କୁମାମୋତା : ଭାରତୀୟ ଷ୍ଟାର୍ ଶଟ୍ଲର୍ ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ଜାପାନ ମାଷ୍ଟର୍ସ ସୁପର୍ ୫୦୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରୁ ଗୁରୁବାର ବିଦାୟ ନେଇଛନ୍ତି । ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇ ଫେରିଥିବା ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ବିଜେତା ପ୍ରଣୟ ୭୩ ମିନିଟ୍ର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ବିଶ୍ୱ ମାନ୍ୟତାର ୧୨ ନମ୍ବର ଖେଳାଳି ଚୀନା ତାଇପେଇର ଚୋଉ ତିଏନ୍ ଚେନ୍ଙ୍କ ଠାରୁ ୨୧-୧୯, ୧୬-୨୧, ୧୯-୨୧ରେ ପରାଜିତ ହୋଇଛନ୍ତି ।
ପ୍ରଣୟଙ୍କ ପରାଜୟ ପରେ ଟୁର୍ଣ୍ଣାମେଣ୍ଟ୍ରେ ଭାରତର ଅଭିଯାନ ଶେଷ ହୋଇଛି । ବିଶ୍ୱ ମାନ୍ୟତାର ଆଠ ନମ୍ବର ଖେଳାଳି ପ୍ରଣୟ ପ୍ରଥମ ଗେମ୍ରେ ନିୟନ୍ତ୍ରଣ ହାସଲ କରି ୪-୦ର ପ୍ରାରମ୍ଭିକ ଅଗ୍ରଣୀ ସହିତ ବ୍ରେକ୍ ବେଳକୁ ୧୧-୮ରେ ଆଗୁଆ ରହିଥିଲେ । ପ୍ରତ୍ୟାବର୍ତ୍ତନ ପାଇଁ ଚେନ୍ ପ୍ରୟାସ ଚଳାଇଥିଲେ ମଧ୍ୟ ପ୍ରଣୟ ଗେମ୍କୁ ୨୧-୧୯ରେ ଜିତି ନେଇଥିଲେ । ଦ୍ୱିତୀୟ ଗେମ୍ରେ ଚେନ୍ ଦ୍ରୁତ ଭାବେ ୫-୦ର ପ୍ରାରମ୍ଭିକ ଅଗ୍ରଣୀ ଲାଭ କରିଥିଲେ ।
ପ୍ରଣୟ ୧୦-୧୦ରେ ସ୍ଥିତି ସମାନ କରିଥିଲେ ମଧ୍ୟ ଚେନ୍ ଲଗାତାର ୪ ପଏଣ୍ଟ୍ ହାସଲ କରି ଅଗ୍ରଣୀ ଲାଭ କରିଥିଲେ । ଏହା ପରେ ଦ୍ରୁତ ପଏଣ୍ଟ୍ ସଂଗ୍ରହ କରି ଗେମ୍ ଜିତିବା ସହିତ ମ୍ୟାଚ୍ ୧-୧ ସ୍ଥିତିକୁ ନେଇ ଆସିଥିଲେ । ନିର୍ଣ୍ଣାୟକ ଗେମ୍ରେ ଚେନ୍ ଏକଦା ୧୨-୪ରେ ଥିବାବେଳେ ପ୍ରଣୟ ତାଙ୍କ ଫାଇଟ୍ ବ୍ୟାକ୍ କରି ୧୯-୧୯ରେ ସ୍ଥିତି ସମାନ କରିଥିଲେ । ମାତ୍ର ପ୍ରତ୍ୟାବର୍ତ୍ତନ କରି ଚେନ୍ ୨୧-୧୯ରେ ଗେମ୍ ସହିତ ମ୍ୟାଚ୍ ଜିତି ନେଇଥିଲେ ।