ସୋରଡ଼ା : ସୋରଡ଼ା ଏନ୍ଏସିର ବଡ଼ଦାଣ୍ଡ ସାହିରେ ଥିବା ଏକ ସୂତା ଦୋକାନରୁ ବଡ଼ ଧରଣର ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଦୋକାନରେ ପଶିବା ସହ ମାଲିକଙ୍କୁ ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଓ ୨୫ ଭରି ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ସୋରଡ଼ା ଏନ୍ଏସିର ବଡ଼଼ଦାଣ୍ଡ ସାହିରେ ଦୀନବନ୍ଧୁ ଚୌଧୁରୀଙ୍କ ଏକ ବହୁ ପୁରାତନ ସୂତା ଦୋକାନ ରହିଛି । ଦୀନବନ୍ଧୁ ଦୋକାନରେ ଥିବାବେଳେ ରବିବାର ଭୋର ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ସେଠାକୁ ଆସିଥିଲେ ।
ବ୍ୟାଗ୍ କିଣିବା ବାହାନାରେ ଦୋକାନ ମାଲିକ ଦୀନବନ୍ଧୁଙ୍କୁ ଡାକିଥିଲେ । ଦୀନବନ୍ଧୁ କବାଟ ଖୋଲିବା ପରେ ଦୁର୍ବୃତ୍ତମାନେ ଘରେ ପଶିବା ସହ ଭିତରପଟୁ ଦୋକାନର ଗେଟ୍ ବନ୍ଦ କରି ଦେଇଥିଲେ । ମାଲିକ ଦୀନବନ୍ଧୁଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ହାତକୁ ବାନ୍ଧି ଦେଇଥିଲେ । ଘରେ ବାପା, ମା’ ଓ ପୁଅ ରହୁଥିବା ବେଳେ ସେମାନଙ୍କ ହାତକୁ ମଧ୍ୟ ବାନ୍ଧି ଦେଇଥିଲେ । ସେମାନଙ୍କୁ ମାଡ଼ମାରି ଭୟଭୀତ କରାଇ ପାଟି ନ କରିବାକୁ କହିଥିଲେ । ଦୋକାନରେ ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ଓ ୨୫ ଭରି ସୁନା ଗହଣା ଲୁଟି ନେଇଥିଲେ । ପରେ ଗୋଟିଏ ବାଇକ୍ ଯୋଗେ ତିନିଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ନେଇ ମାଲିକ ଦୀନବନ୍ଧୁ କହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ସୋରଡା ଥାନା ପୁଲିସ୍ ପହଞ୍ôଚ ଘଟଣାର ଛାନଭିନ ଚଳାଇଛି । ଆସିକା ଏସ୍ଡିପିଓ ଉମା ଶଙ୍କର ସିଂ ପହଞ୍ôଚଛନ୍ତି । ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି ।