ଉତ୍ତରାଖଣ୍ଡ : ଲମ୍ବା କେଶ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଉତ୍ତରାଖଣ୍ଡର ରେଣୁ ଧରିୟାଲ୍। ରେଣୁ ଧରିୟାଲ୍ ବିଶ୍ୱର ସବୁଠାରୁ ଲମ୍ବା କେଶର ଅଧିକାରିଣୀ ଭାବେ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ’ ସୃଷ୍ଟି କରିଛନ୍ତି। ରେଣୁଙ୍କ କେଶର ଲମ୍ବ ୮ ଫୁଟ୍ ୧୦ ଇଞ୍ଚ। ସେ ୟୁକ୍ରେନର ଆଲିୟା ନାସିରୋଭାଙ୍କ ୮ ଫୁଟ ସାଢ଼େ ୫ ଇଞ୍ଚର ପୂର୍ବ ରେକର୍ଡକୁ ଭାଙ୍ଗି ଏହି ବିଶ୍ୱ ବିଜେତା ମୁକୁଟ ନିଜ ନାମରେ କରିଛନ୍ତି। ରେଣୁ ବିଗତ ୨୦୧୫ ମସିହାରୁ ନିଜ କେଶକୁ ଥରେ ହେଲେ ବି କାଟିନାହାନ୍ତି। ସେ କୌଣସି ପ୍ରକାରର କେମିକାଲ୍ ଯୁକ୍ତ ସାମ୍ପୁ ବା ସେଲୁନ୍ ପ୍ରୋଡକ୍ଟ ବ୍ୟବହାର କରନ୍ତି ନାହିଁ। କେବଳ ଘରେ ପ୍ରସ୍ତୁତ ପ୍ରାକୃତିକ ତେଲ ଓ ସାମ୍ପୁ ସାହାଯ୍ୟରେ ସେ କେଶର ଯତ୍ନ ନିଅନ୍ତି। ଚୁଟି ଧୋଇବା, ଶୁଖାଇବା ଏବଂ କୁଣ୍ଡାଇବା ପାଇଁ ତାଙ୍କୁ ଦୈନିକ ଅନେକ ଘଣ୍ଟା ସମୟ ଦେବାକୁ ପଡ଼ିଥାଏ। ଚାଲିବା ସମୟରେ ଯେପରି ଚୁଟି ମାଟିରେ ନଲାଗିବ, ସେଥିପାଇଁ ସେ ଏହାକୁ ସ୍ପେଶାଲ୍ ଷ୍ଟାଇଲରେ ବେଣୀ କରି ରଖନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଲମ୍ବା କେଶକୁ ସୌନ୍ଦର୍ଯ୍ୟର ପ୍ରତୀକ ମାନାଯାଏ। ୟୁଟ୍ୟୁବର୍ ଭାବେ କାମ କରୁଥିବା ରେଣୁ ନିଜ ସଂସ୍କୃତିକୁ ବଜାୟ ରଖି ଆଜି ଏହି ଗୌରବ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଏବେ ସାରା ଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।










