25.8 C
Bhubaneswar
Saturday, July 27, 2024
Homeଓଡିଶାସରକାରୀ ଜମି ଜବରଦଖଲ ପ୍ରସଙ୍ଗ ଶୀତଳ ଭଣ୍ଡାରରେ, ଆରଡିସିଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର

ସରକାରୀ ଜମି ଜବରଦଖଲ ପ୍ରସଙ୍ଗ ଶୀତଳ ଭଣ୍ଡାରରେ, ଆରଡିସିଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର

କଳାହାଣ୍ଡି  କଳାହାଣ୍ଡି ଜିଲ୍ଲାରେ ସରକାରୀ ପଦାଧିକାରୀଙ୍କ ବଦଳି ଆଦେଶ ହେଉ କିମ୍ବା ଉଚ୍ଚ କର୍ତୃପକ୍ଷଙ୍କ ଆଦେଶ ହେଉ ଭିନ୍ନ ଅର୍ଥ ବାହାର କରି ବେଖାତିର କରାଯାଉଥିବା ଅନେକ ଘଟଣା ଦେଖାଯାଉଛି । ମାନ୍ୟବର ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ୨୦୧୯-୨୦ ରେ କେତେ ପରିମାଣର ସରକାରୀ ଜମି ଥିବା ସଂପର୍କରେ ଏକ ତଥ୍ୟ ମାଗିଥିଲେ । ଏନେଇ ଦକ୍ଷିଣାଂଚଳ ରାଜସ୍ୱ କମିଶନର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କ ଚିଠି ନଂ. ୧୬/ଆରଏ ତା.୦୨.୦୧.୨୦୨୦ ଅନୁସାରେ ଜୁନାଗଡ ତହସିଲଦାରଙ୍କୁ ତଥ୍ୟ ପ୍ରଦାନ କରିବା ପାଇଂ ନିର୍ଦ୍ଦେଶ ଦିଆଯାଇଥିଲା । ସେସଂପର୍କରେ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଚିଠି ନଂ. ୧୧ ତା. ୦୩.୦୧.୨୦୨୦ ରେ ଜୁନାଗଡ ସହରରେ ୩୯ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ଏହାକୁ ଉଚ୍ଚେଦ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଇତିମଧ୍ୟରେ ତହସିଲଦାର ଶ୍ରୀ ଲୁହା ଙ୍କର ବଦଳି ହେବାପରେ ବର୍ତମାନର ତହସିଲଦାର ପୂର୍ବତନ ତହସିଲଦାର ମାନେ ସରକାରୀ ଜମି ବଂଚାଇବା ପାଇଁ କରିଥିବା ଯୋଜନା ଓ ବ୍ୟବସ୍ଥାକୁ ନାଲିଫିତା ତଳେ ବାନ୍ଧି ଦେଇଥିବା ଭଲି ଜଣାପଡିଛି । ଏସଂପର୍କରେ ତହସିଲଦାର ବେଦବ୍ୟାସ ଭୋଇଙ୍କୁ ଯୋଗାଯୋଗ କରିବାରେ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ତତ୍କାଳୀନ ଜୁନାଗଡ ତହସିଲଦାର ସୂର୍ଯ୍ୟ ନାରାୟଣ ଦାଶ ଏନଏଚ -୨୬ ପାଶ୍ୱର୍ସ୍ଥ ସରକାରୀ ଜମି ସବୁକୁ ତାରବାଡ ଦେଇ ସୁରକ୍ଷିତ ରଖିଥିବା ବେଳେ ବର୍ତମାନ ସେସବୁ ଜବରଦଖଲ ହୋଇଥିବା ଦେଖାଯାଉଛି । ଏପରିକି ଏନଏଚ-୨୬ ରୁ ଆରଏମସିର ସାପ୍ତାହିକ ବଜାର ପାଶ୍ୱର୍ ଓ ପାଣ୍ୟାଗାର ଦେଇ ଜୁନାଗଡ ତହସିଲ ଅଫିସକୁ ଆସିଥିବା ମୂଖ୍ୟ ରାସ୍ତାକୁ ମଧ୍ୟ ଅନ୍ୟ ଜଣେ ପ୍ରଭାବଶାଳୀ ଙ୍କ ନାମରେ ଦାଖଲ ଖାରଜ କରିଦେଇଥିବା ଜଣାପଡିଛି ।

ସେହିପରି ସଦର ମହକୁମା ଭବାନୀପାଟଣା ତହସିଲ ଅଂଚଳରେ ଜମି ମାଫିଆ ମାନଙ୍କ ଦ୍ୱାରା ଅନେକ ସରକାରୀ ଜମି ଉପରେ କବଜା କରାଯାଉଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି । ଲାଞ୍ଜିଗଡ ତହସିଲ ଅଂଚଳରେ ଅଣଓଡିଆ ସଂପ୍ରଦାୟର ଲୋକେ ସ୍ଥାନୀୟ ଲୋକଙ୍କ ଜମିକୁ ଶାଗମାଛ ଦରରେ କିଣି ପାଶ୍ୱର୍ସ୍ଥ ସରକାରୀ ବେସରକାରୀ ଜମିସବୁକୁ ଜବରଦଖଲ କରୁଥିବା ଏବଂ ସ୍ଥାନୀୟ ରାଜସ୍ୱ କର୍ମଚାରୀ ମାନଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ ହେଉଥିଲା । ଜନୈକ ଅଣଓଡିଆ ଦଲାଲ ନିଜ ସଂପର୍କୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ପଦରେ ଅବସ୍ଥାପିତ ଥିବା ପ୍ରଚାର କରି ସ୍ଥାନୀୟ ପଦାଧିକାରୀ ମାନଙ୍କୁ ପ୍ରଭାବିତ କରୁଥିବା ଏବଂ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଦେଶାନାମା କୁ ମଧ୍ୟ ବେଖାତିର କରାଯାଉଥିବା ଅଭିଯୋଗ ହେଉଛି । ମୋବାଇଲ କଲ ରେକର୍ଡ ଯାଂଚ ସହିତ ଏହାର ଉଚିତ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking