ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏବଂ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନ୍ ଗୁରୁବାର ସକାଳେ ତିହାର ଜେଲ୍ର ୱାଶ୍ରୁମ୍ରେ ତଳେ ପଡ଼ିଯାଇଛନ୍ତି । ତାଙ୍କୁ ତୁରନ୍ତ ଦୀନ ଦୟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଅପରାହ୍ଣ ପ୍ରାୟ ୧୨ଟା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଲୋକ୍ନାରାୟଣ ଜୟପ୍ରକାଶ ହସ୍ପିଟାଲ୍ (ଏଲ୍ଏନ୍ଜିପି) ସ୍ଥାନାନ୍ତର କରାଯାଇଛି । ଏବେ ସେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି । ଜିହାର ଜେଲ୍ ଅଧିକାରୀଙ୍କ ଅନୁସାରେ ଗୁରୁବାର ସକାଳ ପ୍ରାୟ ୬ଟା ବେଳେ ସେ ଜେଲ୍ ନଂ. ୭ର ଇନ୍ସପେକ୍ସନ୍ ରୁମ୍ରେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ ।
ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ସେଠାରେ ଅବ୍ଜର୍ଭେସନ୍ରେ ରଖାଯାଇଥିଲା । ପ୍ରାଥମିକ ଯାଞ୍ଚ୍ରେ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ୍ ଠିକ୍ ଭାବେ କାମ କରୁଥିବା ଜଣାପଡ଼ିଥିଲା । ତେବେ ପିଠି, ବାମଗୋଡ଼ ଏବଂ କାନ୍ଧରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଛି । ଏହାକୁ ମିଶାଇ ସତ୍ୟେନ୍ଦ୍ର ଜୈନ୍ଙ୍କ ଏକ ସପ୍ତାହ ମଧ୍ୟରେ ତିନିଥର ହସ୍ପିଟାଲ୍ ନିଆଯାଇଛି । ଏହା ପୂର୍ବରୁ ମେରୁଦଣ୍ଡରେ ସମସ୍ୟା ଦେଖାଦେବାରୁ ତାଙ୍କୁ ମେ’ ୨୨ ତାରିଖରେ ସଫ୍ଦରଜଙ୍ଗ ହସ୍ପିଟାଲ୍ ନିଆଯାଇଥିଲା । ଏହି ସମାନ ସମସ୍ୟା କାରଣରୁ ୨୦ ତାରିଖରେ ମଧ୍ୟ ତାଙ୍କୁ ଦୀନ ଦୟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।