26.1 C
Bhubaneswar
Tuesday, September 17, 2024
Homeଖେଳଖେଳରତ୍ନ ପାଇବେ ଶରତ, ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ

ଖେଳରତ୍ନ ପାଇବେ ଶରତ, ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ

ନୂଆଦିଲ୍ଲୀ : କ୍ରୀଡ଼ା ଜଗତର ସର୍ବୋଚ୍ଚ ପୁରସ୍କାର ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇବେ ଦେଶର ଭେଟେରାନ୍ ପୁରୁଷ ଟେବଲ୍ ଟେନିସ୍ ଖେଳାଳି ଅଚନ୍ତ ଶରତ କମାଲ୍ । ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକର୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହି ସୁପାରିସ୍ କରିଛନ୍ତି । ୪୦ ବର୍ଷୀୟ ଶଣତ ଗତ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଟି ପଦକ ହାସଲ କରିଥିଲେ । ସେଥିରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଥିଲା । ଏହି ସଫଳତା ପାଇଁ ଶରତଙ୍କ ପାଇଁ ଖେଳ ରତ୍ନ ପୁରସ୍କାର ହାସଲ କରିବାରେ ଯଥେଷ୍ଟ ସହାୟକ ହୋଇଛି । ଖେଳ ରତ୍ନ ପୁରସ୍କାର ପାଇବା ସକାଶେ ଦେଶର ୪୨ ଜଣ ଖେଳାଳି ଆବେଦନ କରିଥିବା ବେଳେ ଶେଷରେ ଚୟନ କମିଟି ଶରତଙ୍କ ନାମରେ ମୋହର ମାରିଛି ।

ଶରତଙ୍କ ନାମରେ ମୋହର ମରାଯିବା ଫଳରେ ଦେଶର କେତେକ ପ୍ରମୁଖ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଛି । ସେମାନଙ୍କ ମଧ୍ୟରେ ପୁରୁଷ ହକି ଖେଳାଳି ହରମନ୍‌ପ୍ରୀତ୍ ସିଂହ, ଆକାଶଦୀପ ସିଂହଂ ଓ ରୂପିନ୍ଦର ପାଳ୍ ସିଂହ, ମହିଳା ହକି ଦଳର ଅଧିନାୟିକା ତଥା ଗୋଲ୍‌କିପର୍ ସବିତା ପୁନିଆ ଓ ଫରୱାର୍ଡ ବନ୍ଦନା କଟାରିୟା, ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ୍ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ଅସୀ ଚାଳିକା ଭବାନୀ ଦେବୀ, ପୁରୁଷ ଫ୍ରିଷ୍ଟାଇଲ୍ ରେସଲର୍ ଦୀପକ ପୁନିଆ ଓ ୫୦ ମିଟର ରାଇଫଲ୍ ୩ପି ସ୍ପେଶାଲିଷ୍ଟ୍ ଅଞ୍ଜୁମ୍ ମୋଦଗିଲ୍ ପ୍ରମୁଖ ।
ଅନ୍ୟପକ୍ଷରେ ଅର୍ଜୁନ ପୁରସ୍କାର ପାଇ ୧୨ଜଣିଆ ଚୟନ କମିଟି ମୋଟ ୨୫ ଜଣଙ୍କ ନାମ ସୁପାରିସ୍ କରିଛି । ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ହକି ଦଳର ସଦସ୍ୟା ଓଡ଼ିଆ ଡିଫେଣ୍ଡର୍ ଦୀପ୍‌ଗ୍ରେସ୍ ଏକ୍କା, ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍ ଲକ୍ଷ୍ୟ ସେନ୍‌, ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍ ନିଖତ୍ ଜରିନ୍‌, ଏସିଆନ୍ ଗେମ୍ସ ପଦକ ବିଜେତା ବକ୍ସର୍ ଅମିତ୍ ପାଙ୍ଘଲ୍‌, ଚେସ୍ ଖେଳାଳି ଆର. ପ୍ରଜ୍ଞାନାନନ୍ଧ, ମହିଳା ରେସଲର୍ ଅଂଶୁ ମଲିକ ଓ ସରିତା ମୋର୍ ଏବଂ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲନ୍ ବଲ୍ସରେ ଐତିହାସିକ ସ୍ୱର୍ଣ୍ଣ ପାଇଥିବା ଟିମ୍‌ର ସଦସ୍ୟା ନୟନମଣି ସାଇକିଆ ରହିଛନ୍ତି ।

ଗତ ବର୍ଷ ହୁଏଲଭାଠାରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ଜିତିବା ପରଠାରୁ ଲକ୍ଷ୍ୟ କ୍ରମାଗତ ସଫଳତା ପାଇଆସିଥିବାରୁ ତାଙ୍କୁ ଚୟନ କମିଟି ଏହାର ପୁରସ୍କାର ଦେଇଛି । ସମ୍ମାନଜନକ ଅଲ୍ ଇଂଲଣ୍ଡ ଓପନ୍‌ରେ ରନର୍ସଅପ୍ ହେବା ସହ ଥୋମାସ୍ କପ୍‌ରେ ପୁରୁଷ ଦଳକୁ ଐତିହାସିକ ସ୍ୱର୍ଣ୍ଣ ଦେବାରେ ଲକ୍ଷ୍ୟଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହି ଦଳର ଅନ୍ୟତମ ସଦସ୍ୟ ଏଚ୍‌ଏସ୍ ପ୍ରଣୟ ମଧ୍ୟ ଅର୍ଜୁନ ପୁରସ୍କାର ପାଇବେ । ଏହାଛଡ଼ା ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ମିକ୍ସଡ ଟିମ୍ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ନିଖତ୍ ଇସ୍ତାନବୁଲ୍ ୱାର୍ଲ୍ଡସରେ ସ୍ୱର୍ଣ୍ଣପଦକ ଜିତିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ମହିଳା ଲାଇଟ୍ ୱେଟ୍ କାଟାଗୋରିରେ ସ୍ୱର୍ଣ୍ଣ ପାଇଥିଲେ । ଏହାଛଡ଼ା ଆଥଲେଟ୍ ଏଲ୍‌ଢ଼ୋସ୍ ପଲ୍ ଓ ଅବିନାଶ ସାବ୍‌ଲେ ମଧ୍ୟ ଅର୍ଜୁନ ପୁରସ୍କାର ତାଲିକାରେ ରହିଛନ୍ତି । ଗତବର୍ଷ ଅପ୍ରତ୍ୟାଶିତ ଭାବେ ଟୋକିଓ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରାଙ୍କ ସମେତ ମୋଟ ୧୨ ଜଣଙ୍କୁ ଖେଳରତ୍ନ ଓ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking