଇ ଦମନମୂଳକ ପଦକ୍ଷେପ ନେଲେ । ସେଇ ଦମନରୁ ନକ୍ସଲପନ୍ଥୀର ଆବିର୍ଭାବ । ସି.ପି.ଏମ୍. ସଂଶୋଧନବାଦୀ ଚିନ୍ତାଧାରାକୁ ବିରୋଧ କରି ଚାରୁ ମଜୁମଦାରଙ୍କ ନେତୃତ୍ୱରେ ରାଜନୈତିକ ମତାଦର୍ଶ ଓ ସଂଘର୍ଷ ଜାରି ରହିଲା । ନକ୍ସଲ ଆନ୍ଦୋଳନ ଆରମ୍ଭ ସମୟରେ ସି.ପି.ଆଇ, ସି.ପି.ଏମ୍.ରେ ଥିବା ବିହାର, ଓଡିଶା, ତାମିଲନାଡୁ, କେରଳର ବିଦ୍ରୋହୀ କମ୍ରେଡ୍ମାନେ ଚାରୁ ମଜୁମଦାରଙ୍କ ସହ ଯୋଗଯୋଗ ରକ୍ଷା କଲେ । ୧୯୬୮ ମସିହାରେ ସାତଗୋଟି ରାଜ୍ୟର ବିପ୍ଲବୀମାନଙ୍କୁ ନେଇ ଏ.ଆଇ.ସି.ସି.ସି.ଆର (ଇକ୍ଷକ୍ଷ ଓଦ୍ଭୟସବ ଉକ୍ଟ-କ୍ଟକ୍ସୟସଦ୍ଭବଗ୍ଧସକ୍ଟଦ୍ଭ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର କ୍ଟଲ ଉକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଦଗ୍ଧ ଜରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭବକ୍ସଚ୍
ଓଡିଶାର ବହୁ ଶିକ୍ଷିତ ଯୁବକ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶର ନକ୍ସଲପନ୍ଥୀଙ୍କ ସଶସ୍ତ୍ର ବିପ୍ଲବରେ ଉଦ୍ବୁଦ୍ଧ ହୋଇ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ଆନ୍ଦୋଳନର ନାଗଭୂଷଣ ପଟ୍ଟନାୟକ ଜଣେ କ୍ୟାଡର ଥିଲେ । ଶ୍ରୀକାକୁଲମ କୃଷକ ଆନ୍ଦୋଳନ ପରେ ସମଗ୍ର ଉତର ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଏବଂ ପୂର୍ବଘାଟ ପର୍ବତମାଳା ଅଂଚଳରେ ନକ୍ସଲ ଆନ୍ଦୋଳନ ବୃଦ୍ଧି ପାଇ ଚାଲିଲା । ପଶ୍ଚିମବଙ୍ଗରୁ ସୃଷ୍ଟି ହୋଇଥିବା ନକ୍ସଲ ଆନ୍ଦୋଳନର ରାଜନୈତିକ ଦଳ ସି.ପି.ଆଇ (ଏମ୍.ଏଲ) ବହୁଧା ବିଭକ୍ତ ହେବାକୁ ଲାଗିଲା । ବର୍ତମାନ ସି.ପି.ଆଇ. (ଏମ୍.ଏଲ) ପି.ଡବ୍ଲ୍ୟୁ.ଜି ଓ ଏମ୍.ସି.ସି. ଏଇ ଦୁଇଟି ଗ୍ରୁପ ଆନ୍ଧ୍ରପ୍ରଦେଶ, ବିହାର, ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସେମାନଙ୍କ ସଶସ୍ତ୍ର ସଂଗ୍ରାମ ଚଳାଇ ରଖିଛନ୍ତି ଏବଂ ଜନଶକ୍ତି, ନାଗୀରେଡି ଗ୍ରୁପ, ପ୍ରଜାପନ୍ଥା, ନ୍ୟୁ ଡେମୋକ୍ରାସୀ, ପାର୍ଟି ୟୁନିଟି ଓ ରେଡଫ୍ଲାଗ୍ ନାମରେ ସଂଗଠନ କରୁଛନ୍ତି ।
