25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଉତ୍ତରକାଶୀ ଟନେଲ୍‌ରେ ଉଦ୍ଧାର କାର୍ଯ୍ୟ ଶେଷ; ୧୭ ଦିନପରେ ପୁନର୍ଜନ୍ମ ପାଇଲେ ୪୧ ଶ୍ରମିକ

ଉତ୍ତରକାଶୀ ଟନେଲ୍‌ରେ ଉଦ୍ଧାର କାର୍ଯ୍ୟ ଶେଷ; ୧୭ ଦିନପରେ ପୁନର୍ଜନ୍ମ ପାଇଲେ ୪୧ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ଟନେଲ ମଧ୍ୟରୁ ସମସ୍ତ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି । ଦୀର୍ଘ ୧୭ ଦିନ ଟନେଲ ମଧ୍ୟରେ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରୁଥିବା ଏହି ଶ୍ରମିକମାନେ ପୁନର୍ଜନ୍ମ ପାଇଥିବା କୁହାଯାଇଛି । ତେବେ ଉଦ୍ଧାର ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବାରେ ର‌୍ୟାଟ୍‌-ହୋଲ୍ ମାଇନର୍ସଙ୍କ ଭୂମିକା ବେଶ ପ୍ରଶଂସନୀୟ ପ୍ରମାଣିତ ହୋଇଛି । ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଅଗର ମେସିନ୍ ଶୁକ୍ରବାର ଅକାମୀ ହେବାପରେ ଉଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । କ୍ଷତିଗ୍ରସ୍ତ ହେବା ସମୟରେ ଅଗର ମେସିନ ଉକ୍ତ ଟନେଲର ୬୦ ମିଟର ମଧ୍ୟରୁ ୪୮ ମିଟର ଦୂରତା ପର୍ଯ୍ୟନ୍ତ ଅତଡା ପରିଷ୍କାର କରିସାରିଥିଲା । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଅବଶିଷ୍ଟ ୧୨ ମିଟର ଅତଡା ସଫା କରିବା ଜରୁରୀ ହୋଇପଡିଥିଲା । ଏହି ର‌୍ୟାଟ୍‌-ହୋଲ୍ ମାଇନର୍ସ ଶ୍ରମିକମାନେ ସୋମବାରଠାରୁ କାର୍ଯ୍ୟାରମ୍ଭ କରିଥିବାବେଳେ ମଙ୍ଗଳବାର ରାତିରେ ସଫଳତା ହାସଲ କରିପାରିଛନ୍ତି ।

ଅତଡା ପରିଷ୍କାର ହେବାପରେ ୨ ମିଟର ଚଉଡା ବିଶିଷ୍ଟ ଏକ ପାଇପ୍ ଟନେଲ ମଧ୍ୟକୁ ପ୍ରବେଶ କରାଯାଇଥିଲା । ଚକଲଗା ଷ୍ଟ୍ରେଚର ସାହାଯ୍ୟରେ ସମସ୍ତ ଶ୍ରମିକଙ୍କୁ ପର୍ଯ୍ୟାୟକ୍ରମେ ବାହାରକୁ ଅଣାଯାଇଥିଲା । ଟନେଲ ମଧ୍ୟରୁ ପ୍ରତ୍ୟେକ ଶ୍ରମିକଙ୍କୁ ଷ୍ଟ୍ରେଚରରେ ବନ୍ଧା ଯିବାପରେ ସ୍ୱତନ୍ତ୍ର ଦଉଡି ସାହାଯ୍ୟରେ ସେମାନଙ୍କୁ ଟନେଲ ପ୍ରବେଶ ପଥ ପର୍ଯ୍ୟନ୍ତ ଅଣାଯାଇଥିଲା । ଅତଡା ପରିଷ୍କାର ହେବାପରେ କିଛି ଏନ୍‌ଡିଆରଏଫ୍ ଯବାନ ପ୍ରଥମେ ଉକ୍ତ ପାଇପ୍ ଦେଇ ଭିତରକୁ ପ୍ରବେଶ କରିଥିଲେ । ସେମାନେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାକୁ କିଭଳି ସୁଗମ ଓ ସୁରକ୍ଷିତ କରାଯାଇପାରିବ, ସେଥିନେଇ ଉଦ୍ଦିଷ୍ଟ ମାର୍ଗଦର୍ଶିକା ଅନୁସରଣ କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଭି.କେ.ସିଂହ ସବୁ ଶ୍ରମିକଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ପରବର୍ତ୍ତୀ ଏକଘଣ୍ଟା ମଧ୍ୟରେ ଅନ୍ୟ ସମସ୍ତେ ଟନେଲରୁ ଉଦ୍ଧାର ପାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଉଦ୍ଧାରକାରୀ ଦଳ ଓ ଶ୍ରମିକଙ୍କ ପରିବାରବର୍ଗ ଖୁସିରେ ୁଆତ୍ମହରା ହୋଇପଡିଥିବାବେଳେ ଶ୍ରମିକଙ୍କୁ ମିଷ୍ଟାନ୍ନ ଖୁଆଇଥିଲେ । ଯେଉଁ ଶ୍ରମିକଙ୍କ ପରିବାର ଲୋକେ ସେଠାରେ ଅନୁପସ୍ଥିତ ଥିଲେ, ସେହି ଶ୍ରମିକମାନେ ଫୋନ୍ ଯୋଗେ ଘର ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଲକ୍ଷ୍ୟ କରାଯାଇଥିଲା ।

ପୂର୍ବରୁ ପ୍ରସ୍ତୁତ ରଖାଯାଇଥିବା ୪୧ଟି ଆମ୍ବୁଲାନ୍ସରେ ପ୍ରତ୍ୟେକ ଶ୍ରମିକଙ୍କୁ ଚିନ୍ୟାଲିସୁରଠାରେ ଥିବା ଜରୁରୀକାଳୀନ ସ୍ୱାସ୍ଥ୍ୟ ଶିବରକୁ ନିଆଯାଇଥିଲା । ଟନେଲଠାରୁ ଏହି ସ୍ୱାସ୍ଥ୍ୟ ଶିବିର ଦୂରତା ପ୍ରାୟ ୩୦ କିମି । ଯାତାୟାତରେ ବାଧା ନ ପହଞ୍ଚିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରୀନ୍ କରିଡର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏପରିକି ଯଦି କୌଣସି ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥାଏ, ସେମାନଙ୍କୁ ଦିଲ୍ଲୀ କିମ୍ବା ଗୁରୁଗ୍ରାମର କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ବାୟୁସେନାର ଚିନୁକ୍ ହେଲିକପ୍ଟରକୁ ମଧ୍ୟ ସଜାଗ ରଖାଯାଇଥିଲା । ତେବେ ଏହାର ଆବଶ୍ୟକତା ପଡିନଥିବା କୁହାଯାଇଛି । ସୂଚନାଯୋଗ୍ୟ ଚଳିତମାସ ୧୨ରେ ନିର୍ମାଣାଧିନ ସିଲ୍‌କ୍ୟାରା ଟନେଲ ଭୁଶୁଡି ପଡିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୪୧ ଶ୍ରମିକ ଖସିଯାଇଥିଲେ । ଏମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ସର୍ବାଧିକ ୧୫ ଶ୍ରମିକ ଥିବାବେଳେ ଉତ୍ତର ପ୍ରଦେଶରୁ ୮, ବିହାର ଓ ଓଡ଼ିଶାରୁ ପ୍ରତ୍ୟେକ ୫, ପଶ୍ଚିମବଙ୍ଗରୁ ୩, ଉତ୍ତରାଖଣ୍ଡ ଓ ଆସାମରୁ ପ୍ରତ୍ୟେକ ୨ ଏବଂ ହିମାଚଳ ପ୍ରଦେଶରୁ ଜଣେ ଶ୍ରମିକ ସାମିଲ ଥିଲେ ।

ପ୍ରଥମେ ଟନେଲ ମଧ୍ୟରୁ ଅତଡା ପରିଷ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହା ସଫଳ ହୋଇପାରିନଥିଲା । ମେସିନ୍ ପ୍ରବେଶ କରିବାରୁ ଟନେଲ ମଧ୍ୟରେ ଅଧିକ ପରିମାଣର ଅତଡଶ ଜମା ହେବାରେ ଲାଗିଥିଲା । ପରବର୍ତ୍ତୀ ସମୟରେ ଆମେରିକାରୁ ୨୫ ଟନ୍ ଓଜନ ବିଶିଷ୍ଟ ଅଗର ମେସିନ୍ ଅଣାଯାଇଥିଲା । ଏହା ୪୮ ମିଟର ଦୂରତା ପର୍ଯ୍ୟନ୍ତ ଅତଡା ସଫା କରିଥିବାବେଳେ ଗତ ଶୁକ୍ରବାର ଅତଡା ମଧ୍ୟରେ ଥିବା ଏକ ଆଇରନ୍ ଗ୍ରୀଲ୍ ସହ ଧକ୍କା ହେବାରୁ ଏହାର ବ୍ଲେଡ୍ ଭାଙ୍ଗିଯାଇ ଏହା ସମ୍ପୂର୍ଣ୍ଣ ଅକାମୀ ହୋଇପଡିଥିଲା । ଅବଶ୍ୟ ଟନେଲ ମଧ୍ୟକୁ ୬ ଇଞ୍ଚ ଓସାର ବିଶିଷ୍ଟ ଏକ ପାଇପ୍ ଯୋଗେ ଶ୍ରମିକଙ୍କୁ ଖଳ, ଗରମ ଖାଦ୍ୟ, ଔଷଧପତ୍ର ଯୋଗାଇ ଦିଆଯାଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ରବିବାର ଭର୍ଟିକାଲ ଡ୍ରିଲିଂ ଅର୍ଥାତ୍ ଟନେଲ ଉପରପାଶ୍ୱର୍ରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହା ସମୟ ସାପେକ୍ଷ ହୋଇଥିବାରୁ ର‌୍ୟାଟ୍‌-ହୋଲ୍ ମାଇନର୍ସ ଶ୍ରମିକଙ୍କୁ ଡକାଯାଇଥିଲା । ଏମାନେ ସାଧାରଣତଃ କୋଇଲା ଖଣିରେ ଏହି କୌଶଳରେ (ମାନୁଆଲ) ଖନନ କାର୍ଯ୍ୟ କରିଥାନ୍ତି । ସେମାନେ କୃତକାର୍ଯ୍ୟ ହୋଇଥିବାରୁ ସବୁ ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଉତ୍ତରକାଣୀ ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସଫଳ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଏକାଧିକ କ୍ୟାବିନେଟ୍ ମନ୍ତ୍ରୀ ଉଦ୍ଧାର ପାଇଥିବା ଶ୍ରମିକଙ୍କୁ ଅଭିନନ୍ଦନ ଜଣାଇବା ସହ ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଟନେଲ ମଧ୍ୟରୁ ସବୁ ଶ୍ରମିକ ସୁରକ୍ଷିତଭାବେ ଉଦ୍ଧାର ପାଇଥିବାରୁ ସେ ନିଜକୁ ଆଶ୍ୱସ୍ତ ମନେ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଘଡିସନ୍ଧି ମୁହୂର୍ତ୍ତରେ ଟନେଲରେ ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ସାଙ୍ଗକୁ ଉଦ୍ଧାରକାରୀ ଦଳଙ୍କ କର୍ତ୍ତବ୍ୟପରାୟଣତା ବାସ୍ତବିକ ପ୍ରଶଂସନୀୟ । ୧୭ ଦିନ ପରେ ଟନେଲରୁ ସବୁ ଶ୍ରମିକ ଉଦ୍ଧାର ପାଇବା ଫଳରେ ଦେଶବ୍ୟାପୀ ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking