ନ୍ୟୁୟର୍କ: ଭାରତର ଷ୍ଟାର୍ ଖେଳାଳି ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ଯୋଡ଼ିଦାର ରାଜୀବ ରାମ ୟୁଏସ୍ ଓପନ୍ ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡ୍ରେ ପରାଜିତ ହୋଇଯାଇ ବାଦ୍ ପଡ଼ିଛନ୍ତି । ଅଣସିଡେଡ୍ ଇଣ୍ଡୋ-ଆମେରିକୀୟ ଯୋଡ଼ି ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ୟୁକ୍ରେନ୍ର ଡାଏନା ୟାସ୍ତ୍ରେମ୍ସ୍କା ଓ ଅଷ୍ଟ୍ରେଲିଆର ମାକ୍ସ ପରସେଲ୍ଙ୍କଠାରୁ ୬୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍ରେ ୩-୬, ୬-୩, ୭-୧୦ରେ ହାରି ଯାଇଛନ୍ତି । ସାନିଆ ଓ ରାମଙ୍କ ଯୋଡ଼ି ୩ଟି ବ୍ରେକ୍ ପଏଣ୍ଟ ମଧ୍ୟରୁ ଗୋଟିଏର ଉପଯୋଗ କରିବାରେ ସମର୍ଥ ହୋଇଥିଲେ । ଏହି ପରାଜୟ ସହ ବର୍ଷର ଶେଷ ଗ୍ରାଣ୍ଡ୍ସ୍ଲାମ୍ରେ ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଛି ।
ଏହା ପୂର୍ବରୁ ସେ ଆମେରିକାର କୋକା ୱାଣ୍ଡେୱାଗେଙ୍କ ସହିତ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡ୍ରେ ପରାଜିତ ହୋଇଥିଲେ । ୟୁଏସ୍ ଓପନ୍ ପୂର୍ବରୁ ସାନିଆ ତାଙ୍କ ଆମେରିକୀୟ ଯୋଡ଼ିଦାର କ୍ରିଷ୍ଟିନା ମାକ୍ହଲ୍ଙ୍କ ସହିତ ଡବ୍ଲ୍ୟୁଟିଏ ୨୫୦ ଟେନିସ୍ ପ୍ରତିଯୋଗିତାରେ ଉପବିଜେତା ହୋଇଥିଲେ । କ୍ୱିନ୍ସଲାଣ୍ଡରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସାନିଆ-କ୍ରିଷ୍ଟିନା ଯୋଡ଼ିକୁ ଜାପାନର ଶୁକୋ ଆୟୋମା ଓ ଏନା ଶିବାହାରାଙ୍କ ଟପ୍ ସିଡ୍ ଯୋଡ଼ି ହରାଇ ଦେଇଥିଲେ । ଅନ୍ୟପକ୍ଷରେ ଭାରତର ରୋହନ ବୋପନ୍ନା ଓ ତାଙ୍କ କ୍ରୋଏସିଆ ସାଥୀ ଖେଳାଳି ଇଭାନ୍ ଡୋଡିଗ୍ ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡ୍ରେ ଏହି ଯୋଡ଼ି ଜେମ୍ସ ଡକ୍ୱର୍ଥ ଓ ଜୋର୍ଡାନ୍ ଥମ୍ପସନ୍ଙ୍କୁ ୩-୬, ୬-୩, ୭-୬ )୭/୧)ରେ ହରାଇ ଦେଇଥିଲେ ।