ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆମେଠିରେ ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ନିର୍ଧୁମ ମାଡ ମାରିଛନ୍ତି ବିରୋଧୀ ଦଳ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଓ ତାଙ୍କ ସମର୍ଥକ । ସ୍ଥିତି ଏମିତି ଥିଲା ବିଧାୟକ ଓ ତାଙ୍କ ସମର୍ଥକଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ଆୟତ କରିବା ଓ ସମ୍ପୃକ୍ତ ବିଜେପି ନେତାଙ୍କୁ ଉଦ୍ଧାର କରିବାରେ ପୋଲିସକୁ ମଧ୍ୟ କିଛି ସମୟ ଲାଗିଥିଲା । ସଂଘବଦ୍ଧ ମାଡରେ ବିଜେପି ନେତାଜଣଙ୍କ ଆହତ ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସ୍ଥାନୀୟ ମହାନଗର ନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରଶ୍ମୀ ସିଂଙ୍କ ସ୍ୱାମୀ ଦୀପକ ସିଂଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ ସମାଜବାଦୀ ପାର୍ଟି ବିଧାୟକ ରାକେଶ ପ୍ରତାପ ସିଂ ଓ ତାଙ୍କ ସମର୍ଥକ ।
ଗୌରୀଗଞ୍ଜ ଥାନା ପରିସରରେ ଏହି ଆକ୍ରମଣ ହୋଇଛି । ଦୀପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାୟକ ରାକେଶ ପ୍ରତାପ ଓ ତାଙ୍କ ସମର୍ଥକ ଥାନା ପରିସରରେ ଧାରଣାରେ ବସିଥିଲେ । ବିଜେପି ନେତା ଦିପକ ସିଂ ସେଠାରେ ପହଞ୍ଚିବା ପରେ କୌଣସି କାରଣରୁ ତିକ୍ତତା ହୋଇଥିଲା । ତାଙ୍କୁ ବିଧାୟକ ଅତର୍କିତ ମାଡ ମାରିଥିଲେ । ବିଧାୟକଙ୍କ ପରେ ପୋଲିସ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ମଧ୍ୟ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୋଲିସ କର୍ମୀମାନେ ଦୀପକଙ୍କୁ ବିଧାୟକ ଓ ତାଙ୍କ ସମର୍ଥକଙ୍କ କବଳରୁ ଉଦ୍ଧାର କରି ଥାନା ଭିତରକୁ ନେଇଥିଲେ । ସମାଜବାଦୀ ବିଧାୟକ ରାକେଶ ପ୍ରତାପଙ୍କ ଅଭିଯୋଗ ଅନୁସାରେ, ଦୀପକ ସିଂ ଓ ତାଙ୍କର କିଛି ସମର୍ଥକ ବିଧାୟକଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ । ଏହି ମାମଲା ଏବେ ଥାନାରେ ପହଞ୍ଚିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସେ ତା ବିରୋଧରେ ଥାନା ପରିସରରେ ଧାରଣା ଦେଇଥିଲେ । ହେଲେ ଏହି ସମୟରେ ଦୀପକ ସିଂ ସେଠାରେ ପହଞ୍ଚି କିଛି ଗାଳିଗୁଲଜ କରିଥିଲେ । ଏଥିରେ ତାଙ୍କ ଦଳର ଧାରଣା ଦେଇଥିବା କର୍ମୀ ଉତ୍ତେଜିତ ହୋଇପଡିଥିଲେ ।