ଆଡିଲେଡ୍: ଚଳିତ ଆଶେସ୍ ସିରିଜ୍ର ଦ୍ୱିତୀୟ ଟେଷ୍ଟ୍ଟି ଏଠାରେ ଜାରି ରହିଥିବା ବେଳେ ଏହି ଦିବାରାତ୍ର ମୁକାବିଲାର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତିକୁ ବେଶ୍ ମଜଭୁତ କରିପାରିଛି । ପ୍ରଥମ ଦିନରେ ଦଳର ବ୍ୟାଟ୍ସମ୍ୟାନ୍ମାନେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୫୦.୪ ଓଭର୍ରେ ୯ ୱିକେଟ୍ ହରାଇ ୪୭୩ ରନ୍ କରିଥିବା ବେଳେ ଇନିଂସ ଘୋଷଣା କରିଥିଲା । ଅଧିକନ୍ତୁ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲୀୟ ବୋଲର୍ମାନେ ଭ୍ରମଣକାରୀ ଇଂଲଣ୍ଡର ଦୁଇ ଓପନର୍ଙ୍କୁ ପ୍ୟାଭିଲିୟନ୍ ପଠାଇଦେବାରେ ମଧ୍ୟ ସକ୍ଷମ ହୋଇଛନ୍ତି ।
ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୧୭ ରନ୍ରେ ୨ଟି ୱିକେଟ୍ ହରାଇସାରିଥିବା ବେଳେ ଡେୱିଡ୍ ମାଲାନ୍ ୧ ଓ ଅଧିନାୟକ ଜୋ ରୁଟ୍ ୫ ରନ୍ କରି ଅପରାଜିତ ଅଛନ୍ତି । ପୂର୍ବରୁ ଦିନର ପ୍ରାରମ୍ଭରେ ଅଷ୍ଟ୍ରେଲୀୟ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ତାଙ୍କର ଶତକ ପୂରଣ କରି ଦଳକୁ ବଡ଼ ସ୍କୋର୍ରେ ପହଞ୍ଚାଇଥିଲେ । ଦ୍ୱିତୀୟ ଦିନର ପ୍ରାରମ୍ଭ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଲାବୁଶେନ୍ (୯୫) ଓ କାମଚଳା ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୧୮) କରିଥିଲେ । ସେମାନେ ଦଳର ପୂର୍ବଦିନର ସ୍କୋର୍ ୨୨୧/୨କୁ ଆଗକୁ ବଢ଼ାଇ ୨୪୧ରେ ପହଞ୍ଚାଇଥିଲେ । ତେବେ ଏହି ସମୟରେ ଲାବୁଶେନ୍ ୮ଟି ଚୌକା ସହ ୧୦୩ ରନ୍ କରି ଆଉଟ୍ ହୋଇଥିଲେ ।
ତେଣୁ ୨୩୭ ରନ୍ର ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । କିନ୍ତୁ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ନେତୃତ୍ୱ ନେଉଥିବା ସ୍ମିଥ୍ ବେଶ୍ ଦୃଢ଼ ଭାବେ ବ୍ୟାଟିଂ ଜାରି ରଖିଥିଲେ । ସେ ଚତୁର୍ଥ ୱିକେଟ୍ରେ ଟ୍ରେଭିସ୍ ହେଡ୍ (୧୮) ଓ ଷଷ୍ଠ ୱିକେଟ୍ରେ ଆଲେକ୍ସ କ୍ୟାରେଙ୍କ ସହ ୯୧ ରନ୍ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । କିନ୍ତୁ ସେ ବ୍ୟକ୍ତିଗତ ଭାବେ ୧୨ଟି ଚୌକା ଓ ଗୋଟିଏ ଛକା ସହ ୯୩ ରନ୍ କରିଥିବା ବେଳେ ଆଉଟ୍ ହୋଇ ଓପନର ଡେଭିଡ୍ ୱାର୍ଣ୍ଣର୍ଙ୍କ ପରି ଶତକରୁ ବଞ୍ଚିତ ହୋଇଥିଲେ ।
ସେହିପରି କ୍ୟାରେ ୫ଟି ଚୌକା ସହ ୫୧, ମିଚେଲ୍ ଷ୍ଟାର୍କ ୫ଟି ଚୌକା ସହ ଅପରାଜିତ ୩୯ ଏବଂ ଟେଷ୍ଟ୍ କ୍ୟାରିୟର୍ ଆରମ୍ଭ କରିଥିବା ମାଇକେଲ୍ ନେସର୍ ୫ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ର ଯୋଗଦାନ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ୩ଟି, ଜେମ୍ସ ଆଣ୍ଡର୍ସନ୍ ୨ଟି ଏବଂ ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ଓକ୍ସ, ଓଲି ରବିନ୍ସନ୍ ଓ ଅଧିନାୟକ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ୱିତୀୟ ଦିନରେ ୮.୪ ଓଭର୍ ଖେଳିଥିବା ଇଂଲଣ୍ଡ ପାଇଁ ଓପନର ହସୀବ୍ ହମିଦ୍ ମାତ୍ର ୬ ଓ ତାଙ୍କ ସାଥୀ ରୋରି ବର୍ନସ୍ ୪ ରନ୍ କରିପାରିଥିଲେ । ଏହି ଦୁଇଟି ୱିକେଟ୍ ମିଚେଲ୍ ଷ୍ଟାର୍କ ଓ ନେସର୍ ବାଣ୍ଟିନେଇଥିଲେ ।