21.1 C
Bhubaneswar
Friday, January 24, 2025
Homeଓଡିଶାରେଙ୍ଗାଲି ଦକ୍ଷିଣ ତଟ କେନାଲ ନିର୍ମାଣରେ ହରିଲୁଟ୍‌: ଠିକାଦାରଙ୍କ ଦୋଷ ଲଦାହେଲା ଲୋକଙ୍କ ମୁଣ୍ଡରେ

ରେଙ୍ଗାଲି ଦକ୍ଷିଣ ତଟ କେନାଲ ନିର୍ମାଣରେ ହରିଲୁଟ୍‌: ଠିକାଦାରଙ୍କ ଦୋଷ ଲଦାହେଲା ଲୋକଙ୍କ ମୁଣ୍ଡରେ

ଭୁବନେଶ୍ୱର : ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଲା । ସଠିକ୍ ସମୟରେ ଉକ୍ତ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ହେଲା ନାହିଁ । ପାଣି ଛାଡ଼ିବା ପରେ ସାଇଫନ୍ ସ୍ଲାବ୍ ଦବି ଗଲା । କେନାଲରେ ଦୁଇ ପାର୍ଶ୍ୱରେ ଜଳ ଲିକ୍ କଲା । ଫଳରେ ଚାଷ ଜମିକୁ ଜଳ ଯାଇପାରିଲା ନାହିଁ । ଅଥଚ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାର୍ ସଂସ୍ଥାକୁ ଦାୟୀ ନ କରି ସ୍ଥାନୀୟ ଲୋକେ ଏହାକୁ ଜାଣିଶୁଣି ଭାଙ୍ଗି ଦେଇଛନ୍ତି ବୋଲି ରିପୋର୍ଟ ପ୍ରସ୍ତୁତ କରାଗଲା । ଏପରିକି ମରାମତି ପାଇଁ ରାଜ୍ୟ ରାଜକୋଷରୁ ଅକାରଣରେ ଅତିରିକ୍ତ ୭ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ହେଲା । ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ଅଡିଟ୍ ବେଳେ ତାହା ଜଣାପଡ଼ିଛି ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରେଙ୍ଗାଲି ଦକ୍ଷିଣ ତଟ କେନାଲ ନିର୍ମାଣରେ ଏହି ଅଭିଯୋଗ ହୋଇଛି । ସାଇଫନ୍ ଓ କେନାଲ ନିର୍ମାଣ ପାଇଁ ମୋଟ୍ ୧୬.୪୦ କୋଟି ବ୍ୟୟ ଅଟ୍ଟକଳ ହୋଇଥିଲା । ହେଲେ ଖର୍ଚ୍ଚ ହେଲା ୨୩.୭୨ କୋଟି । ଅର୍ଥାତ ଅତିରିକ୍ତ ୭ କୋଟି ୩୨ ଲକ୍ଷ ଟଙ୍କା ଅଧିକ ବ୍ୟୟ ହେଲା । ଠିକାଦାର୍ ସଂସ୍ଥାର ନିମ୍ନମାନର କାର୍ଯ୍ୟ ଓ ଶସ୍ତା ପାଇପ୍ ସଂଯୋଗ ଯୋଗୁଁ ଏପରି ହୋଇଛି ବୋଲି ସିଏଜି ଦର୍ଶାଇଛନ୍ତି ।
ରିପୋର୍ଟରେ ସିଏଜି କହିଛନ୍ତି ଯେ ୨୦୦୬ରେ ସାଇଫନ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । କେନାଲ୍‌ର ଦୂରତା ୫୯.୭୩ କିମି ପାଇଁ ମୋଟ୍ ୧୬.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପ୍ରାୟ ୧୦ ବର୍ଷ ପରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା । ୨୦୧୬ରେ ପରୀକ୍ଷାମୂଳକ ଭାବେ କେନାଲରେ ଜଳ ଛଡ଼ାଯାଇଥିଲା । ହେଲେ କେନାଲରେ ଜଳ ଶେଷ ମୁଣ୍ଡକୁ ନ ଯାଇ ଦୁଇ ପାଶ୍ୱର୍କୁ ଲିକ୍ କରୁଥିବାର ଦେଖାଯାଇଥିଲା । ସେଥିପାଇଁ ଗତ ୨୦୧୬ରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଆପ୍ରୋଚ୍ ସ୍ଲାବ୍ ଦବିଯିବା କଥା ସେ ସ୍ୱୀକାର କରିଥିଲେ ହେଁ ପାଇପ୍ ଲଗାଇବା ଯୋଗୁଁ ମୃତ୍ତିକାର କ୍ଷୟ ହିଁ ଲିକେଜ୍‌ର କାରଣ ବୋଲି ଦର୍ଶାଇଥିଲେ । ତେଣୁ ଏହାକୁ ଭାଙ୍ଗି ପ୍ରତିକାର ବ୍ୟବସ୍ଥା କରିବାକୁ ହେବ ବୋଲି ସେ ମତ ଦେଇଥିଲେ । ଇଆଇସିଙ୍କ ସରଜ୍‌ମିନ୍ ରିପୋର୍ଟ ଆଧାରରେ ମରାମତି ପାଇଁ ସରକାର ଅତିରିକ୍ତ ୭.୩୨ କୋଟି ଟଙ୍କା ମଞ୍ଜୁର କରିଥିଲେ । ସେହି ଅର୍ଥରେ ଅଗଷ୍ଟ ୨୦୧୭ରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା । ତେବେ ସିଏଜି ରିପୋର୍ଟ ପରେ ଅସଲ କଥା ପଦାକୁ ଆସିଲା । ପ୍ରକଳ୍ପ ସ୍ଥଳ ତଦାରଖ ଓ କାଗଜ ତନଖି ପରେ ଜଣାପଡ଼ିଲା ଯେ କେନାଲ ପାଇଁ ବ୍ୟବହୃତ ସାମଗ୍ରୀର ଗୁଣବତ୍ତାର ସଠିକ୍ ଯାଞ୍ଚ ହୋଇନାହିଁ । ସେଥିପାଇଁ ପାଣି ଲକ୍ ହେଲା ଏବଂ ଅଯଥାରେ ୭.୩୨ କୋଟି ଟଙ୍କା ଅତିରିକ୍ତ ଭାବେ ଖର୍ଚ୍ଚ ହେଲା । ତେବେ ଅଡିଟ୍ ବେଳେ ମତାମତ ଲୋଡ଼ାଯିବାରୁ ଜଳସମ୍ପଦ ବିଭାଗ ଜୁଲାଇ ୨୦୨୧ରେ ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ଅଠା ବୋଳିଥିଲେ । ସେମାନେ ଭାଙ୍ଗି ଦେବା ଯୋଗୁଁ ଜଳ ଲିକ୍ କରି କେନାଲରେ କ୍ରମଶଃ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ତାହା ଲିକେଜ୍‌ର କାରଣ ହୋଇପାରେ ବୋଲି କୁହାଗଲା । ପୁଣି କୁହାଗଲା ଯେ ମରାମତି ପାଇଁ କେବଳ ଅତିରିକ୍ତ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ବାସ୍ତବରେ ତାହା ଥିଲା ଓଲଟା । ଖର୍ଚ୍ଚର ହିସାବ ବି ବିସ୍ତାର ଭାବେ ଦିଆଯାଇ ନ ଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking