ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ନିକଟରେ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା । ଏବେ ଖୋଦ୍ ସେବାୟତମାନେ ଏହି ଦାବି ଉଠାଇଛନ୍ତି । ଫଳରେ ରତ୍ନଭଣ୍ଡାର ଖୋଲିବା ନେଇ ହେଉଥିବା ଦାବି ଏକ ନୂତନ ମୋଡ଼ ନେଇଛି ।
ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ଦାବି ଉଠାଇ କହିଛନ୍ତି ଯେ ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର । ମହାପ୍ରଭୁ ଦୀର୍ଘ ଦିନରୁ ଗୋଟିଏ ସେଟ୍ ଅଳଙ୍କାର ପିନ୍ଧୁଛନ୍ତି ।
ପିତଳ ଥାଳିରେ ଖାଉଛନ୍ତି । ଅଥଚ ଭଣ୍ଡାର ଘରେ ସୁନା ଥାଳି ରହିଛି । ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ସେ ସମୟରେ ସେସବୁକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିଲା । ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରାଯାଇଥିଲା ମହାପ୍ରଭୁଙ୍କୁ ସୁନାବେଶ ରେ ଭୂଷିତ କରିବା ପାଇଁ । କିନ୍ତୁ କାଳକ୍ରମେ ଏହା ହାତଗଣତିରେ ପରିଣତ ହୋଇଛି ।
ରତ୍ନଭଣ୍ଡାର ଖୋଲାଗଲେ ମହାପ୍ରଭୁଙ୍କ ପାଇଁ ଗୋଟାଏ କ’ଣ ୧୦ ରୁ ୧୫ ସେଟ୍ ଅଳଙ୍କାର ହୋଇପାରିବ । ଏତେ ସୁନା ରତ୍ନଭଣ୍ଡାରରେ ମହଜୁଦ ଅଛି । ତେଣୁ ରତ୍ନଭଣ୍ଡାର ନିହାତି ଖୋଲାଯିବା ଆବଶ୍ୟକ । ସେପଟେ ଏନେଇ ଗଜପତି ମଧ୍ୟ କହିସାରିଲେଣି କି ରତ୍ନଭଣ୍ଡାର ସ୍ଥିତି ଠିକ ନାହିଁ । ତେବେ ସରକାର କାହିଁକି ଚୁପ ବସିଛନ୍ତି । ଏଥି ସହ ସରକାର ଶ୍ରୀମନ୍ଦିର ଚତୁର୍ପାଶ୍ୱ ଖୋଲାଖୋଲି କରି ଏତେବଡ ଐତିହ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । କିନ୍ତୁ ରତ୍ନଭଣ୍ଡାର ଖୋଲାଯାଇ ପାରୁନାହିଁ କାହିଁକି? ରତ୍ନଭଣ୍ଡାରରେ କାନ୍ଥ ଫାଟି ପାଣି ଗଳୁଛି, ଜିନିଷ ନଷ୍ଟ ହେଉଛି, ଏହାକୁ ନିହାତି ଖୋଲାଯାଉ ।
ରାଜ୍ୟ ସରକାର ଚାହିଁଲେ ରତ୍ନଭଣ୍ଡାର ଖୋଲାଯାଇ ପାରନ୍ତା । କିନ୍ତୁ ସେ ଚିପି ହୋଇ ରହିଯାଉଛି । ବର୍ତ୍ତମାନ ଶ୍ରୀମନ୍ଦିରର ସମ୍ପୂର୍ଣ ଦାୟିତ୍ୱ ସରକାରଙ୍କର । ତେଣୁ ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି କହିଲେ ମଧ୍ୟ ତାଙ୍କର କୌଣସି କଥାର ମୂଲ୍ୟ ରହିଲା ନାହିଁ । ଆଜିକା ସମୟରେ ଯଦି ସରକାର ଭଣ୍ଡାର ଘର ନଖୋଲିପାରିଲେ ତେବେ ଏହା ଅତି ଲଜ୍ୟାଜନକ କଥା । ଯଦି ସରକାର କହିଦେବେ, ମହାପ୍ରଭୁଙ୍କ ପାଇଁ କୁଇଣ୍ଟାଲ କୁଇଣ୍ଟାଲ ସୁନା ଗଦା ହୋଇଯିବ । କିନ୍ତୁ ମୁଖ୍ୟ କଥା ସରକାର ଏନେଇ ଦୃଷ୍ଟି ଦେବା ସହ ରତ୍ନଭଣ୍ଡାରର ଯଥା ଶୀଘ୍ର ଖୋଲାଯାଇ ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି ।