ରାଉରକେଲା : ରାଉରକେଲାର ସେକ୍ଟର-୨୦ ବସ୍ତିରେ ମରଣାତ୍ମକ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବସ୍ତି ବାସିନ୍ଦା ଥାନାରେ ଶବ ରଖି ଧାରଣରେ ବସିଛନ୍ତି । ଏହାକୁ ନେଇ ଝିରପାଣି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରି ଦୁଇ ଦିନ ପୂର୍ବରୁ କୋର୍ଟ ଚାଲାଣ କରିଥିଲା ।
ସୂଚନା ଅନୁଯାୟୀ, ଗତ ଚାରି ଦିନ ତଳେ ବୈକୁଣ୍ଠ ଘାଟ ବସ୍ତିରେ ଆରଏସି ଜାଗାକୁ କେନ୍ଦ୍ର କରି ମାରପିଟ ହୋଇଥିଲା । କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ବସ୍ତିର ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଯୁବକଙ୍କ ଶବକୁ କଟକରୁ ସିଧାସଳଖ ଝିରପାଣି ଥାନାକୁ ଆଣି ନେଇଆସିଥିଲେ ।