ନୂଆଦିଲ୍ଲୀ: ବିଗତ ଏକବର୍ଷ ମଧ୍ୟରେ ଦେଶରେ ଖୁଚୁରା ଦୁଗ୍ଧ ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ‘ଲୋକାଲ ସର୍କଲ୍ସ’ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି । ବିଗତ ୧୦ ବର୍ଷ ମଧ୍ୟରେ ଏଭଳି ଦୁଗ୍ଧ ମୂଲ୍ୟ ସର୍ବାଧିକ । ଆଗାମୀ ଗ୍ରୀଷ୍ମଋତୁରେ ଦୁଗ୍ଧ ମୂଲ୍ୟ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୂଲ୍ୟବୃଦ୍ଧି ଯୋଗୁଁ ପ୍ରାୟ ୩୩ ପ୍ରତିଶତ ପରିବାର ଦୁଗ୍ଧ ବାବଦ ଖର୍ଚ୍ଚକୁ କମାଇ ଦେଇଥିବା କୁହାଯାଇଛି ।
ଗୋଖାଦ୍ୟ ମୂଲ୍ୟବୃଦ୍ଧି ସାଙ୍ଗକୁ ଅଧିକ ଦୁଗ୍ଧ ଦେଉଥିବା ଗାଈଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଦୁଗ୍ଧ ମୂଲ୍ୟ ଉପରେ ପଡିଛି । ଦୁଗ୍ଧ ଚାଷୀଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଖୁଚୁରା ଦୁଗ୍ଧ ମୂଲ୍ୟକୁ ବାରମ୍ବାର ବୃଦ୍ଧି କରାଯାଇଛି ବୋଲି ଅମୁଲ ବ୍ରାଣ୍ଡ୍ର ପ୍ରସ୍ତୁତକର୍ତ୍ତା ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ପକ୍ଷରୁ କୁହାଯାଇଛି ।
୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଏକବର୍ଷରେ ଦୁଗ୍ଧ ଉତ୍ପାଦନ ମାତ୍ର ୧ ପ୍ରତିଶତ ବୃଦ୍ଧି ପାଇଛି । ବିଗତ ୧୦ ବର୍ଷ ଧରି ଉତ୍ପାଦନ ବୃଦ୍ଧି ହାର ପ୍ରାୟ ୬ ପ୍ରତିଶତ ରହିଆସୁଥିଲା ।୨୦୨୧ ପରଠାରୁ ଗୋଖାଦ୍ୟ ମୂଲ୍ୟ ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି ।