ଭବାନୀପାଟଣା :- ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ରେ ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ଆସନ୍ତା ମାର୍ଚ୍ଚ ମାସ ୨୮ ତାରିଖ ରେ ରାୟଗଡ଼ା ରେଳ ଷ୍ଟେସନରୁ କଳାହାଣ୍ଡି ଜିଲ୍ଲାରୁ ମୋଟ ୨୪୦ ଜଣ ତୀର୍ଥ ଯାତ୍ରୀ ତିରୁପତି , ଭେଲୋର ଏବଂ ଶ୍ରୀକଳାହସ୍ତୀ କୁ ଯାତ୍ରା କରିବେ । ଏ ସମ୍ବନ୍ଧୀୟ ତୀର୍ଥ ଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ମନୋନୀତ କମିଟି ର ଏକ ବୈଠକ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକ ମାନଙ୍କୁ ଏବଂ ଦମ୍ପତି ଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ପାଇଁ ଚୟନ କରାଯାଉଛି । ହିତାଧିକାରୀ ଚୟନ ନିମନ୍ତେ ଅନ୍ତୋଦୟ / ଅନ୍ନପୂର୍ଣ୍ଣା ଖାଦ୍ୟ ସୁରକ୍ଷା ରେସନ୍ କାର୍ଡ / ବିଧବା ଭତ୍ତା / ମନରେଗା କାର୍ଡ / ବାର୍ଦ୍ଧକ୍ୟ ଭତ୍ତାରୁ ଯେକୌଣସି ଗୋଟିଏ ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ୭୦ ରୁ ୭୫ ବର୍ଷ ବୟସ୍କ ତୀର୍ଥଯାତ୍ରୀ ନିଜ ସାଙ୍ଗରେ ଜଣେ ସେବାକାରୀ ନେଇ ପାରିବେ; କିନ୍ତୁ ସେବାକାରୀ ଗସ୍ତ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବେ । ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ଏକ ଟ୍ରାଭେଲିଂ କିଟ୍ ଉପହାର ଦିଆଯିବ । ଟ୍ରେନ ତଥା ତୀର୍ଥସ୍ଥାନ ମାନଙ୍କରେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି ।
ଏ ଯୋଜନା ସମ୍ବନ୍ଧୀୟ ଫର୍ମ ପୂରଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ସମସ୍ତ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ବ୍ୟାପକ ପ୍ରସାର କରାଯାଇଥିଲା । ଏହି ତୀର୍ଥ ଯାତ୍ରା ୬ ଦିନ ଓ ୫ ରାତ୍ର ର ଗସ୍ତ ରହିବ। ରାୟଗଡ଼ା ଷ୍ଟେସନ୍ ରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର୍, ମାଲକାନଗିରି, ନୂଆପଡ଼ା ତଥା କଳାହାଣ୍ଡି ଜିଲ୍ଲା ରୁ ମୋଟ ୯୭୦ ଜଣ ତୀର୍ଥଯାତ୍ରୀ ଉପୋରକ୍ତ ଆଧ୍ୟାତ୍ମିକ ସ୍ଥାନ ଗସ୍ତ କରିବେ । କଳାହାଣ୍ଡିର ତୀର୍ଥ ଯାତ୍ରୀ ମାନଙ୍କ ସୁବିଧା ପାଇଁ ୭ ଜଣ ଏସ୍କର୍ଟ ଅଧିକାରୀ ଯାତ୍ରା କରୁଛନ୍ତି ।
ବୈଠକ ରେ ଜିଲ୍ଲା ତୀର୍ଥ ଯାତ୍ରୀ ଯୋଜନା କମିଟି ଆବାହକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁବୋଧ ଛତ୍ରିଆ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ ନାୟକ , ସି.ଡ଼ି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର , ଡି.ଏସ.ଡବ୍ଲୁ.ଓ. ପୁଣ୍ୟବତି ହେଲେନ୍ , ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା , ଇ-ଗଭର୍ନେନ୍ସ୍ ମ୍ୟାନେଜର ସଂଜୀବ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।