22.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଭାରତରେ ପୋତିହେଉଛି ନଦୀଶଯ୍ୟା: ରିପୋର୍ଟ

ଭାରତରେ ପୋତିହେଉଛି ନଦୀଶଯ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ନଦୀଶଯ୍ୟାଗୁଡ଼ିକ ପୋତିହୋଇପଡୁଛି। ପରିସ୍ଥିତି ଏପରି ହୋଇଛି ଯେ, ଯଦି ଏଦିଗରେ ଏବେ ଠୁ ସତର୍କତା ଅବଲମ୍ବନ କରାନଯାଏ ତେବେ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ଜଳଧାରଣ କ୍ଷମତାର ୨୬% ହରାଇବେ। ଜାତିସଂଘ ପକ୍ଷରୁ ଆୟୋଜିତ ଏକ ଗବେଷଣା ଭିତ୍ତିକ ଅଧ୍ୟୟନ ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ଯଦି ଏପରି ପରିସ୍ଥିତି ହୁଏ ତେବେ ଆଗାମୀ ଦିନରେ ସମଗ୍ର ଭାରତରେ ଜଳ ସୁରକ୍ଷା ଜନିତ ସମସ୍ୟା ସୃଷ୍ଟି ହେବା ସହ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ ଆଦି ବାଧାପ୍ରାପ୍ତ ହେବ ବୋଲି ରିପୋର୍ଟରେ ସତର୍କ କରିଦିଆଯାଇଛି। ୨୦୧୫ରେ କେନ୍ଦ୍ରୀୟ ଜଳ ଆୟୋଗ ଦେଇଥିବା

ରିପୋର୍ଟ ଅନୁଯାୟୀ ଦେଶରେ ୫୦ ବର୍ଷ କିମ୍ବା ଏହାଠାରୁ ଅଧିକ ପୁରୁଣା ହୋଇଥିବା ୧୪୧ ବୃହତ୍ ଜଳଭଣ୍ଡାର ମଧ୍ୟରୁ ଏକ ଚତୁର୍ଥାଂଶ ସେମାନଙ୍କ ପ୍ରାଥମିକ ଜଳଧାରଣ କ୍ଷମତାର ୩୦% ହରାଇସାରିଛନ୍ତି। ଅପରପକ୍ଷେ ୨୦୨୧ରେ ଜାତିସଂଘର ଜଳ ପରିବେଶ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଦର୍ଶାଯାଇଛି ଯେ, ଅବବାହିକା ଉପରମୁଣ୍ଡରୁ ବହିଆସୁଥିବା ବାଲି, ଶିଳାଖଣ୍ଡ ଓ ଅନ୍ୟାନ୍ୟ ବର୍ଯ୍ୟ ସାମଗ୍ରୀ ଯୋଗୁ ନଦୀଶଯ୍ୟା ପୋତିହେବାରେ ଲାଗିଛି। ସାରା ବିଶ୍ୱରେ ପ୍ରାୟ ୫୦ ହଜାର ବୃହତ୍ ଡ୍ୟାମ୍‌ରେ ଏଭଳି ସମସ୍ୟା ଦେଖାଦେଇଛି। ଯାହାଦ୍ୱାରା ଏସବୁ ଡ୍ୟାମ୍‌ଗୁଡ଼ିକ ନିଜ ମୂଳ ଜଳଧାରଣ କ୍ଷମତାର ୧୩ରୁ ୧୯% ଲେଖାଏ ହରାଇସାରିଲେଣି।

ଜାତିସଂଘର ଏହି ଅଧ୍ୟୟନ ରିପୋର୍ଟ ଅନୁଯାୟୀ ୧୫୦ ଦେଶର ୪୭,୪୦୩ ବୃହତ୍ ଡ୍ୟାମ୍‌ର ମୂଳ ଜଳଧାରଣ କ୍ଷମତା ୬,୩୧୬ ବିଲିୟନ ଘନମିଟର ଥିଲା, ଯାହା ୨୦୫୦ ସୁଦ୍ଧା ୪,୬୬୫ ବିଲିୟନ ଘନମିଟରକୁ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ୧,୬୫୦ ବିଲିୟନ ଘନମିଟର ଜଳଧାରଣ କ୍ଷମତା ହ୍ରାସ ଅର୍ଥ ଏହା ଭାରତ, ଚୀନ୍‌, ଇଣ୍ଡୋନେସିଆ, ଫ୍ରାନ୍ସ ଓ କାନାଡା ବାର୍ଷିକ ବ୍ୟବହାର କରୁଥିବା ମୋଟ୍ ଜଳ ପରିମାଣ ସହ ସମାନ ବୋଲି କୁହାଯାଇପାରିବ। ଜାତିସଂଘ ରିପୋର୍ଟରେ କେବଳ ଭାରତ ନୁହେଁ ଚୀନ୍‌ର ନଦୀବନ୍ଧଗୁଡ଼ିକର ସାମର୍ଥ୍ୟ ହ୍ରାସ ପାଉଥିବା ନେଇ ରିପୋର୍ଟ ରହିଛି। ୨୦୫୦ ବେଳକୁ ଚୀନ୍‌ରେ ଥିବା ବୃହତ୍ ନଦୀବନ୍ଧଗୁଡ଼ିକର ଜଳଧାରଣ କ୍ଷମତା ୧୦% ପର୍ଯ୍ୟନ୍ତ ହ୍ରାସ ଘଟିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି। ବିଶ୍ୱର ସର୍ବାଧିକ ନଦୀବନ୍ଧ ଅଞ୍ଚଳ ଭାବେ ପରିଚିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଗତବର୍ଷଗୁଡିକରେ ମୂଳ ଜଳଧାରଣ କ୍ଷମତାର ୧୩ ପ୍ରତିଶତ ହ୍ରାସ ପାଇଥିବା ଆକଳନ କରାଯାଇଛି। ସତର୍କତାର ବିଷୟ ହେଉଛି ଏହି ଅଞ୍ଚଳରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ବସବାସ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking