ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ପତି ପତ୍ନୀ ମଧ୍ୟରେ ଲାଗି ରହିଥିଲା ଝଗଡା । ଆଉ ଆଜି (ସୋମବାର) କୂଅରୁ ଠାବ ହୋଇଛି ପତ୍ନୀର ମୃତଦେହ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତ ମହିଳାଙ୍କୁ ହତ୍ୟା ପରେ କୂଅରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗରା ଗ୍ରାମ ତଳସାହିର ଟଙ୍କଧର ନାଏକଙ୍କୁ ରାସୋଳ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାସନ୍ତୀ ନାଏକ ୧୦ବର୍ଷ ପୂର୍ବେ ବିବାହ କରିଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ଟଙ୍କଧର ବାସନ୍ତୀଙ୍କୁ ମାରପିଟ କରିବା ସହିତ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ବାସନ୍ତୀଙ୍କୁ ମାରିଦେବାର ଧମକ ଦେବାସହ ବାସନ୍ତୀଙ୍କ ବାପାଘର ଲୋକଙ୍କୁ ଫୋନ କରି ତାଙ୍କ ଝିଅକୁ ଏଠାରୁ ନେଇ ଯିବାକୁ କହିଥିଲା । ଏହାସହ ଯଦି ଝିଅକୁ ନ ନିଅନ୍ତି ତେବେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା ଟଙ୍କଧର । ସେପଟେ ବାସନ୍ତୀଙ୍କ ଭାଇ ଗତକାଲି ସନ୍ଧ୍ୟାରେ ଭଉଣୀ ସହିତ ଫୋନରେ କଥା ହୋଇଥିଲେ ।
ସ୍ୱାମୀ ତାଙ୍କୁ ବାରମ୍ବାର ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ନିର୍ଯାତନା ଦେଉଥିବା ନେଇ ନିଜ ଭାଇକୁ ଜଣାଇଥିଲେ । ଭାଇ ବାସନ୍ତୀଙ୍କୁ ବୁଝାଇବା ସହ ସକାଳୁ ଯାଇ ତାଙ୍କୁ ଘରକୁ ଆଣିବା ପାଇଁ କହିଥିଲେ । ହେଲେ ଭଉଣୀ ସାଥିରେ ତାହା ଭାଇର ଶେଷ କଥା ଥିଲା । ରାତି ୨ଟାରେ ବାସନ୍ତୀଙ୍କ ବାପାଘର ଲୋକଙ୍କୁ ଖବର ଆସିଥିଲା ଯେ, ବାସନ୍ତୀ ଜୀବନ ହାରିଛନ୍ତି । ସେପଟେ ବାସନ୍ତୀଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ସକାଳେ ଘଟଣସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ ବାସନ୍ତୀଙ୍କ ପରିବାର ଲୋକ । ପୋଲିସ ମୃତଦେହ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବାସନ୍ତୀଙ୍କୁ ଟଙ୍କଧର ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ବାସନ୍ତୀଙ୍କ ବାପାଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଟଙ୍କଧରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ବାସନ୍ତୀଙ୍କ ପରିବାର ଲୋକ । ସେପଟେ ଅଭିଯୋଗ ପରେ ତୁମୁସିଙ୍ଗା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।