ଲକ୍ଷ୍ନୌ : ଇକାନା ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମ୍ୟାଚରେ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ସ୍ଥିତି ମଜଭୁତ କରିବ । ଅପରପକ୍ଷରେ ଇଂଲଣ୍ଡ ଏହି ମ୍ୟାଚକୁ ଜିତି ଏହି ଆଶା ଉଜ୍ଜୀବୀତ ରଖିବାକୁ ଚାହିଁବ । ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଥିବା ବେଳେ ଚାମ୍ପିୟନ ଇଂଲଣ୍ଡ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ଏହି ଷ୍ଟାଡିୟମରେ ରୋହିତ ଶର୍ମା ଏକ ଖାସ ଶତକ ପୂରଣ କରିବାକୁ ଯାଉଛନ୍ତି । ସେ ଆଜି ପଡିଆକୁ ଓହ୍ଲାଇବା ମାତ୍ରେ ୧୦୦ତମ ମ୍ୟାଚରେ ଅଧିନାୟକତ୍ୱ କରିବା ଗୌରବ ଅର୍ଜନ କରିବେ । ତାଙ୍କ ନେତୃତ୍ୱରେ ଭାରତ ୭୩ ମ୍ୟାଚରେ ଜିତିଥିବା ବେଳେ ୨୩ରେ ପରାଜିତ ହୋଇଛି । ଗତ ବିଶ୍ୱକପରେ ୫ ଶତକ ମାରିଥିବା ରୋହିତ ଏଥର ମଧ୍ୟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ୬୨.୨୦ ଆଭରେଜରେ ୧୩୩.୪୭ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ସେ ଯଦି ଏହି ମ୍ୟାଚରେ ଆଉ ୪୭ ରନ ସଂଗ୍ରହ କରିବେ ତେବେ ଆନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ ପୂର୍ଣ୍ଣ କରିବେ । ଗତ ଥର ସେ ଇକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚରେ ଶତକ ହାସଲ କରିଥିଲେ । ଇଂଲଣ୍ଡ ଭଲ ଫର୍ମରେ ନ ଥିବାରୁ ଭାରତ ପଲା ଭାରି ରହିଛି । ବିରାଟ କୋହଲି, ରୋହିତ ଏବଂ କେଏଲ ରାହୁଲ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କେଉଁ ରଣନୀତି ଆପଣାଇବା ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ତେବେ ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ସାମୀଙ୍କୂ ପୂର୍ବ ମ୍ୟାଚ ପରି ଖେଳାଯିବା ଆଶା କରାଯାଉଛି ।