ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ବିଚାରପତିମାନଙ୍କ ଅବସର ବୟସ ସୀମା ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ଗୁରୁବାର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରେଣ ରିଜିଜୁ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତି ୬୫ ବର୍ଷ ଏବଂ ୨୫ ରାଜ୍ୟର ହାଇକୋର୍ଟ ବିଚାରପତିମାନେ ୬୨ ବର୍ଷ ବୟସରେ ଅବସର ନେଇଥାନ୍ତି । ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ୨୦୧୦ରେ ୧୧୪ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପେସ୍ କରାଯାଇଥିଲା । ଏହା ଉପରେ କୌଣସି ବିଚାର ଆଲୋଚନା କରାଯାଇ ନଥିଲା ଏବଂ ଏହା ମଧ୍ୟରେ ୧୫ତମ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ବୋଲି ରିଜିଜୁ କହିଛନ୍ତି।