ନୟାଗଡ଼ : ଗୁରୁଙ୍କ ପବିତ୍ରତାରେ ଲାଗିଛି କଳଙ୍କର ଦାଗ । ଛାତ୍ରୀଙ୍କ ନଗ୍ନଫଟୋ ଭାଇରାଲ କରି ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ । ଏଭଳି ଘଟଣା ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ୨ ଜଣ ଛାତ୍ରୀଙ୍କ ଅଭିଯୋଗପରେ ରଣପୁର ପୁଲିସ ଏବଂ ଓଡ଼ଗାଁ ପୁଲିସ ସହାୟତାରେ ଓଡ଼ଗାଁ ବର୍ଷା ଗାର୍ମେଣ୍ଟ ନିକଟ ଭଡ଼ାଘରୁ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣପାଡ଼ିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ରଣପୁର ସବ୍-ଇନ୍ସପେକ୍ଟର ସଞ୍ଜୟ ପରିଡ଼ା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ରାଜେଶ ବେହେରା ରାଜସୁନାଖଳା ଫାଣ୍ଡି ବିନୋଦପଡ଼ା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।
ମହାମାରୀ ସମୟରେ ଟିଉସନ କରିବା ସମୟରେ ଅନେକ ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ମୋବାଇଲ୍ରେ ଭିଡିଓ ସୁଟିଂ କରୁଥିଲେ । ଭିଡ଼ିଓ ଦେଖାଇ ପରେ ବାରମ୍ବାର ସମ୍ପର୍କ ରଖିଥିଲେ । ୨୦୨୧ରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକଭାବେ ନିଯୁକ୍ତି ପାଇଥିଲେ । ପରେ ମଧ୍ୟ ଛାତ୍ରୀଙ୍କୁ ଫୋନ୍ କରି ସମ୍ପର୍କ ରଖିବାକୁ ଡାକୁଥିଲେ । ନଚେତ୍ ସେମାନଙ୍କ ନଗ୍ନ ଫଟୋ ଭାଇରାଲ କରିବେ ବୋଲି ଧମକାଉଥିଲେ । ଏଥିରେ ଛାତ୍ରୀମାନେ ରାଜି ନହେବାରୁ ଶିକ୍ଷକ ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଛାତ୍ରୀଙ୍କ ସହପାଠୀଙ୍କ ମୋବାଇଲକୁ ଛାଡ଼ି ଦେଇଥିଲେ ।
ଭିଡିଓ ଛାତ୍ରୀଙ୍କ ମାଆଙ୍କ ହାତରେ ପଡ଼ିବା ପରେ ୨ଜଣ ଛାତ୍ରୀ ଏ ନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ । ମୋବାଇଲ୍ ଫୋନ୍ ରେକର୍ଡ ଏବଂ ଭାଇରାଲ ଭିଡିଓକୁ ଆଧାରକରି ରଣପୁର ପୁଲିସ ଦୁଷ୍ମର୍ମ ଅଭିଯୋଗରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରଣପୁର ପୁଲିସ ରାଜେଶର ମୋବାଇଲ୍ ଫୋନ୍ ଟ୍ରାକ୍ କରି ଆନ୍ଧ୍ରାରୁ ଫେରି ଓଡ଼ଗାଁର ଭଡ଼ା ଘରେ ବିଶ୍ରାମ ନେଉଥିବା ଜାଣି ଓଡ଼ଗାଁ ପୁଲିସ ସହାୟତାରେ ଉଠାଇ ନେଇଥିଲା । ତା ବିରୋଧରେ ପକ୍ସୋ ଆଧାରରେ ଦୁଇଟି ମାମଲା ରୁଜୁକରି ତଦନ୍ତ କରୁଛି ।