ଚେନ୍ନାଇ: ଚେପକ୍ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍ର ୧୭ଶ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩ ରନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ଦେଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ରାଜସ୍ଥାନ ପ୍ରଥମେ ଜୋସ୍ ବଟ୍ଲର୍ଙ୍କ ଅର୍ଦ୍ଧଶତକ ସହାୟତାରେ ୮ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା । ଜବାବରେ ଚେନ୍ନାଇ ୬ ୱିକେଟ୍ ହରାଇ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ଚଳିତ ଟୁର୍ଣ୍ଣାମେଣ୍ଟ୍ରେ ରାଜସ୍ଥାନର ୩ୟ ବିଜୟ ହୋଇଥିବା ବେଳେ ଟିମ୍ ପଏଣ୍ଟ ଟେବଲ୍ ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ୪ ମ୍ୟାଚ୍ରେ ଚେନ୍ନାଇର ଏହା ଦ୍ୱିତୀୟ ପରାଜୟ । ଏହା ପୂର୍ବରୁ ଉଭୟ ଟିମ୍ ୩ଟି ଲେଖାଏଁ ମ୍ୟାଚ୍ ଖେଳି ଦୁଇ ଲେଖାଏଁରେ ବିଜୟୀ ହୋଇଥିଲେ । ୧୭୬ ରନ୍ର ପିଛା କରୁଥିବା ଚେନ୍ନାଇର ପ୍ରାରମ୍ଭ ଭଲ ନଥିଲା ଋତୁରାଜ ଗାଏକୱାଡ୍ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଡେଭନ୍ କନ୍ୱେ (୫୦) ଓ ଆଜିଙ୍କ୍ୟ ରାହାଣେ (୩୧) ଇନିଂସ୍ ସମ୍ଭାଳିଥିଲେ ମଧ୍ୟ ରାହାଣେଙ୍କୁ ଅଶ୍ୱିନ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ । ଶିଭମ୍ ଦୁବେ ୮, ମୋଇନ୍ ଅଲୀ ୭ ଏବଂ ଅମ୍ବାତି ରାୟୁଡ଼ୁ ୧ ରନ୍ କରି ଆଉଟ୍ ହୋଇଥିଲେ । ଧୋନି ଓ ଜାଡେଜା ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ଟିମ୍କୁ ବିଜୟ ଦେଇପାରିନଥିଲେ । ଅନ୍ତିମ ଓଭର୍ରେ ୨୧ ରନ୍ ଆବଶ୍ୟକ ଥିବାବେଳେ ଉଭୟ ୧୭ ରନ୍ ହିଁ ଯୋଗ କରିଥିଲେ । ଜାଡ଼େଜା ୨୫ ଏବଂ ଧୋନି ୩୨ ରନ୍ରେ ଅପରାଜିତ ଥିଲେ । ରାଜସ୍ଥାନ ପକ୍ଷରୁ ଅଶ୍ୱିନ ଏବଂ ଚହଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ପୂର୍ବ ମ୍ୟାଚ୍ଗୁଡ଼ିକ ପଡ଼ରି ଜୋର୍ଦାର ଥିଲା । ଲଗାତାର ଟିମ୍ ଚତୁର୍ଥ ଥର ପାଇଁ ପାୱାର୍ ପ୍ଲେରେ ୫୦ରୁ ଅଧିକ ରନ୍ ସଂଗ୍ରହ କରିଥିଲା । ତେବେ ଓପ୍ନର୍ ଯଶସ୍ୱୀ ଜୈସ୍ୱାଲ୍ ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ସେ ୧୦ ରନ୍ କରିଥିବା ବେଳେ ତୁଷାର ଦେଶପାଣ୍ଡେଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଦେବଦତ୍ତ ପାଡିକଲ୍ (୩୮) ଜୋଶ୍ ବଟ୍ଲର୍ଙ୍କ ସହିତ ଦ୍ୱିତୀୟ ଇନିଂସ୍ ପାଇଁ ୭୭ ରନ୍ ଯୋଡ଼ିଥିଲେ । ଏହାପରେ ରବୀନ୍ଦ୍ର ଜାଡ଼େଜା ପ୍ରଥମେ ପାଡ଼ିକଲ୍ଲ ଏବଂ ପରେ କ୍ୟାପ୍ଟେନ୍ ସଞ୍ଜୁ ସାମ୍ସନ୍ଙ୍କୁ ଶୂନ୍ୟରେ ଆଉଟ୍ କରିଥିଲେ । ସାମ୍ସନ୍ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ଆର୍ ଅଶ୍ୱିନ୍ ୨୨ ବଲ୍ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୩୦ ରନ୍ କରି ଆକାଶ ସିଂହଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରେ ବଟ୍ଲର୍ଙ୍କୁ ମୋଇନ୍ ଅଲୀ ବୋଲ୍ଡ ଆଉଟ୍ କରିଥିଲେ । ବଟ୍ଲର୍ ୩୬ ବଲ୍ରେ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୫୨ ରନ୍ କରିଥିଲେ । ଏହା ଆଇପିଏଲ୍ରେ ତାଙ୍କର ୧୮ତମ ଅର୍ଦ୍ଧଶତକ ହୋଇଥିବା ବେଳେ ସେ ଲିଗ୍ରେ ୩୦୦୦ ରନ୍ ପୂରଣ କରିଛନ୍ତି । ହେଟ୍ମେୟର୍ ୧୮ ବଲ୍ରେ ଦୁଇଟି ଲେଖାଏଁ ଛକା ଓ ଚୌକା ସହାୟତାରେ ୩୦ ରନ୍ କରି ଅପରାଜିତ ଥିଲେ । ସିଏସ୍କେ ପକ୍ଷରୁ ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଡ଼େଜା ଦୁଇଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।