ବ୍ରହ୍ମପୁର:ଠକେଇ ମାମଲାରେ ଫେରାର ଥିବା ବିଜୁପୁର ଲକ୍ଷ୍ମୀ ସାହିର ଅଭିଯୁକ୍ତ ବିଶ୍ୱରଞ୍ଜନ ପାତ୍ରଙ୍କ ଘର ଆଗରେ ଆଜି ବୈଦ୍ୟନାଥପୁର ଥାନା ପୁଲିସ ଲଟକା ଜାରି କରିଛି । ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ଙ୍କ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନରେ ବୈଦ୍ୟନାଥପୁର ପୁଲିସ ସମେତ ପୁଲିସ ଫୋର୍ସ ବିଶ୍ୱରଞ୍ଜନଙ୍କ ଘରେ ପହଞ୍ଚିଥିଲେ । ପ୍ରଥମେ ପୁଲିସ ପକ୍ଷରୁ ଡେଙ୍ଗୁରା ବାଡ଼େଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଶୁଣାଇଥିଲେ । ଧାରା ୮୨ ଅନୁସାରେ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ ପୁଲିସ ପଳାତକ ଘୋଷଣା କରି ଆତ୍ମସମର୍ପଣ ପାଇଁ ଘର ଆଗରେ ଲଟକା ଜାରୀ କରିଥିବା ପୁଲିସ କହିଛି ।
ସେ ଏକ ମାସ ମଧ୍ୟରେ ଆତ୍ମସମର୍ପଣ ନ କରନ୍ତି ତେବେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଟାଉନ ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି । ଏହି ସମୟରେ ଟାଉନ୍ ଏସ୍ଡିପିଓ ଶ୍ରୀ ପଣ୍ଡାଙ୍କ ସମେତ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ଛକରେ ହେଲ୍ପିଙ୍ଗ ଲାଇନ୍ ଇଣ୍ଡିଆ ଚାରିଟେବଲ୍ ଟ୍ରଷ୍ଟ ନାମରେ ଏକ ସଂସ୍ଥା ରହିଥିଲା । ଉକ୍ତ ସଂସ୍ଥା ପକ୍ଷରୁ ବିଭିନ୍ନ ଲୋକଙ୍କ ଠାରୁ ଚାକିରି ନାମରେ ଟଙ୍କା ଠକେଇ ହୋଇଥିଲା ।
ଏ ନେଇ ଗୁଣନିଧି ମଲ୍ଲିକ ତାଙ୍କ ଓକିଲଙ୍କ ଜରିଆରେ ଏସ୍ଡ଼ିଜେଏମ୍ଙ୍କ କୋର୍ଟରେ ୱାନ୍ସିସି ମାମଲା ରୁଜୁ କରିଥିଲା । ଏହା ପରେ କୋର୍ଟ ନିର୍ଦ୍ଦେଶ କ୍ରମେ ଗତ ୨୦୨୧ ଜାନୁୟାରୀ ୧୯ ତାରିଖରେ ବୈଦ୍ୟନାଥପୁର ଥାନ ପୁଲିସ ଏକ ଠକେଇ ମାମଲା ରୁଜୁ କରିଥିଲା । ସନ୍ତୋଷ କୁମାର ବିଶ୍ୱାଳ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ମାମଲାରେ ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରିଥିଲା । ପୁଲିସର ତଦନ୍ତ ବେଳେ ସଂସ୍ଥାର ସମସ୍ତ କାଗଚପତ୍ର ସନ୍ତୋଷ କୁମାର ବିଶ୍ୱାଳ ଓ ବିଶ୍ୱରଞ୍ଜନ ବିଶ୍ୱରଞ୍ଜନ ପାତ୍ରଙ୍କ ନାମରେ ଥିବା ପୁଲିସ ଜାଣିବାକୁ ପାଇଥିଲା ।
ଏହି ମାମଲାରେ ସନ୍ତୋଷ କୁମାର ବିଶ୍ୱାଳକୁ ପୁଲିସ ଗିରଫ କରିଥିବା ବେଳେ ଘଟଣା ପର ଠାରୁ ବିଶ୍ୱରଞ୍ଜନ ଫେରାର ରହିଥିଲେ । ଏହି ଘଟଣାକୁ ନେଇ ପୁଲିସ କୋର୍ଟ ନିର୍ଦ୍ଦେଶ କ୍ରମେ ଆଜି ଅଭିଯୁକ୍ତଙ୍କ ଘରେ ଲଟକା ଜାରି କରିଛି । ସୂଚନାଯୋଗ୍ୟ ଯେ ଗତ ୨୦୧୧ ମସିହା ଜୁଲାଇ ୨୨ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ଲୁଟ୍ ମାମଲାରେ ଲାଞ୍ଜିପଲ୍ଲୀ ଗୌଡ଼ ସାହିର ସୁଶାନ୍ତ ଶତପଥୀ ଫେରାର ରହିଥିଲେ । ଏହି ଘଟଣାକୁ ନେଇ ଗତ ୪ ତାରିଖରେ ପୁଲିସ କୋର୍ଟ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ସୁଶାନ୍ତଙ୍କ ଘରେ ବୈଦ୍ୟନାଥପୁର ପୁଲିସ ସମେତ ପୁଲିସ ଫୋର୍ସ ପହଞ୍ଚି ଲଟକା ଜାରି କରିଥିଲା ।