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବା ନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର ତାଙ୍କର ଦାବି ଦୋହରାଇଛନ୍ତି । ସେ କହିଛନ୍ତି ଯେ ମହାରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଜୟ କରି ଯାହା ସବୁ ଧନରତ୍ନ ଆଣିଥିଲେ ସେ ମହାପ୍ରଭୁଙ୍କ ଉଦେଶ୍ୟରେ ଉଶ୍ଚର୍ଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ କରିଯାଇଥିବା ଆଭୂଷଣ ଆଜି ପର୍ଯ୍ୟନ୍ତ ବ୍ୟବହାର ହେଉଛି । ତେଣୁ ମହାପ୍ରଭୁଙ୍କର ଆଉ ଏକ ସେଟ ନିହାତି ଆବଶ୍ୟକ । ତେବେ ଏନେଇ ଦାତାଙ୍କର ଅଭାବ ନାହିଁ । ମହାପ୍ରଭୁଙ୍କର ଯେତିକି ଜମି ବାଡ଼ି ଜାଗା ଓ ଖଣି ଆଦି ରହିଛି ତାକୁ ଅନେକ ଲୋକେ ମାଡ଼ିବସିଚନ୍ତି ।
ତେବେ ସରକାର ଓ ମୁଖ୍ୟ ପ୍ରଶାସକ ଯଦି ଚାହାନ୍ତେ ଆହୁରି ଅଧିକ ସେଟ ଅଳଙ୍କାର ହୋଇପାରନ୍ତା । ଅନ୍ୟପଟେ ମହାପ୍ରଭୁ ସୁନା ଥାଳିରେ ଖାଇବାର ପରମ୍ପରା ରହିଛି । କିନ୍ତୁ ସୁନା ଥାଳି ଭଣ୍ଡାର ଘରେ କେଉଁଠି ପଡିଥିବା ବେଳେ ପିତଳ ଥାଳିକୁ ସୁନା ଥାଳି କରି ଦିଆଯାଉଛି । କାହାର ଆନ୍ତରିକତା ନାହିଁ ମହାପ୍ରଭୁଙ୍କ ପାଇଁ ସୁନା ଥାଳି କରିବା ପାଇଁ ।
ମହାପ୍ରଭୁଙ୍କର ସମଗ୍ର ଭାରତ ବର୍ଷରେ ଜାଗା, ଖଣି ଆଦି ଥିବା ବେଳେ ସେସବୁର ହରିଲୁଟ ଚାଲିଛି । ଏଥି ସହ ମହାପ୍ରଭୁଙ୍କର ୬ଟା ରୂପା ଦ୍ୱାର ଓଡ଼ିଶା ବାହାର ଭକ୍ତମାନଙ୍କ ଦାନରେ ସମ୍ଭବପର ହୋଇପାରିଛି । ତେବେ ରତ୍ନଭଣ୍ଡାର ନିହାତି ପକ୍ଷେ ଖୋଲାଯିବା ଦରକାର । କାହିଁକିନା ଗଜପତି ମହାରାଜ ମଧ୍ୟ ନିଜେ କହିଛନ୍ତି କି ଭଣ୍ଡାର ଘର ଭିତର ଅବସ୍ଥା ଭଲ ନାହିଁ ।
ତେଣୁ ଏହାକୁ ଖୋଲାଯାଇ ଏହାର ନିରୀକ୍ଷଣ ଓ ମରାମତି କରାଯିବା ଦରକାର । ରାଜ୍ୟ ସରକାର ଯଦି ଚାହିଁବେ ତେବେ ଏହା ସମ୍ଭବ ହୋଇପାରିବ ଓ ସମସ୍ତେ ଭଣ୍ଡାର ଘରେ କ’ଣ ଅଛି, କେମିତି ଅଛି ସେସବୁ ଜାଣିପାରିବେ ବୋଲି ଶ୍ରୀ ଦାସମହାପାତ୍ର ମତ ଦେଇଛନ୍ତି ।
ଅନ୍ୟପଟେ ଭକ୍ତ ମହଲରେ ମଧ୍ୟ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭକ୍ତମାନେ ନିଜର ଅତି ପ୍ରିୟ କାଳିଆ ଠାକୁରଙ୍କୁ ବର୍ଷ ବର୍ଷ ଧରି ପୁରୁଣା ଆଭୂଷଣରେ ବିଭୂଷିତ ହୋଇଥିବା ଦେଖି ଦୁଃଖ ପ୍ରକାଶ କରିବା ସହିତ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ନିମନ୍ତେ ନୂତନ ଆଭୂଷଣ ନିର୍ମାଣ କରିବା ପାଇଁ ଦାବି କରୁଛନ୍ତି । କିଛି ବର୍ଷ ପୂର୍ବେ ମହାପ୍ରଭୁଙ୍କ ସୁବର୍ଣ୍ଣ କୀରିଟି ଭାଙ୍ଗି ଯାଇଥିଲା । ଏହାକୁ ଝଳେଇ କରାଯାଇ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା