ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାର ଖାଲି ହେଉଥିବା ୪ଟି ଆସନ ଲାଗି ବିଜେଡି ଆଜି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସମସ୍ତ ୪ଟି ଯାକ ଆସନରେ ଦଳ ପ୍ରାର୍ଥୀ ଦେବ । ଏ ନେଇ ୪ ଜଣଙ୍କ ନାମ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏହାଛଡ଼ା ବିଜେଡି ଗତଥର ଭଳି ଏଥର ଗୋଟିଏ ଆସନ ବିଜେପିକୁ ଛାଡ଼ିପାରେ ବୋଲି ହେଉଥିବା ଚର୍ଚ୍ଚା ଉପରେ ମଧ୍ୟ ସେ ପରଦା ପକାଇଛନ୍ତି । ବିଜେପିକୁ ଏଥର ନବୀନ ବାଟ ଛାଡ଼ିଲେ ନାହିଁ । ଦଳର ୪ ନେତାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରାଜନୀତିକ ବାର୍ତ୍ତା ସେ ଦେଇଛନ୍ତି । ଗତଥର ଗୋଟିଏ ଆସନ ବିଜେପିକୁ ଛାଡ଼ି ରାଜନୀତିକୁ ଓ ସାମାଜିକସ୍ତରରେ ନବୀନ ଯେଉଁ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ଏଥର ସେ ଭୁଲ ଆଉ କରିନାହାଁନ୍ତି । ନବୀନ ବିଜେପିକୁ ବାଟ ନ ଛାଡ଼ିବା ତାଙ୍କ ରାଜନୀତି ଗୋଟି ଚାଳନାର ଏକ ଅଧ୍ୟାୟ ବୋଲି କୁହାଯାଉଛି ।
ନବୀନ ଆଜି ରାଜ୍ୟ ନିର୍ବାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମୁନା ଖାଁ, ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ କୁମାର ଓ ବିଜେଡି ମହିଳା ନେତ୍ରୀ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯିବାକୁ ଘୋଷଣା କରିଛନ୍ତି । ରାଜ୍ୟସଭା ପାଇଁ ଯେଉଁ ୪ଟି ଆସନ ଖାଲି ହେଉଛି ସେଥିରେ ବିଜେଡି ଏକାକୀ ୪ଟି ଯାକ ଆସନ ହାତେଇ ପାରିବ । ଏଣୁ ଦଳ ୪ ଜଣ ପ୍ରାର୍ଥୀ ଦେଇଛି । କଂଗ୍ରେସ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ ଏଣୁ ଯେଉଁ ଭୋଟ ହାର ହେବ ସେଥିରେ ବିଜେଡି ବାଜିମାତ କରିବ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଜେପି ପ୍ରାର୍ଥୀ ଦେବ କି ନାହିଁ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଘୋଷଣା କରିଥିଲେ ବିଜେପି ରାଜ୍ୟସଭାରେ ପ୍ରାର୍ଥୀ ଦେବ । ରାଜ୍ୟସଭା ପାଇଁ ବିଧାୟକମାନେ ଭୋଟ ଦେଇଥାନ୍ତି । ବିଜେପିର ୨୩ ଜଣ ବିଧାୟକ ଅଛନ୍ତି । କିନ୍ତୁ ପ୍ରାର୍ଥୀ ଦେବା ପାଇଁ ବିଜେପି ପାଖରେ ଯଥେଷ୍ଟ ସଂଖ୍ୟା ଥିଲେ ବି ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ । ଏ କ୍ଷେତ୍ରରେ ବିଜେପି କେତେଦୂର ପ୍ରାର୍ଥୀ ଦେବାକୁ ଆଗେଇ ଆସିବ ତାହା ଦେଖିବା କଥା । ବିଜେପି ହୁଏତ ପ୍ରାର୍ଥୀ ନ ଦେବା ସମ୍ଭାବନା ଅଧିକ । କାରଣ ନବୀନ ଯେତେବେଳେ ଦଳୀୟ ପ୍ରାର୍ଥୀ ଛିଡ଼ା କରାଇ ସାରିଲେଣି ସେ କ୍ଷେତ୍ରରେ ବିଜେପିକୁ ଆଉ ବାଟ ଛାଡ଼ି ବଦନାମ ହେବାକୁ ଚାହିଁବେ ନାହିଁ ।
