ବେଙ୍ଗାଲୁର: ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ବର୍ତ୍ତମାନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରୁଛି । ତେବେ ‘ପ୍ରଜ୍ଞାନ’ ରବିବାର (ଅଗଷ୍ଟ ୨୭)ରେ ଚନ୍ଦ୍ରପୃଷ୍ଠରେ ଥିବା ଏକ ବିରାଟ ଗର୍ତ୍ତର ସମ୍ମୁଖୀନ ହୋଇଥିଲା ବୋଲି ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଚାରି ମିଟର ବ୍ୟାସାର୍ଦ୍ଧର ଏହି ଗର୍ତ୍ତକୁ ଠାବ କରିବାପରେ ‘ପ୍ରଜ୍ଞାନ’ ତାହାର ଗତିପଥ ବଦଳାଇଥିବା ଜଣାପଡିଛି । ଗର୍ତ୍ତଠାରୁ ୩ ମିଟର ଦୂରରେ ଥିବାବେଳେ ‘ପ୍ରଜ୍ଞାନ’ର ସେନ୍ସର ଏହି ଗର୍ତ୍ତ ସମ୍ପର୍କରେ ସୂଚନା ପାଇଥିଲା । ଫଳରେ ‘ପ୍ରଜ୍ଞାନ’ ଅନ୍ୟ ରାସ୍ତା ଦେି ଆଗକୁ ଅଗ୍ରସର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ।
ଏହାର କିଛି ଘଣ୍ଟା ମଧ୍ୟରେ ‘ବିକ୍ରମ’ରୁ ଅଲଗା ହୋଇଥିଲା ରୋଭର ‘ପ୍ରଜ୍ଞାନ’ । ଏହା ଚନ୍ଦ୍ରପୃଷ୍ଠର ସୀମିତ ଅଞ୍ଚଳରେ ଗତିକରି ବିଭିନ୍ନ ତଥ୍ୟ ଇସ୍ରୋକୁ ପଠାଉଛି । ଚନ୍ଦ୍ରରେ ବାୟୁମଣ୍ଡଳ ନଥିବା ଏବଂ ଏହାର ପୃଷ୍ଠଭାଗରେ ତାପମାତ୍ରା ପାର୍ଥକ୍ୟ ରହୁଛି ବୋଲି ‘ପ୍ରଜ୍ଞାନ’ ସୂଚନା ପଠାଇଛି । ଅବତରଣ ଦିନଠାରୁ ୧୪ ଦିନ ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । କାରଣ ଏହି ସମୟରେ ଚନ୍ଦ୍ରରେ ସୂର୍ଯ୍ୟଙ୍କ କିରଣ ପଡିଥାଏ ଏବଂ ସୂର୍ଯ୍ୟଙ୍କ କିରଣରୁ ‘ପ୍ରଜ୍ଞାନ’କୁ ସୌରଶକ୍ତି ମିଳିଥାଏ । ୧୪ ଦିନ ପରେ ଚନ୍ଦ୍ରରେ ପୁଣି ଅନ୍ଧକାର ଘୋଟିଆସିଲେ ‘ପ୍ରଜ୍ଞାନ’ ଅକାମୀ ହୋଇପଡିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ‘ପ୍ରଜ୍ଞାନ’ ବର୍ତ୍ତମାନ ଠିକ୍ଠାକ୍ କାର୍ଯ୍ୟ କରୁଛି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରିବ ବୋଲି ଅହମ୍ମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାଇ କହିଛନ୍ତି । ଚନ୍ଦ୍ରରେ ମହାକାଶଯାନ ଅବତରଣ କରାଇବାରେ ଆମେରିକା, ରୁଷ୍ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଛି । ପୁନଶ୍ୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ବୋଲି କୁହାଯାଇଛି ।
ଚନ୍ଦ୍ର ଅଭିଯାନକୁ ସ୍ଥଗିତ ରଖିଲା ଜାପାନ
ଜାପାନ ତୃତୀୟ ଥର ପାଇଁ ଏହାର ଚନ୍ଦ୍ର ଅଭିଯାନକୁ ସ୍ଥଗିତ ରଖିଥିବା ଜଣାପଡିଛି । ଖରାପ ପାଣିପାଗ ଯୋଗୁଁ ଜାପାନର ମହାକାଶଯାନ ‘ମୁନ୍ ସ୍ନାଇପର’ର ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଛି ବୋଲି ଜାପାନର ମହାକାଶ ଗବେଷଣା ସଂସ୍ଥା ‘ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସି’ ପକ୍ଷରୁ କୁହାଯାଇଛି । ନାସା ଓ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ଉପଗ୍ରହକୁ ନେଇ ଏଚ୍୨-ଏ ରକେଟ୍ ସୋମବାର ଜାପାନର ତାନେଗାସିମା ଦ୍ୱୀପରୁ ଉତ୍କ୍ଷେପଣ କରାଯିବ ବୋଲି ସ୍ଥିର ହୋଇଥିଲା । ଜାପାନ ଗତବର୍ଷ ଏହାର ମହାକାଶଯାନକୁ ନାସାର ଅଟ୍ରେମିସ୍-୧ ରକେଟ୍ ଯୋଗେ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଚଳିତବର୍ଷ ଏପ୍ରିଲରେ ଦ୍ୱିତୀୟ ଥର ଏହି ଉଦ୍ୟମ କରାଯାଇଥିଲେ ସୁଦ୍ଧା ଲଞ୍ଚିଂ ସମସ୍ୟା ଯୋଗୁଁ ଏହା ମଧ୍ୟ ବିଫଳ ହୋଇଥିବା କୁହାଯାଇଛି ।