31.7 C
Bhubaneswar
Wednesday, January 22, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌ : କୋଲକାତାକୁ ୯ ୱିକେଟରେ ହରାଇଲା ରାଜସ୍ଥାନ

ଆଇପିଏଲ୍‌ : କୋଲକାତାକୁ ୯ ୱିକେଟରେ ହରାଇଲା ରାଜସ୍ଥାନ

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ ଗୁରୁବାର ସଂସ୍କରଣର ୫୬ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ୯ ୱିକେଟ୍‌ରେ ବିଜୟୀ ହୋଇଛି ଭ୍ରମଣକାରୀ ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ ପାଇ ଘରୋଇ କୋଲ୍‌କାତା ନାଇଟ୍ ରାଇଡର୍ସ ୮ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥିଲା । ରାଜସ୍ଥାନର ତାରକା ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ୪ଟି ୱିକେଟ୍ ନେବା ଫଳରେ କୋଲ୍‌କାତା ବଡ଼ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ଓପନର ଯଶସ୍ୱୀ ଜୈସ୍ୱାଲ୍ ଅପରାଜିତ ୯୮ ରନ୍ କରିବା ଫଳରେ ରାଜସ୍ଥାନ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୫୧ ରନ୍ କରି କ୍ରମାଗତ ତୃତୀୟ ପରାଜୟ ପରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଛି ।

କୋଲ୍‌କାତାର ଦୁଇ ଓପନର ଜେସନ୍ ରୟ ଓ ରହମନ୍‌ଉଲ୍ଲା ଗୁର୍‌ବାଜ ଯଥାକ୍ରମେ ୧୦ (୨ ଚୌକା) ଓ ୧୮ (୧ ଚୌକା, ୨ ଛକା) ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର୍ ମାତ୍ର ୨୯ ଥିଲା । ଏହି ସମୟରେ ଭେଙ୍କଟେଶ ଆୟର୍ ଓ ଅଧିନାୟକ ନୀତୀଶ ରାଣାଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୪୮ ରନ୍‌ର ଭାଗୀଦାରୀ ହୋଇଥିଲା । ରାଣା ୧୭ ବଲ୍ ଖେଳି ୨ଟି ଚୌକା ସହ ୨୨ ରନ୍ କରି ଆଉଟ୍ ହୋଇଥିଲେ ହେଁ ଆୟର୍ ତାଙ୍କ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କ ସହ ଚତୁର୍ଥ ୱିକେଟ୍‌ରେ ଆନ୍ଦ୍ରେ ରସେଲ୍ ୩୦ ରନ୍ ଯୋଡ଼ିଥିଲେ । ରସେଲ୍ ଗୋଟିଏ ଛକା ସହ ୧୦ ରନ୍ କରି ଆଉଟ୍ ହେବା ପରେ ଆୟର୍ ଦଳୀୟ ସ୍କୋର୍‌କୁ ୧୨୭ରେ ପହଞ୍ଚାଇଥିଲେ । ସେ ଆଉଟ୍ ହେବା ବେଳକୁ ୪୨ ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ସହ ୫୭ ରନ୍ କରିସାରିଥିଲେ । ଏହାଛଡ଼ା ରିଙ୍କୁ ସିଂହ ଗୋଟିଏ ଛକା ସହ ୧୬, ଶାର୍ଦ୍ଦୁଲ୍ ଠାକୁର ୧ ଓ ସୁନୀଲ ନରିନ୍ ଗୋଟିଏ ଚୌକା ସହ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନୁକୂଲ ରୟ ୬ ରନ୍‌ରେ ଅପରାଜିତ ଥିଲେ । ରାଜସ୍ଥାନ ପକ୍ଷରୁ ଚହଲ୍‌ଙ୍କ ବ୍ୟତୀତ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଏବଂ ସନ୍ଦୀପ ଶର୍ମା ଓ କେଏମ୍ ଆସିଫ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ରାଜସ୍ଥାନ ଓପନର ଜୈସ୍ୱାଲ୍ ଓ ଜୋସ୍ ବଟଲର୍ ୩୦ ରନ୍ ଯୋଡ଼ିଥିଲେ । କିନ୍ତୁ ଏହି ଭାଗୀଦାରୀରେ କୌଣସି ରନ୍ ଯୋଗ କରିବା ପୂର୍ବରୁ ବଟଲର୍ ଦୁର୍ଭାଗ୍ୟଜନକ ସ୍ଥିତିରେ ରନ୍ ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ ଜୈସ୍ୱାଲ୍‌ଙ୍କ ସହ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଯୋଗ ଦେଇଥିଲେ । ଉଭୟ ବେଶ୍ ସହଜରେ ରନ୍ ସଂଗ୍ରହ କରି ଦଳକୁ ହାତରେ ୪୧ଟି ବଲ୍ ଓ ୯ଟି ୱିକେଟ୍ ଥିବା ସମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଦେଇଥିଲେ । ଚଳିତ ସଂସ୍କରଣରେ ନିଜର ତୃତୀୟ ଅର୍ଦ୍ଧଶତକ କରିଥିବା ଜୈସ୍ୱାଲ୍ ମାତ୍ର ୪୭ ବଲ୍ ଖେଳି ୧୩ଟି ଚୌକା ଓ ୫ଟି ଛକା ଲଗାଇଥିବା ବେଳେ ସଞ୍ଜୁ ୨୯ ବଲ୍‌ରେ ୨ଟି ଚୌକା ଓ ୫ଟି ଛକା ମାଧ୍ୟମରେ ୪୮ ରନ୍ କରିଥିଲେ । ଏଥିସହ ଉଭୟଙ୍କ ମଧ୍ୟରେ ଅବିଭାଜିତ ୧୨୧ ରନ୍‌ର ଭାଗୀଦାରୀ ମଧ୍ୟ ହୋଇଥିଲା । ଗୁରୁବାର ମ୍ୟାଚ୍‌ରେ ରାଜସ୍ଥାନ ଆଇପିଏଲ୍‌ରେ ୧୫୦ କିମ୍ବା ତଦୁର୍ଦ୍ଧ୍ୱ ରନ୍‌ର ଟାର୍ଗେଟ୍‌କୁ ଦ୍ୱିତୀୟ ସର୍ବାଧିକ ବଲ୍ ବାକି ଥିବା ସମୟରେ ଜିତିପାରିଛି । ଏହି ତାଲିକାର ଏକ ନମ୍ବର ସ୍ଥାନରେ ଡେକାନ୍ ଚାର୍ଜର୍ସ ରହିଛି । ଏହି ଦଳ ଆଇପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାତରେ ୪୮ଟି ବଲ୍ ବାକି ଥିବା ସମୟରେ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking