28.9 C
Bhubaneswar
Friday, May 16, 2025
Homeଓଡିଶାମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ

ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ

ପୁରୀ: ରଥରେ ଭଉଣୀକୁ ନେଲେ । ଅଥଚ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦିକୁ ଚାଲିଗଲେ ମହାପ୍ରଭୁ । ତେଣୁ ଏଯାଏ ରୋଷ କରିଛନ୍ତି ମହାଲକ୍ଷ୍ମୀ । ଦୁଃସହ ନିଃସଙ୍ଗତା ଭିତରେ ନିମଜ୍ଜିତା ଦେବୀ ଯେ କୋପ କରିଛନ୍ତି ଏକଥା ମହାପ୍ରଭୁଙ୍କର ସଂଶୟ ନାହିଁ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ତାଙ୍କୁ ରସଗୋଲା ଦେଇ ତୋଷ କରିବେ । ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ନାଟକୀୟ ଉପସ୍ଥାପନାର ନିଦର୍ଶନ ସହ ଯୋଡ଼ି ହୋଇ ରହିଛି ‘ରସଗୋଲା’ । ମାନଭଞ୍ଜନ ପାଇଁ ରସଗୋଲା ଯେ ଏକ ଉତ୍କୃଷ୍ଟ ଉପାୟ, ମହାପ୍ରଭୁ ଏହା ଭକ୍ତମାନଙ୍କ ଲାଗି ଯୁଗଯୁଗକୁ ଇସାରା ଦେଇ ଆସିଛନ୍ତି । କିଛି ସେବକ କୁହନ୍ତି, ମହାପ୍ରଭୁ କାଳେ ବଡ଼ଖିଆ ସାଆନ୍ତ । ଛପନ ପଉଟି ଭୋଗ ତାଙ୍କ ପାଇଁ ଖଞ୍ଜା । ମାତ୍ର ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି । କୌତୁହଳର କଥା ହେଉଛି ଏହି ରସଗୋଲା ଭୋଗର ସେତିକିବେଳେ ଆବଶ୍ୟକତା ପଡ଼ିଛି, ଯେତେବେଳେ ମହାଲକ୍ଷ୍ମୀ କୋପ କରିଛନ୍ତି । ମାନବୀୟ ଲୀଳା ସଂରଚନା କରୁଥିବା କୋଟି କୈବଲ୍ୟନାଥ ମହାପ୍ରଭୁଙ୍କ ଏହି ପରମ୍ପରା ୭ଶହ ବର୍ଷର ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଏପରିକି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ସମ୍ପର୍କରେ ଉଲ୍ଲେଖ ରହିଛି ।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରାର ଶେଷ ଅଙ୍କ ହେଉଛି ନୀଳାଦ୍ରି ବିଜେ । ନୀଳାଚଳକୁ ଫେରିଥିବା ନୀଳମଣି ସିଂହଦ୍ୱାର ଯାଏ ସିନା ଫେରି ଆସିଲେଣି । କିନ୍ତୁ ରତ୍ନବେଦିକୁ ବିଜେ କରିନାହାନ୍ତି । ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା । ରାଗରେ କୁହୁଳି ଫେରିବା ବେଳକୁ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଚାଲି ଆସିଥିଲେ । ଗୋପନରେ ହେରାଗୋହିରୀ ସାହି ବାଟ ଦେଇ ବଡ଼ଦେଉଳକୁ ଅଭିମାନରେ ଫେରିଆସିଛନ୍ତି । ମାତ୍ର ରାଗ ତୋଷ ହୋଇନାହିଁ । ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କୁ ସିଂହଦ୍ୱାର କିଳିବେ । ଜୟବିଜୟ ଦ୍ୱାର ନିକଟରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ବଚନିକା ହେବ । ଲକ୍ଷ୍ମୀନାରାୟଣ କଳି ରସଗୋଲାରେ ଶାନ୍ତ ହେବ । ଦେବତାଙ୍କ ମାନବୀୟ ଲୀଳାର ଏହି ଅନନ୍ୟ ଅବତାରଣା କେବଳ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି ।

ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାରଘର ଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଏବଂ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଧି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମାହିତ ହୁଏ । ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି । ଭିତରଚ୍ଛ ମହାପାତ୍ର ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ରସଗୋଲା ତିଆରି କରି ଆଣନ୍ତି । କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଞ୍ଜନ କରିଥିଲେ । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking