ନୂଆଦିଲ୍ଲୀ: ଦିଲ୍ଲୀ ବିଧାୟକଙ୍କ ବେତନରେ ୬୬ ପ୍ରତିଶତ ବୃଦ୍ଧି ଘଟିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ପ୍ରଦତ୍ତ ସୁପାରିସକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଥିବା ଜଣାପଡିଛି । ବର୍ତ୍ତମାନ ଦିଲ୍ଲୀର ଜଣେ ବିଧାୟକ ମାସିକ ୫୪ ହଜାର ବେତନ ପାଉଥିବାବେଳେ ଏହା ୯୦ ହଜାରକୁ ବୃଦ୍ଧି ପାଇବ । ମୂଳ ବେତନ ୧୨ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଥିବାବେଳେ ମହଙ୍ଗା ଭତ୍ତା ୧୦୦୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ବିଧାନସଭାର ମୋଟ ୭୦ ବିଧାୟକଙ୍କ ମଧ୍ୟରୁ ଆପ୍ର ୬୭ ବିଧାୟକ ରହିଛନ୍ତି । ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀ ବିଧାୟକଙ୍କ ବତନକୁ ବୃଦ୍ଧି କରାଯାଇଛି ।
୨୦୨୩ ଫେବୃଆରୀ ୧୩ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ବେତନ ବୃଦ୍ଧି ସତ୍ତ୍ୱେ ଦିଲ୍ଲୀ ବିଧାୟକମାନେ ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ କମ ବେତନ ପାଇବେ ବୋଲି ଜଣାପଡିଛି । ଉତ୍ତରାଖଣ୍ଡରେ ବିଧାୟକଙ୍କୁ ମାସିକ ୧.୯୮ ଲକ୍ଷ, ହରିୟାଣାରେ ୧.୫୫ ଲକ୍ଷ, ବିହାରରେ ୧.୩ ଲକ୍ଷ ଏବଂ ରାଜସ୍ଥାନରେ ୧.୪୨ ଲକ୍ଷ ଟଙ୍କା ମିଳୁଥିବାବେଳେ ତେଲେଙ୍ଗାନା, ହିମାଚଳ ପ୍ରଦେଶ, କେରଳ ଓ ଆନ୍ଧ୍ର ବିଧାୟକଙ୍କୁ ଅପେକ୍ଷାକୃତ ଅଧିକ ବେତନ ମିଳୁଛି ।
ସୂଚନାଯୋଗ୍ୟ ବିଧାୟକଙ୍କ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ବେତନରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଜଣାପଡିଛି । ଏହି ତିନିଜଣ ମାସକୁ ୭୨ ହଜାର ଲେଖାଏଁ ପାଉଥିବାବେଳେ ଏଣିକି ୧.୭୦ ଲକ୍ଷ ଟଙ୍କା ପାଇବେ ବୋଲି କୁହାଯାଇଛି । ଏ ସମ୍ପର୍କିତ ପ୍ରସ୍ତାବକୁ ଦିଲ୍ଲୀ ବିଧାନସଭାରେ ଅନୁମୋଦିତ ହୋଇସାରିଥିବାବେଳେ ମଞ୍ଜୁରୀ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି । ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିନଥିବାରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ଓ ବିଧାୟକଙ୍କ ବେତନ ବୃଦ୍ଧି ପ୍ରସଙ୍ଗରେ ରାଷ୍ଟ୍ରପତି ହିଁ ନିଷ୍ପତ୍ତି ନେଇଥାନ୍ତି ।