27.1 C
Bhubaneswar
Monday, March 17, 2025
Homeଓଡିଶାଗୃହରେ ହଙ୍ଗାମା, ବାହାରେ ଧାରଣା; ସାତ ଦିନ ପାଇଁ ତାରା ବାହିନୀପତି ନିଲମ୍ୱିତ

ଗୃହରେ ହଙ୍ଗାମା, ବାହାରେ ଧାରଣା; ସାତ ଦିନ ପାଇଁ ତାରା ବାହିନୀପତି ନିଲମ୍ୱିତ

– ଶାସକ-ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା
– ମହିଳା ନିର୍ଯାତନା ବୃଦ୍ଧି ନେଇ କଂଗ୍ରେସର ହୋହଲ୍ଲା, ନାରାବାଜି
– ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡିର ଧାରଣା

ଭୁବନେଶ୍ୱର : ଥମୁନାହିଁ ଝଡ଼। ଗୃହରେ ହଙ୍ଗାମା, ବାହାରେ ଧାରଣା। ପୂର୍ବ ଦୁଇଦିନ ଭଳି ମଙ୍ଗଳବାର ବି ବିରୋଧୀଙ୍କ ଯୋଗୁଁ ଗୃହ ହୁଲସ୍ତୁଲ ହୋଇଛି। କଂଗ୍ରେସ ସଭ୍ୟମାନେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ନାରାବାଜି ସହ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ସଭ୍ୟ ତାରା ବାହିନୀପତି। ଏହାକୁ ଶାସକ ସଭ୍ୟ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ଏପରିକି ଶାସକ ଦଳର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର ବିରୋଧୀ ଦଳର ବରିଷ୍ଠ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ସାର୍ଟ କଲର୍ ଧରି ପକାଇଥିଲେ। ଗୃହର ଅସ୍ୱାଭାବିକ ସ୍ଥିତି ଭିତରେ ଗୃହକୁ ବାରମ୍ବାର ମୁଲତବୀ କରିବା ସହ ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦାୟୀ କରି ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ତେବେ ବାଚସ୍ପତିଙ୍କର ଏହି ଏକପାଖିଆ ନିଷ୍ପତ୍ତିକୁ ବୋଲି ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲାବେଳେ ବିରୋଧୀ ବିଜେଡି ସଭ୍ୟ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହ ଲଣ୍ଠନ ଧରି ଅଭିନବ ପ୍ରତିବାଦ କରିଛନ୍ତି।

ସୋମବାର ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି କଂଗ୍ରେସ ସଭ୍ୟମାନେ ଗୃହ ମଝିକୁ ଆସି ପ୍ଲକାର୍ଡ଼ ଧରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ଉପରେ ଆଲୋଚନା ଦାବିରେ ପୂର୍ବ ଦିନ ଭଳି ହୋହଲ୍ଲା କରିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିଅମ୍ ଉପରକୁ ଉଠିବାକୁ ଚେଷ୍ଟା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚଢ଼ି ତାଙ୍କ ମାଇକ୍ ବନ୍ଦ୍ କରିଦେବାକୁ ଉଦ୍ୟମ କରିଥିଲେ। ମାତ୍ର ବାଚସ୍ପତି ତାଙ୍କ କଥା କିଛି ନ ଶୁଣି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରଖିଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିଜ ଆସନରେ ଛିଡ଼ା ହୋଇ ଏକ ପ୍ରଶ୍ନର ଉତ୍ତର ରଖୁୁଥିଲା ବେଳେ କଂଗ୍ରେସ ସଭ୍ୟ ତାରା ତାଙ୍କ ଆସନ ପାଖକୁ ଆସି ଉତ୍ତର ବନ୍ଦ୍ କରିବାକୁ ହାତଯୋଡ଼ି ନିବେଦନ କରିଥିଲେ। ମାତ୍ର ମନ୍ତ୍ରୀ ବି ତାଙ୍କ କଥା ଶୁଣି ନଥିଲେ। ସେ ଉତ୍ତର ପଢ଼ିବା ଜାରି ରଖିବାରୁ କ୍ଷୁବ୍ଧ ତାରା ମନ୍ତ୍ରୀ ଧରିଥିବା କାଗଜପତ୍ରକୁ ଛଡ଼ାଇ ଆଣିବାକୁ ଉଦ୍ୟମ କରିବା ସହ ତାଙ୍କ ମାଇକ୍‌କୁ ମୋଡ଼ି ଦେଇଥିଲେ। ଏହି ସମୟରେ ଶାସକ ବିଜେପି ବିଧାୟକମାନେ ଗୃହ ମଝିକୁ ଆସି ତାରାଙ୍କୁ ଅଟକାଇ ଥିଲେ। ଗୃହର କାର୍ଯ୍ୟ ଅଲବତ ଚାଲିବ ଓ ମନ୍ତ୍ରୀ ତାଙ୍କର ଉତ୍ତର ରଖିବେ ବୋଲି ସେମାନେ ଜିଦ୍ ଧରି କରିଥିଲେ। ଇତ୍ୟବସରେ ଅନ୍ୟ କଂଗ୍ରେସ ସଭ୍ୟମାନେ ପ୍ରବଳ ନାରାବାଜି କରିବା ସହ ହଟ୍ଟଗୋଳ କରିଥିଲେ। ଠିକ୍ ଏହି ସମୟରେ ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ତାରାଙ୍କ ସାର୍ଟ କଲର୍ ଧରି ଠେଲାପେଲା କରିଥିଲେ। ଗୃହର ମଧ୍ୟଭାଗରେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନଙ୍କ ମଧ୍ୟରେ ଠେଲାପେଲା, କାଗଜ ଫିଙ୍ଗା ଫୋପଡ଼ା ଚାଲିଥିଲେ ହେଁ ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ଆସନରେ ସେମିତି ବସିରହିଥିଲେ। ବିରୋଧୀ ସଭ୍ୟଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବା ପାଇଁ ବାରମ୍ବାର ସେ ଅନୁରୋଧ କରିଥିଲେ ହେଁ ବିରୋଧୀ ଦଳ ସଦସ୍ୟମାନେ କୌଣସି କର୍ଣ୍ଣପାତ କରି ନ ଥିଲେ। ଏହା ପରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ଏଗାରଟା୯ରୁ ୧୨ଟା ୯ଯାଏ ମୁଲତବୀ କରିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ଼ ଧରି ଧାରଣାରେ ବସିଥିଲେ। ଗୃହ ପରିଚାଳନାରେ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ସେମାନେ ପ୍ରଶ୍ନ କରିବା ସହ ଜୟନାରାୟଣଙ୍କ ସହ ଅନ୍ୟ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ। ପୁଣି ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ସଭ୍ୟ ଅନୁରୂପ ବିରୋଧ ଓ ହଙ୍ଗମା କରିଥିଲେ। ବାଚସ୍ପତି ପୁଣି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

ଦିନତମାମ ବିଧାନସଭା ଅଚଳ ଥିବାବେଳେ ସଂଧ୍ୟାରେ ବାଚସ୍ପତି ଦଣ୍ଡାଦେଶ ଶୁଣାଇ ବିଶୃଙ୍ଖଳିତ ଆଚରଣ ପାଇଁ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଏକପାଖିଆ ଓଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇ ତାରା ଗୃହ ଛାଡ଼ି ନ ଥିଲେ। ମାତ୍ର ମାର୍ଶାଲଙ୍କ ସହାୟତାରେ ବାଚସ୍ପତି ତାଙ୍କୁ ଗୃହରୁ ବାହାର କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ସମର୍ଥନରେ ବିଜେଡି ସଭ୍ୟମାନେ ଜୟନାରାୟଣଙ୍କ ବରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ଗୃହ ବହାରେ ଗଣମାଧ୍ୟମ ଆଗରେ କଂଗ୍ରେସ ସଭ୍ୟ ତାରା ପ୍ରାସାଦ ବାହିନୀପତି କହିଥିଲେ, ଗଣତନ୍ତ୍ର ଏଠି ଭୁଷୁଡ଼ି ପଡ଼ିଛି। ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ବାଚସ୍ପତି ଏକପାଖିଆ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଆମ ଦଳ ବିରୋଧ ଜାରି ରଖିବ ବୋଲି ପ୍ରକାଶ କରିଥିଲେ। ବିଜେଡିର ବରିଷ୍ଠ ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କହିଥିଲେ, ବିଜେପିର ଜଣେ ବରିଷ୍ଠ ସଭ୍ୟ ଏଭଳି ଦାୟିତ୍ୱହୀନ ଓଡ଼ିଶା ବିଭାଜନ ପ୍ରସଙ୍ଗ ଉଠାଇଥିଲାବେଳେ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କଣ ପାଇଁ ଚୁପ୍ ବସି ରହିଛନ୍ତି, ତାହା ବୁଝାପଡୁନି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ବିଜେଡି ସଭ୍ୟ ଅରୁଣ କୁମାର ସାହୁ କହିଥିଲେ, ବିକଶିତ ଓଡ଼ିଶା ସ୍ୱପ୍ନ ଦେଖୁଥିବା ବିଜେପି ଏବେ ଓଡ଼ିଶାକୁ ବିଖଣ୍ଡିତ କରିବାକୁ ଯାଉଛି। ଧନ୍ୟ ଏହି ଦଳ, ଧନ୍ୟ ଏହି ସରକାର ବୋଲି ସେ କଟାକ୍ଷ କରିଥିଲେ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ଟାର୍ଗେଟ୍ କରି ବିଜେପିର ସଭ୍ୟ ଟଙ୍କଧର ତ୍ରିପାଠୀ କହିଥିଲେ, ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ମହିଳା ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପବିତ୍ର ଗଣତନ୍ତ୍ରରେ ଏପରି ହୁଏ ନାହିଁ। ଏଥିପାଇଁ କଂଗ୍ରେସ ସଭ୍ୟମ।।ନେ କ୍ଷମା ମାଗିବା ଉଚିତ ବୋଲି ପ୍ରକାଶ କରିଥିଲେ। ସେହିପରି ବରିଷ୍ଠ ବିଜେପି ସଭ୍ୟ ବାବୁ ସିଂ କହିଥିଲେ, ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଅସହିଷ୍ଣୁ ହୋଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଏହା ଠିକ୍ ନୁହେଁ। ଏଥିଯୋଗୁଁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଲୋଚନା ହୋଇନାରୁନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking