ଭୁବନେଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ତାଙ୍କୁ ସମ୍ମାନପତ୍ର ଓ ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ଭୀମ ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣଗ୍ରାହୀଙ୍କ ‘କାନୀନ’ ଓ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନଥିବି’। ପ୍ରାଥମିକ ପୁସ୍ତକ ଚୟନମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ. ପରମେଶ୍ୱର ମୁଣ୍ଡ, ବୈଜୟନ୍ତୀ ମିଶ୍ର ଓ ଡ. ପ୍ରୀତିଧାରା ସାମଲ ବିଚାରକ ଥିଲା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଂଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଆଦିତେଶ୍ୱର ମିଶ୍ର।