ବିଧାନସଭାର ୧୪୭ ସଦସ୍ୟ ଅଛନ୍ତି । ଏଥିରେ ୪ ଆସନ ପାଇଁ ଜିତିବାକୁ ରାଜ୍ୟସଭା ସଂଖ୍ୟା ଗଣିତ ଅନୁସାରେ ୩୦ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦର ସମର୍ଥନ ଆବଶ୍ୟକ ରହିଛି । ଏ କ୍ଷେତ୍ରରେ ଦେଖିଲେ ବିଜେଡିକୁ ୪ଟି ଆସନ ଲାଗି ୭ ଜଣ ବିଧାୟକଙ୍କ ଆବଶ୍ୟକ ପଡ଼ିବ । ବିଜେଡି ହାତରେ ୧୧୩ ଜଣ ବିଧାୟକ ଅଛନ୍ତି । କୁହାଯାଉଛି ଏକ ମାତ୍ର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଜେଡିକୁ ସମର୍ଥନ କରୁଛନ୍ତି । ୪ଟି ଆସନ ଲାଗି ବିଜେଡିକୁ ୧୨୦ ଜଣ ବିଧାୟକଙ୍କ ଆବଶ୍ୟକ ରହିଛି । ସିପିଏମ ଏ ନିର୍ବାଚନରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି । ଏଣୁ କଂଗ୍ରେସ ଏକାକି ପ୍ରାର୍ଥୀ ଦେବନାହିଁ । କିନ୍ତୁ କଂଗ୍ରେସ ବିଧାୟକମାନେ ଚାହିଁଲେ ଭୋଟ ଦେଇପାରିବେ । ହେଲେ ବିଜେପିକୁ କଂଗ୍ରେସ ବିଧାୟକମାନେ କୌଣସି ପରିସ୍ଥିତିରେ ଭୋଟ ଦେବେନାହିଁ ବୋଲି ରାଜନୀତିକ ସ୍ଥିତି ଯାହା ସେଥିରେ ସ୍ପଷ୍ଟ ହେଉଛି । ଏଣୁ ବିଜେପି ହାତରେ ୨୩ ବିଧାୟକ ଥିଲେ ମଧ୍ୟ ଜିତିବା ପାଇଁ ଆବଶ୍ୟକ ପଡୁଥିବା ଆଉ ୭ ବିଧାୟକଙ୍କ ସମର୍ଥନ ମିଳିବା ସମ୍ଭାବନା ନାହିଁ । ରାଜ୍ୟସଭା ନିର୍ବାଚନରେ ନିୟମ କରାଯାଇଛି ଭୋଟ ଦାତାମାନେ ଭୋଟ ଦେଇସାରିଲା ପରେ ସେଠାରେ ଉପସ୍ଥିତ ଥିବା ଦଳୀୟ ଏଜେଣ୍ଟଙ୍କୁ କାହାକୁ ଭୋଟ ଦେଲେ ତାହା ଦେଖାଇ ସାରିବା ପରେ ଯାଇ ଭୋଟ ବାକ୍ସରେ ପକାଇବେ । ଓପନବାଲାଟ ଭୋଟ ବ୍ୟବସ୍ଥା ଲାଗୁ ହୋଇଥିବାରୁ କଂଗ୍ରେସ ବିଧାୟକମାନେ ଆଉ କାହାକୁ ଭୋଟ ଦେଲେ ଜଣାପଡ଼ିବ । ଏଣୁ ଘୋଡ଼ା ବେପାର କରି ବିଜେପି ଭୋଟ ହାତେଇବା ସମ୍ଭାବନା ନାହିଁ । ଗୁପ୍ତ ଭୋଟ ହୋଇଥିଲେ ହୁଏତ ବିଜେପି ଉଦ୍ୟମ କରିଥିଲେ କିଛି ଫାଇଦା ହୋଇଥାନ୍ତା ।
ବିଜେପି ରାଷ୍ଟ୍ରୀୟ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ନିବାସରେ ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ରାଜନୀତିକ ଚର୍ଚ୍ଚା ଭିନ୍ନ ଆକାର ଧାରଣ କରିଥିଲା । ନବୀନଙ୍କ କଥା ରଖି ଶାହା ଓ ଧର୍ମେନ୍ଦ୍ର ନବୀନ ନିବାସ ଯାଇଥିବାରୁ ରାଜ୍ୟସଭାରେ ଗତଥର ଭଳି ଏଥର ମଧ୍ୟ ଗୋଟିଏ ଆସନ ନବୀନ ବିଜେପିକୁ ଛାଡ଼ିପାରନ୍ତି । ହେଲେ ନବୀନ ୪ଟି ଆସନରେ ପ୍ରାର୍ଥୀ ଦେଇ ଏହି ଚର୍ଚ୍ଚାକୁ ବନ୍ଦ କରିଦେଇଛନ୍ତି । ନବୀନଙ୍କର ଏହି ରାଜନୀତି ବୁଝିବା ସମସ୍ତଙ୍କ ପାଇଁ କାଠିକର ପାଠ ବୋଲି କୁହାଯାଉଛି । ବିଜେପି ପ୍ରାର୍ଥୀ ଦେଉଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି ।