ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ବର୍ତ୍ତମାନ ଆନ୍ତର୍ଜାତିକ ସର୍କିଟରେ ଜଣେ ଖଳନାୟକଭାବେ ମାନ୍ୟତାଲାଭ କରୁଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତିି ପୁଟିନଙ୍କ ପ୍ରେମିକା ଆଲିନା କାବାଇଭା । ୩୮ ବର୍ଷୀୟା ଆଲିନା ଜଣେ କ୍ରୀଡାବିତ୍ ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଜିମ୍ନାଷ୍ଟିକ୍ରେ ସ୍ୱର୍ଣ୍ଣପଦକ ଜିତିଥିଲେ । ବିଗତ ଦଶ ବର୍ଷ ହେବ ପୁଟିନଙ୍କ ଜୀବନର ପରିଧିକୁ ଆସିଛନ୍ତି ଆଲିନା । ଆଲିନା ବର୍ତ୍ତମାନ ପାର୍ଲାମେଣ୍ଟ ସଦସ୍ୟଭାବେ ମଧ୍ୟ କାର୍ଯରତ ଅଛନ୍ତି । ପୁଟିନ୍ଙ୍କ ସହ ସମ୍ପର୍କରୁ ଆଲିନା ୩ଟି ସନ୍ତାନର ଜନ୍ମଦାତ୍ରୀ ମଧ୍ୟ ପାଲଟିଛନ୍ତି । ଯୁଦ୍ଧ ଆରମ୍ଭ ହେବାପରଠାରୁ ପିଲାଙ୍କ ସହ ଆଲିନା ସ୍ୱିଜରଲାଣ୍ଡକୁ ଚାଲିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଲିନାଙ୍କୁ ତୁରନ୍ତ ଦେଶରୁ ବିତାଡିତ କରିବାକୁ ରୁଷ୍, ୟୁକ୍ରେନ୍ ଓ ବେଲାରୁଷ୍ର ପ୍ରାୟ ୫୦ ହଜାର ନାଗରିକ ସ୍ୱିଜରଲାଣ୍ଡ ସରକାରଙ୍କୁ ଏକ ସ୍ମାରକପତ୍ର ପଠାଇଛନ୍ତି । ତେବେ ଆଲିନାଙ୍କୁ ସର୍ବସାଧାରଣ ସ୍ଥାନରେ କ୍ୱଚିତ ଦେଖିବାକୁ ମିଳିଥାଏ ।