ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି । ଏହି ଅଞ୍ଚଳରେ ଗ୍ଲେସିୟର ଭାଙ୍ଗି ନାହିଁ , ବିପୁଳ ପରିମାଣର ବରଫ ତରଳିବା ଦ୍ୱାରା ଏହି ବିପର୍ଯ୍ୟୟ ଘଟିଛି । ଆଜି ଅନୁଷ୍ଠିତ ବୈଠକରେ ଇସ୍ରୋ ବୈଜ୍ଞାନିକମାନେ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ କରିଛନ୍ତି ଯେ ଏହି ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇନାହିଁ । ତାପମାତ୍ରା ବଢିବା ସହିତ ବରଫ ତରଳିବା ଫଳରେ ଏହି ଅଘଟଣ ଘଟିଛି । ରବିବାର ଦିନ ଉତ୍ତରାଖଣ୍ଡର ଚାମୋଲିରେ ଯେଉଁ ବଡ଼ ଦୁର୍ଘଟଣା ଘଟିଲା ତାହା ଗ୍ଲେସିୟର ଭାଙ୍ଗିବା କାରଣରୁ ହୋଇଛି ବୋଲି କୁହାଯାଉଥିଲା । କିନ୍ତୁ ଗ୍ଲେସିୟର ଭାଙ୍ଗି ଏପରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଇସ୍ରୋ ବୈଜ୍ଞାନିକ । ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଚାମୋଲି ଜିଲ୍ଲା ପୋଲିସ ଏପର୍ଯ୍ୟନ୍ତ ୧୯ ଟି ମୃତଦେହ ଉଦ୍ଧାର କରିଛି । ୨୦୨ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ରାତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷୟକ୍ଷତି ଆକଳନ ଜାରି ରହିଛି । ସକାଳ ଚାରିଟାରୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଟନେଲ ନିକଟରୁ ଆବର୍ଜନା ହଟାଯାଉଛି । ଅନେକ ଲୋକ ସେମାନଙ୍କ ଭିତରେ ଫସି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।