ବିରୋଧ କରିଆସୁଥିବା ନକ୍ସଲପନ୍ଥୀମାନେ ନିର୍ବାଚନରେ ଭାଗ ନେବା ପାଇଁ ସି.ପି.ଏମ୍.ଏଲ (ଲିବେରେସନ) ପକ୍ଷରୁ ଆଇ.ପି.ଏଫ (ଇଣ୍ଡିଆନ ପିପୁଲସ ଫ୍ରଂଟ୍) ନାଗଭୂଷଣ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନରେ ଭାଗ ନେଲେ । କେତେକ ରାଜ୍ୟରେ ମଧ୍ୟ ସେମାନେ ବିଜୟୀ ହେଲେ । କିନ୍ତୁ ନକ୍ସଲପନ୍ଥୀମାନେ ଛୋଟ ଛୋଟ ଗ୍ରୁପରେ ବିଭକ୍ତ ହେବା ଯୋଗୁଁ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ନକ୍ସଲ ନେତୃତ୍ୱର ପ୍ରଥମ ପିଢିଙ୍କ ତତ୍ୱ, ଚିନ୍ତନ ଓ ଦର୍ଶନ ଆଉ ଦେଖିବାକୁ ମିଳିଲା ନାହିଁ । ପରବର୍ତୀ ପିଢି କେବଳ ଦ୍ୱନ୍ଦ୍ୱ ସଂଶୟ ସନ୍ଧିକ୍ଷଣରେ ପଡି ରହିଲେ । ସେମାନଙ୍କୁ ଏହି ସନ୍ଧିକ୍ଷଣରେ ବାଟ କଢେଇ ନେବା ପାଇଁ ଯେଉଁ ନେତୃତ୍ୱର ଆବଶ୍ୟକତା ଥିଲା, ତାହାର ଅଭାବ ଦେଖାଗଲା । ଏମାନେ ନା ପାଇଲେ ବୁର୍ଜୁଆ ବିପ୍ଲବବାଗୀଶମାନଙ୍କ ସମର୍ଥନ ନା ପାଇଲେ କମ୍ୟୁନିଷ୍ଟମାନଙ୍କ ସହାୟତା ଓ ସହଯୋଗ । ଦେଶରେ ଯେଉଁ ପ୍ରଚଣ୍ଡ ପ୍ରତିଭାବାନ ଯୁବକମାନେ ନକ୍ସଲବାଦୀ ଆନ୍ଦୋଳନରେ ଯୋଗ ଦେଲେ, ଆମର ଏ ବ୍ୟବସ୍ଥା ଏତେ କଠୋର, ଗଣମାଧ୍ୟମ ଏତେ ନିର୍ଦ୍ଦୟ ଯେ ସେମାନଙ୍କୁ ଟିକିଏ ବି ସମ୍ମାନ ଦେଇ ପାରିଲେ ନାହିଁ ।
ସମୟ ଓ ଜୁଆର କାହାକୁ ଅପେକ୍ଷା କରେନା । ଆଜି ସମଗ୍ର ବିଶ୍ୱରେ ସମାଜବାଦୀ ରାଷ୍ଟ୍ରର ବିଚ୍ୟୁତି ଫଳରେ କମ୍ୟୁନିଷ୍ଟ ଆନ୍ଦୋଳନ ମଧ୍ୟରେ ବିଭ୍ରାନ୍ତି ବିଭେଦ ଦେଖାଦେଇଛି । ସୋଭିଏଟ୍ ରୁଷିଆ ପୂର୍ବ ୟୁରୋପ ଦେଶମାନେ ଖଣ୍ଡବିଖଣ୍ଡିତ ହୋଇ ପୁଞ୍ଜିବାଦୀ ରାସ୍ତାରେ ପାଦ ଦେଇଛନ୍ତି । ଚୀନ୍, ଭିଏତ୍ନାମ ପ୍ରମୁଖ ଦେଶମାନେ ସମାଜବାଦୀ ଚିନ୍ତା ପଦ୍ଧତିକୁ ବିକୃତ କରି ଦେଇଛନ୍ତି । ସମାଜବାଦୀ ଶିବିର ଭାଙ୍ଗି ଯାଇଛି । ସମଗ୍ର ବିଶ୍ୱରେ ଆମେରିକା କର୍ତୃତ୍ୱ ଜାହିର କରିବାରେ ଲାଗିଛି । ସବୁ ବାଦ, ନେତୃତ୍ୱ, ଶାସନ ପୃଥିବୀର ୮୦୦ କୋଟି ଜନଗଣଙ୍କୁ ଜୀବନର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବାକୁ ସୁଦ୍ଧା ଅସମର୍ଥ ହୋଇ ପଡିଛନ୍ତି ।
ଓଡିଶାର ଦକ୍ଷିଣାଂଚଳ ଓ ପଶ୍ଚିମାଂଚଳର ଦାରିଦ୍ର୍ୟ ଅନାହାର, ମରୁଡି ଓ ଆଦିବାସୀ ହରିଜନ ସମସ୍ୟା ସଂପର୍କରେ ଆମେ ସମସ୍ତେ ସଚେତନ । ବିଶେଷ କରି ଦକ୍ଷିଣ ଓଡିଶାର ୮ ଗୋଟି ଜିଲ୍ଲାରେ ଏହି ୭୪ ବର୍ଷ ଭିତରେ ରାଜ୍ୟ ଓ କେନ୍ଦ୍ରରେ ଥିବା ଶାସକ ବର୍ଗ ଓ ଦଳମାନଙ୍କ ଦ୍ୱାରା ଚିର ଅବହେଳିତ ହୋଇ ରହିଛି । ଏହି ଅଂଚଳ ସବୁ ବହୁ ଦୂରରେ । ସେଠାରେ ଲୋକଙ୍କ ଭିତରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ବର୍ତମାନ ଏକ ବିପ୍ଲବର ବହ୍ନି ଭାବେ ପରିଲକ୍ଷିତ ହୋଇଛି, ଯା’ ଫଳରେ କାଶୀପୁର, ମାଇକଂଚ, ରାଇଘର, ରଣଲଇ, କଳିଙ୍ଗନଗର ଉଦୟଗିରିରେ ଅସନ୍ତୋଷର ପରିପ୍ରକାଶ ଘଟିଲା । ଲୋକଙ୍କର ମୌଳିକ ସମସ୍ୟା, ଜମି, ଜଳ, ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର, ଶିଳ୍ପାୟନ ନାଁରେ ଲୋକଙ୍କୁ ଉଚ୍ଛେଦ, ଆଦିବାସୀ ଓ ଦଳିତଙ୍କ ଜମି ଅଣଆଦିବାସୀଙ୍କ ଦ୍ୱାରା ଜବରଦଖଲ, ବିଶେଷ କରି ଶିକ୍ଷା, ସାମାଜିକ ସଂସ୍କାର ଉପରେ ସରକାର ଗୁରୁତ୍ୱ ନ ନେଇ କେବଳ ଦମନମୂଳକ କାର୍ଯ୍ୟକ୍ରମ ଗ୍ରହଣ କଲେ ଏହାର ରାଜନୈତିକ ସମାଧାନ ନ କଲେ ଏ ଆନ୍ଦୋଳନ କମିବ ନାହିଁ – ବରଂ ବଢିବ – ଲୋକ ପ୍ରତିଶୋଧ ପରାୟଣ ହୋଇ ବାଧ୍ୟ ହୋଇ ଅସ୍ତ୍ର ଉଠାଇବେ । ଏହା ଇତିହାସରେ ବାରମ୍ବାର ପ୍ରମାଣିତ ହୋଇ ସାରିଛି । ନକ୍ସଲବାଦୀ ଆନ୍ଦୋଳନ ଏହାର ଏକ ଜ୍ୱଳନ୍ତ ଉଦାହରଣ ।
ଓଡିଶା ଭାରତବର୍ଷର ଏକ ଉପେକ୍ଷିତ ଓ ଉତ୍ପୀଡିତ ଅଂଶ । ଦୀର୍ଘକାଳ ଧରି ନାନା ପ୍ରବଂଚନା ଓ ପ୍ରହସନର ଶିକାର ହୋଇ ଆସିଛି ଏ ଭୂମି । ସତ୍ ରାଜନୈତିକ ଇଚ୍ଛାଶକ୍ତି ନ ଥାଇ ଏଠି ନେତୃତ୍ୱ କେବଳ କ୍ଷମତା ପାଇଁ କ୍ଷୁଧିତ । ଜନଜୀବନକୁ ଋଦ୍ଧିମନ୍ତ ଓ ଶ୍ରୀମନ୍ତ କରିବାର ସଂକଳ୍ପ କୌଣସି ରାଜନୈତିକ ଦଳର ଥିବା ପରି ମନେହୁଏ ନାହିଁ । ଅନ୍ତଃସ୍ଥଳରେ ତେଣୁ ଯେଉଁ ଅଦମନୀୟ ଅସନ୍ତୋଷ ଫଣା ଟେକୁଛି, ଦିନେ ତାହା ବିଶାଳ ଅଜଗରରେ ପରିଣତ ହୋଇ ଶାସନ, ପ୍ରଶାସନ, ଧନିକ, ମାଲିକ ଓ ନ୍ୟସ୍ତସ୍ୱାର୍ଥ କୁଚକ୍ରୀ କୁବେର ଗୋଷ୍ଠୀକୁ ଗ୍ରାସ କରିବାକୁ ଆଗେଇଯିବ । ଆଜିର ଏ ହିଂସାର ହ୍ରେଷାକୁ ପଚମାନ ସମାଜ ବ୍ୟବସ୍ଥା ବିରୋଧରେ ଏକ ପ୍ରଚଣ୍ଡ ପ୍ରତିବାଦର ଫୁତ୍କାର ବୋଲି ଅଭିହିତ କଲେ କିଛୁ ଭୁଲ୍ ହେବ କି ?
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