ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ +୩ ବା ସ୍ନାତ୍ତୋକରେ ସିଟ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଚଳିତବର୍ଷ +୨ ପାସହାରକୁ ନଜର ଦେଲେ ଜଣାପଡେ ଯେ, ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ଯେତିକି ସିଟ୍ ରହିଛି ତାହା ନିଅଣ୍ଟ ପଡିବ । ତେଣୁ +୩ରେ ସିଟ୍ ସଂଖ୍ୟାକୁ ବୃଦ୍ଧି କରାନଗଲେ ଏଥର ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ôଚତ ରହିବେ । ତେବେ ବର୍ତ୍ତମାନ ସୁଦ୍ଧା +୨ ପରିଷଦ ପକ୍ଷରୁ କେବଳ +୨ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଉଭୟ ସିବିଏସ୍ଇ ଏବଂ ଆଇସିଏସ୍ଇର ସବୁ ରେଜଲ୍ଟ ପ୍ରକାଶ ପାଇସାରିଛଇ । ଏଥର ପରୀକ୍ଷାରେ ସିବିଏସ୍ଇର ପାସହାର ୯୦.୩୭% ରହିଥିବା ବେଳେ ଆଇସିଏସ୍ଇ ପାସହାର ସର୍ବାଧିକ ୯୯.୪୭% ରହିଛି । ସେହିପରି +୨ ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାନରେ ପାସହାର ୯୪.୧୨% ଏବଂ ବାଣିଜ୍ୟରେ ୮୯.୨୦% ରହିଛି । ଆଗକୁ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ ।
ଚଳିତଶିକ୍ଷା ବର୍ଷରେ +୩ ଲାଗି ଆବେଦନକାରୀଙ୍କ ସଂଖ୍ୟା ସର୍ବାଧିକ ୨ଲକ୍ଷ ୭୫ହଜାରରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ରାଜ୍ୟରେ +୩ରେ ମୋଟ୍ ସିଟ୍ ସଂଖ୍ୟା ୨ଲକ୍ଷ ୪୯ହଜାର ୪୫୩ଟି ରହିଛି । ତେବେ ବିଜ୍ଞାନରେ ପ୍ରାୟ ୧୫% ଏବଂ କଳାରେ ୨୦% ସିଟ୍ ବୃଦ୍ଧି କରିବାକୁ ଯୋଜନା ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୧୦୨୫ଟି ଡିଗ୍ରୀ କଲେଜ ରହିଛି । ସେଥିରେ ମୋଟ୍ ସିଟ୍ ସଂଖ୍ୟା ୨ଲକ୍ଷ ୪୯ହଜାର ୪୫୩ଟି ଅଛି । ସେଥିରୁ କଳାରେ ମୋଟ ସିଟ୍ ସଂଖ୍ୟା ୧ଲକ୍ଷ ୩୯ହଜାର ୭୯୩ଟି ରହିଥିବା ବେଳେ ଫିଜିକାଲ ସାଇନ୍ସ(ପିସିଏମ୍)ରେ ୪୨,୦୧୫ଟି, ବାୟୋଲଜିକାଲ ସାଇନ୍ସ(ସିବିଜେଡ୍)ରେ ୨୬୬୦୪ଟି, ବାଣିଜ୍ୟରେ ୩୦,୬୭୫ଟି, ସେଲ୍ଫଫାଇନାନ୍ସରେ ୧୬୬୬ ଏବଂ ସଂସ୍କୃତରେ ୮୭୦୦ ସିଟ୍ ରହିଛି ।
ଗତବର୍ଷ କିଛି ଜିଲ୍ଲାରେ ସିଟ୍ ସଂକ୍ୟା ସାମାନ୍ୟ ବୃଦ୍ଧି କରାଯାଇଥିଲା । ମୋଟ୍ ୨ଲକ୍ଷ ୫୦ହଜାର ୧୩୯ଟି ସିଟ୍ ରୁ ନାମ ଲେଖାଇଥିଲେ ୧ଲକ୍ଷ ୮୯ହଜାର ୮୯୧ଜଣ । ଫଳରେ ଗତବର୍ଷ ୬୦,୨୯୮ଟି ସିଟ୍ ବଳକା ପଡିଥିବା ବେଳେ ସେଥିରୁ ପ୍ରାୟ ୬୦% ସିଟ୍ ସେଲ୍ଫଫାଇନ୍ସ ଏବଂ ଅବଶିଷ୍ଟ ସଂସ୍କୃତରେ ବଳକା ରହିଥିଲା । ଚଳିତବର୍ଷ ସିଟ୍ ଠାରୁ ପିଲାଙ୍କ ସଂଖ୍ୟା ବଢ଼ିଯିବାର ସମ୍ଭାବନା ରହିଥିବାରୁ କଳାରେ ସର୍ବାଧିକ ସିଟ୍ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ସେହିପରି ଉଭୟ ଫିଜିକାଲ ସାଇନ୍ସ ଏବଂ ବାୟୋଲଜିକାଲ ସାଇନ୍ସରେ ଆବେଦନକାରୀଙ୍କ ଅନୁପାତକୁ ନଜର ଦେଇ ସିଟ୍ ବୃଦ୍ଧି କରାଯିବ । ତେବେ ଯେଉଁସବୁ ସିଟ୍ ବୃଦ୍ଧି କରାଯିବ ତାହା ଅସ୍ଥାୟୀ ଭାବେ ରହିବ। ଆବଶ୍ୟକସ୍ଥଳେ ଆସନ୍ତାବର୍ଷ ସମ୍ପୃକ୍ତ ସିଟ୍କୁ ହ୍ରାସ ମଧ୍ୟ କରାଯିବ । ରାଜ୍ୟରେ ୮ଟି ଜିଲ୍ଲାରେ ସର୍ବାଧିକ ୫୦ରୁ ଅଧିକ ଡିଗ୍ରୀ କଲେଜ ରହିଛି । ସେଥିମଧ୍ୟରୁ ବାଲେଶ୍ୱରରେ ୭୨ଟି ଡିଗ୍ରୀକଲେଜ ରହିଥିବା ବେଳେ ଜିଲ୍ଲାରେ ମୋଟ୍ ସିଟ୍ ସଂଖ୍ୟା ୧୪୪୩୬ଟି ରହିଛି।
ସେହିପରି କଟକରେ ୬୭ଟି କଲେଜରେ ୨୦ହଜାର ୪୫୬, ଗଞ୍ଜାମରେ ୬୪ଟି କଲେଜରେ ୨୧୦୭୨, ଯାଜପୁରରେ ୬୧ଟି କଲେଜରେ ୧୪୪୬୨, କେନ୍ଦ୍ରାପଡାରେ ୫୪ଟି କଲେଜରେ ୧୧୪୦୮, ଖୋର୍ଦ୍ଧାରେ ୬୮ଟି କଲେଜରେ ୧୯୬୫୩, ମୟୁରଭଞ୍ଜରେ ୬୦ଟି କଲେଜରେ ୧୪୩୮୪ ଏବଂ ପୁରୀରେ ୫୪ଟି କଲେଜରେ ୧୪୩୨୦ ସିଟ୍ ରହିଛି । ଗତ ୫ବର୍ଷ ହେବ ରାଜ୍ୟରେ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମଲେଖା ୮୦% କମ୍ ରହିଛି । ସରକାରୀ ଇଂଞ୍ଜିନିୟରିଂ କଲେଜରେ ସିଟ୍ ସଂଖ୍ୟା ପ୍ରାୟ ୧୦ହଜାର ମଧ୍ୟରେ ରହିଥିବା ବେଳେ କେବଳ ସରକାରୀ ଇଂଞ୍ଜିନିୟରିଂ କଲେଜ ପ୍ରତି ପିଲାଙ୍କ ଚାହିଦା ବୃଦ୍ଧି ପାଇଛି । ଫଳରେ ଯେଉଁ ପିଲାମାନେ ସରକାରୀ ଇଂଞ୍ଜିନିୟରିଂ କଲେଜରେ ସିଟ୍ ପାଇବାରୁ ବଞ୍ôଚତ ହେଉଛନ୍ତି ସେମାନେ +୩ରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
ପୂର୍ବରୁ +୨ ପରେ ଅନେକ ଛାତ୍ରଛାତ୍ରୀ ଇଂଞ୍ଜିନିୟରିଂ, ଡିପ୍ଲୋମା ଆଦି ବିଭିନ୍ନ ବୈଷୟିକ ଶିକ୍ଷାରେ ନାମଲେଖାଉଥିବାରୁ +୩ ବା ଡିଗ୍ରୀ କଲେଜରେ ସିଟ୍ ଖାଲି ପଡୁଥିଲା । ମାତ୍ର ଗତ ୨ବର୍ଷ ହେବ ପାସହାର ଅଧିକ ରହୁଥିବାରୁ +୩ରେ ମଧ୍ୟ ନାମଲେଖା ସଂଖ୍ୟା ବୃଦ୍ଧି ପାଇଛି । ମାତ୍ର ଏଥର ପାସ୍ହାର ସର୍ବାଧିକ ରହିଥିବାରୁ ଡିଗ୍ରୀ କଲେଜରେ ସିଟ୍ ସଂଖ୍ୟା ବଢ଼ିବା ସ୍ପଷ୍ଟ ହୋଇଯାଇଛି । ଶିକ୍ଷାବିତ୍ଙ୍କ କହିବା ଅନୁଯାୟୀ, ଓଜେଇଇ ରେଜଲ୍ଟ ପ୍ରକାଶ ପାଇବା ପରେ ଘରୋଇ କଲେଜରେ ସିଟ୍ ଖାଲି ପଡିବା ଆଶଙ୍କାରେ ପୁଣି ସ୍ୱତନ୍ତ୍ର ଓଜେଇଇ କରିବା ଲାଗି ନିଷ୍ପତ୍ତି ହୋଇଛି । ତଥାପି ଘରୋଇ ଇଂଞ୍ଜିନିୟରିଂ କଲେଜରେ ସିଟ୍ ପୂରଣ ହେବ ନାହିଁ । ତେଣୁ ପିଲାଙ୍କ ଚାହିଦାକୁ ନଜର ଦେଇ ରାଜ୍ୟର ଡିଗ୍ରୀ କଲେଜରେ ସିଟ୍ ସଂଖ୍ୟା ବଢ଼ାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।