25.8 C
Bhubaneswar
Saturday, July 27, 2024
Homeଓଡିଶାଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ବ୍ୟୁରୋ : ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଏବଂ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବଙ୍ଗୋପସାଗରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି।  ଏହାର ପ୍ରଭାବରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରକର୍ଡ କରାଯାଇଛି। ଏହି ଜିଲ୍ଲାରେ ବର୍ଷା ପରିମାଣ ୨୦୦ ମିଲି ମିଟର ପାର୍‍ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ସ୍କୁଲ୍‍ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍  କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା କୁହାଯାଇଛି।  ଜାରି କରାଯାଇଥିବା ତଥ୍ୟ ଅନୁସାରେ ରାଜ୍ୟର ମହାନଦୀ, ଦେବୀ, କୁଶଭଦ୍ରା, ଇବ୍‍ ଏବଂ ବ୍ରାହ୍ମଣୀରେ ଜଳପତ୍ତନ ବଢିବା ନେଇ ଆଶଙ୍କା ରହିଛି । ତଳ ମୁଣ୍ଡରେ ବର୍ଷା କମ୍‍ ଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ କିନ୍ତୁ ଉପର ମୁଣ୍ଡରେ ବର୍ଷା  ହେତୁ ହୀରାକୁଦ ନଦୀବନ୍ଧର ଅଧିକ ଗେଟ୍‍ ଖୋଲାଯାଇଛି। ସକାଳ ୬ଟାରୁ ୯ଟା ଭିତରେ ମହାନଦୀ, ଦେବୀ ଏବଂ କୁଶଭଦ୍ରାରେ ଜଳ ପତ୍ତନ ସାମାନ୍ୟ  ବଢ଼ିଥିବା ସ୍ବତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସକାଳ ୬ଟାରେ ମହାନଦୀର ଜଳପତ୍ତନ ନରାଜ ଠାରେ ୨୨.୮୨ ମିଟର ରେକର୍ଡ କରାଯାଇ ଥିବାବେଳେ ୯ଟା ବେଳେ ତାହା ୨୨.୮୩ ମିଟର ରେକର୍ଡ କରାଯାଇଥିଲା। ସେହିପରି ଦେବୀ ନଦୀର ଜଳପତ୍ତନ ଆଳିପିଙ୍ଗଳ ଠାରେ ଏବଂ କୁଶଭଦ୍ରା ନଦୀର ଜଳପତ୍ତନ ନିମାପଡ଼ା ଠାରେ ବଢ଼ିଥିବା ରେକର୍ଡ କରାଯାଇଛି। ବଙ୍ଗୋପସାଗରରେ ଏବେ ଲଘୁଚାପ କ୍ଷେତ୍ର ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉର୍ଦ୍ଧ୍ବରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ପ୍ରବଳ ବର୍ଷା ହେବ। ଦୁଇଦିନ ପରେ ଏହି ଲଘୁଚାପ କ୍ଷେତ୍ର ଓଡ଼ିଶା ଓ ଛତିଶଗଡ଼ ଦେଇ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ତଥ୍ୟ ଅନୁସାରେ ରାଜ୍ୟର, ୧୨ଟି ଜିଲ୍ଲାରେ  ୧୦୦ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି।  ଜଗତସିଂହପୁରରେ ୧୭୭.୨ ମିମି ବର୍ଷା ହୋଇଥିବା ବେଳେ, କେନ୍ଦ୍ରାପଡାରେ ୧୩୨.୪ ମିମି, ଭଦ୍ରକରେ ୧୦୭ ମିମି, ବୌଦ୍ଧରେ ୧୫୮ ମିମି, କଟକରେ ୧୦୫ ମିମି, ଯାଜପୁରରେ ୧୨୩ ମିମି, କଳଳହାଣ୍ଡିରେ ୧୯୩ ମିମି, କନ୍ଧମାଳରେ ୧୭୬ ମିମି, କେନ୍ଦ୍ରାପଡ଼ାରେ ୧୪୫ ମିମି, ନବରଙ୍ଗପୁରରେ ୧୪୦ ମିମି ଏବଂ ରାୟଗଡ଼ାରେ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।   ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking