ନୂଆଦିଲ୍ଲୀ : ବିଜେପି ନେତ୍ରୀଙ୍କ ଅମାନୁଷିକ କାଣ୍ଡ । ସେ ଜଣେ ମହିଳା ହୋଇ ଅନ୍ୟ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମହେଶ୍ୱର ପାତ୍ର ତଥା ବିଜେପି ନେତ୍ରୀ ସୀମା ପାତ୍ର ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ୮ବର୍ଷ ହେବ ଜଣେ ମହିଳାଙ୍କୁ ବନ୍ଧକ ରଖିଥିଲେ । ତାଙ୍କୁ ଏପରିକି ଖାଇବାକୁ ମଧ୍ୟ ଦିଆଯାଉନଥିଲା । ଲୁହା ଛଡରେ ମାଡ ମରାଯାଉଥିଲା । ତତଲା ତାୱାର ଚେଙ୍କ ଦିଆଯାଉଥିଲା । ଏବେ ତାଙ୍କୁ ଉଦ୍ଧାର କରି ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନିତା ପୋଲିସକୁ ବୟାନ ଦେଇଛନ୍ତି । ସେ କହିଛନ୍ତି ମାଲିକାଣୀ ତାଙ୍କୁ ଲୁହା ଛଡରେ ମାରି ଦାନ୍ତ ଭାଙ୍ଗି ଦେଇଥିଲେ । ସୀମାଙ୍କୁ ଘରୁ ବାହାରିବାକୁ ଦେଉନଥିଲେ । ପରିସ୍ରା ପାଇଁ ବାହାରକୁ ପଳାଇଲେ ତାଙ୍କୁ ଜିଭରେ ଚଟାଣ ସଫା କରିବାକୁ ଦିଆଯାଉଥିଲା । ପରିସ୍ରା ପିଇବାକୁ ବାଧ୍ୟ କରାଯାଉଥିଲା । ସୁନୀତା ଅନେକ ବର୍ଷ ହେଲା ସୂର୍ୟ୍ୟ କିରଣ ଦେଖିନଥିବା କଥା କହିଛନ୍ତି । ଏହି ଖବର ଆସିବା ବିଜେପିରୁ ସୀମାଙ୍କୁ ନିଲମ୍ବିତ କରାଯାଇଛି । ସୁନୀତାଙ୍କ ଅନୁଯାୟୀ, ସେ ଗୁମ୍ଲାର ବାସିନ୍ଦା । ସୀମା ପାତ୍ରଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ୧୦ବର୍ଷ ତଳେ ତାଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । ଦମ୍ପତିଙ୍କ ଝିଅ ଦିଲ୍ଲୀ ଯିବାରୁ ସୁନୀତାଙ୍କୁ ସେଠିକୁ ଡକା ଯାଇଥିଲା । ତେବେ ପ୍ରାୟ ୬ବର୍ଷ ତଳେ ବସ୍ତଲା ଓ ସୁନୀତା ରାଞ୍ଚିକୁ ପଳାଇ ଆସିଥିଲେ । ସେହି ଦିନଠାରୁ ତାଙ୍କୁ ହଇରାଣ କରାଯାଉଥିଲା । ସେ ଚାକିରି ଛାଡିବାକୁ ଚାହୁଁଥିଲେ । ତେଣୁ ତାଙ୍କୁ ୮ବର୍ଷ ହେଲା ଘରେ ବନ୍ଧକ ରଖିଥିଲେ । ଘରକୁ ଯିବାକୁ କହିଲେ ମାଡ ମଧ୍ୟ ମାରୁଥିଲେ । ସେ ଦିନେ କୌଣସି ମତେ ମୋବାଇଲରେ ସରକାରୀ କର୍ମଚାରୀ ବିବେକ ଆନନ୍ଦ ବାସ୍କେଙ୍କୁ ବାର୍ତ୍ତା ପଠାଇ ଏହାର ସୂଚନା ଦେଇଥିଲେ । ଏହି ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ୍ ହାତରେ ଧରାପଡ଼ିବା ଭୟରେ ସୀମା ନିଜ ବାସଭବନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ବେଳେ ପୁଲିସ୍ ସର୍ଚ୍ଚ ଅପରେସନ କରି ତାଙ୍କୁ ଧରିବାରେ ସମର୍ଥ ହୋଇଛି।