22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଆଇନ ମନ୍ତ୍ରଣାଳୟରୁ ହଟିଲେ ରିଜିଜୁ; ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ମେଘୱାଲ

ଆଇନ ମନ୍ତ୍ରଣାଳୟରୁ ହଟିଲେ ରିଜିଜୁ; ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ମେଘୱାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଘଟିଛି । କ୍ୟାବିନେଟ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଗୁରୁବାର ଏହି ପଦରୁ ହଟାଇ ଆର୍ଥ ସାଇନ୍ସ (ପୃଥିବୀ ବିଜ୍ଞାନ) ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଆଇନ ମନ୍ତ୍ରଣାଳୟରେ ରିଜିଜୁ କ୍ୟାବିନେଟ ପାହ୍ୟା ପାଇଥିବାବେଳେ ମେଘୱାଲଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ଜଣାପଡିଛି ।

ପ୍ରଥମ ଥର ପାଇଁ କେନ୍ଦ୍ରରେ ଜଣେ ରାଷ୍ଟ୍ରମନ୍ତ୍ରୀ ଆଇନ ମନ୍ତ୍ରଣାଳୟ ସମ୍ଭାଳିବାକୁ ଯାଉଛନ୍ତି । ଏହାବ୍ୟତୀତ ଆଇନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ଏସ.ପି.ସିଂହ ବାଘେଲଙ୍କୁ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନିଯୁକ୍ତ କରାଯାଇଛି । ଆଇନ ମନ୍ତ୍ରଣାଳୟ ଦାୟିତ୍ୱରୁ ଅବ୍ୟାହତି ପାଇବାପରେ ରିଜିଜୁ ଟ୍ୱିଟ୍ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ସମେତ ସବୁ ବିଚାରପତିଙ୍କୁ ସମର୍ଥନ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ନିକଟ ଅତୀତରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ କଲେଜିୟମ ପ୍ରାୟତଃ ଟଣାଓଟରା ଲାଗୁଥିବାବେଳେ ଏଭଳି ସମର୍ଥନ ଓ ସହଯୋଗ ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ରିଜିଜୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ରବିଶଙ୍କର ପ୍ରସାଦ ମନ୍ତ୍ରିପଦରୁ ଅବ୍ୟାହତି ନେବାପରେ ରିଜିଜୁ ୨୦୨୧ ଜୁଲାଇ ୭ରେ ଆଇନ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ । ତେବେ ଦାୟିତ୍ୱ ଗ୍ରହଣ କରିବାପରଠାରୁ କଲେଜିୟମ ବ୍ୟବସ୍ଥାକୁ ରିଜିଜୁ ବାରମ୍ବାର ସମାଲୋଚନା କରିଆସୁଥିଲେ । ବିଚାରପତିଙ୍କ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ କେନ୍ଦ୍ର ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଚଳିତବର୍ଷ ଫେବୃଆରୀରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking