ମୁମ୍ବାଇ: ସଇତାନ ସାଜିଲା ସନ୍ତାନ । ମାଆକୁ ହତ୍ୟା କଲା ପୁଅ । ଫିଲ୍ମ ଷ୍ଟାଇଲରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଦେଲା ନାତି । ଏପରି ଲୋମହର୍ଷଣକାରୀ ଘଟଣା ଘଟଛି ମହାରାଷ୍ଟ୍ର ପୁନେ ଅଞ୍ଚଳରେ । ସମ୍ପତ୍ତି ଲୋଭରେ ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇନଥିଲା ପୁଅ । ଜେଜେ ମାଆର ମୃତଦେହକୁ ୯ ଖଣ୍ଡ କରିଦେଲା ନାତି । ବାପା ହିଁ ପୁଅକୁ ଏପରି କାଣ୍ଡ କରିବାକୁ ପ୍ରବର୍ତ୍ତାଇ ଥିଲେ । ଅଭିଯୁକ୍ତ ଜଣକ ହେଲେ ରିପବ୍ଲିକାନ ପାର୍ଟି ମାତଙ୍ଗ ଅଘାଡି ନଗର ସଭାପତି ସନ୍ଦୀପ ଗାଏକ୍ୱାଡ । ମୃତ ମହିଳାଙ୍କ ନାତି ତଥା ସନ୍ଦୀପର ପୁଅ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରୁଛି ପୋଲିସ । ମୃତ ମହିଳା ଜଣକ ଆର୍ମି କ୍ୟାମ୍ପରେ କାର୍ଯ୍ୟ କରୁଥିଲେ । ଅବସର ନେବା ପରେ କେଶବା ନଗରକୁ ଚାଲି ଆସିଥିଲେ । ତେବେ ଶାଶୁ ବୋହୂଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା ।
ଉଭୟଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ତେବେ ଏହି କାଣ୍ଡ ପଛରେ କାରଣ ଥିଲା ସମ୍ପତି । ମୃତ ମହିଳାଙ୍କ ନାମର ଘରର କାଗଜପତ୍ର ରହିଥିବା ବେଳେ ସୁନା ଗହଣା ସବୁ ରହିଥିଲା ତାଙ୍କ ପାଖରେ । ତାହାକୁ ହାତେଇବା ପାଇଁ ଏ କାଣ୍ଡ ଭିଆଇଛି ଜନ୍ମକଲା ପୁଅ । ମାଆକୁ ହତ୍ୟା କରିବା ପାଇଁ ପୁଅ ସହିଲ ଓରଫ ଗୁଡ୍ଡୁ ଗାଇକୱାର୍ଡକୁ କହିଥିଲା । ଏହାପରେ ଉଭୟ ବାପା ପୁଅ ମିଶି ମାଆ ଉଷା ଗାଏକ୍ୱାର୍ଡକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଶେଷରେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନାତି ସହିଲ ବଲିଉଡ ଚଳଚ୍ଚିତ୍ର ଦ୍ରିଶ୍ୟମ ଦେଖିଥିଲା ।
ଏହାପରେ ଅପରାହ୍ନ ପ୍ରାୟ ୩ଟା ବେଳେ ୬୨ ବର୍ଷିୟା ଜେଜେ ମାଆ ଉଷା ଦେବୀ ଘରେ ଏକୁଟିଆ ଶୋଇଥିବ ବେଳେ ନାତି ହାତରେ ଏକ ଇଲେକଟ୍ରିକ୍ କଟର ଧରି ହତ୍ୟା କରିବାକୁ ଆସିଥିଲା । ନାତି ସହିଲ ଅତି ନିର୍ମମ ଭାବେ ଜେଜେ ମାଆଙ୍କୁ ହତ୍ୟା କରିଥିଲା । ପରେ ଜେଜେ ମାଆର ମୃତଦେହକୁ ଗାଧୁଆ ଘରକୁ ଘୋଷାଡି ନେଇ ଇଲେକଟ୍ରିକ୍ କଟର ସାହାଯ୍ୟରେ ୯ ଖଣ୍ଡ କରି କାଟି ଦେଇଥିଲା । ଏହାପରେ ଜେଜେ ମାଆର ଖଣ୍ଡ ଖଣ୍ଡ ମୃତଦେହକୁ ବ୍ୟାଗରେ ରଖିଥିଲା । ଏହି ହତ୍ୟା ଘଟଣାରେ ଉଭୟ ବାପା ପୁଅଙ୍କୁ କୋର୍ଟ ଚାଲଣ କରିବା ପରେ ଘଟଣାର ଅଧିକ ତଦନ୍ତ କରିବା ପାଇଁ ରିମାଣ୍ଡରେ ଆଣିଛି ପୋଲିସ ।