ମୟୂରଭଞ୍ଜ(ଘାସିରାମ ବେହେରା)- କରୋନା କଟକଣା ମଧ୍ୟରେ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବାବା ଐଶ୍ବାନେଶ୍ବରଙ୍କ ପାରମ୍ପରିକ ଉଡାପର୍ବ। ତେବେ କେଉଁ ରାଜାରାଜୁଡ଼ା ଅମଳରୁ ରାଇରଙ୍ଗପୁର ଗଢ଼ ଗ୍ରାମର ବାବା ଐଶ୍ବାନେଶ୍ବରଙ୍କ ପୀଠରେ ଉଡାପର୍ବ ପାଳନ କରାଯାଇ ଆସୁଛି । ଆସ୍ଥା ଓ ବିଶ୍ବାସ ରହିଆସିଛି ପବିତ୍ର ପଣାସଂକ୍ରାନ୍ତିରେ ଯୋଉ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ଓ ସାନ୍ନିଧ୍ୟ ଲାଭ କରନ୍ତି ବାବା ସମସ୍ତଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତି । ବର୍ତ୍ତମାନ ଦ୍ଵିତୀୟ ଲହରୀ କାୟବିସ୍ତାର କରୁଥିବା କରୋନା କଟକଣା ଭିତରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରର ଶୈବପୀଠ ଗଢ ଗ୍ରାମର ବାବା ଐଶ୍ବାନେଶ୍ବରଙ୍କ ପୀଠରେ ପ୍ରସିଦ୍ଧ ଉଡାପର୍ବ ମହାସମାରୋହରେ ସଂପନ୍ନ ହୋଇଯାଇଛି । ବାବା ଐଶ୍ବାନେଶ୍ବରଙ୍କ ପାଖରେ ମାନସିକ ରଖି ଉପବୀତ ଧାରଣ ପୂର୍ବକ ବ୍ରତ ରଖିଥିବା ଭକ୍ତମାନେ ପ୍ରଥମେ ଖଡଖାଇ ନଦୀରେ ସ୍ନାନାଦି କର୍ମ ଶେଷ କରି ପରସ୍ପରକୁ ଫୁଲଚନ୍ଦନ ଲଗାଇବା ଭଳି ପାରମ୍ପରିକ ରୀତିନୀତି ସଂପନ୍ନ କରିଥାନ୍ତି। ସେହିପରି ଭକ୍ତାମାନେ ଢୋଲ ବାଜାର ତାଳେ ତାଳେ ନାଚି ନାଚି ବାବା ଐଶ୍ବାନେଶ୍ବରଙ୍କ ମନ୍ଦିର ପ୍ରବେଶ କରନ୍ତି । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଉଠେ ରାସ୍ତାଘାଟ ଆଉ ଏକ ଭାବବିହ୍ଵଳ ଆଧ୍ୟାତ୍ମିକ ଭାବାବେଗ ପରିବେଶରେ ପୁରିଉଠେ ମନ୍ଦିର ପରିସର। ଏହି ଅବସରରେ ଭକ୍ତାମାନେ ସେମାନଙ୍କ ଦେହରେ କଣ୍ଟା ଫୋଡି ନାଚି ନାଚି ଏକ ପଟୁଆରରେ ଆସି ସଂଧ୍ୟାରେ ବାବାଙ୍କ ନିକଟରେ ଅନ୍ତିମ ଅର୍ଘ୍ୟ ପ୍ରଦାନ କରି ବ୍ରତ ବିସର୍ଜନ କରିଥିବା ଦେଖାଯାଏ । ସଂଧ୍ୟାରେ ବାବା ଐଶ୍ବାନେଶ୍ବର ମହାଦେବଙ୍କ ସମ୍ମୁଖରେ ଥିବା ଉଡାଖୁଣ୍ଟ ନିକଟରେ ଭକ୍ତାମାନେ ପହଞ୍ଚନ୍ତି । ସେଠାରେ ପୂଜାପାଠ ସହ ଯଜ୍ଞ ଆହୂତି ପରେ ପ୍ରଥମେ ପାଟଭକ୍ତାଙ୍କୁ ପରେ ଭକ୍ତାମାନଙ୍କୁ ଉଡାଖୁଣ୍ଟ ଚକରେ ବୁଲି ଆକାଶରେ ଉଡ଼ିଥିଲେ।ଉଡାଖୁଣ୍ଟରୁ ଉଡାପର୍ବ କମିଟି ତରଫରୁ ତଳେ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଲଡୁ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ପ୍ରଷିଦ୍ଧ ଉଡାଯାତ୍ରାର ପାରଂପରିକ ରୀତିନୀତି ଅନୁସାରେ ମନ୍ଦିରକୁ ୧୧ ତାରିଖ ଦିନ ଶୁଭଘଟ ,୧୨ ତାରିଖ ଦିନ ଯାତ୍ରାଘଟ ଏବଂ କାମିନା ଘଟ ,୧୩ ତାରିଖ ଦିନ ଡାଳିଭଙ୍ଗା ଘଟ,କାଳିକା ଘଟ ଏବଂ ଗରିଆ ଭାର ଏବଂ ଶେଷ ୧୪ ତାରିଖ ଦିନ ମଡାପାଟ,ଖଣ୍ଡାପାଟ, ରଜନୀଫୋଡ଼ା ଏବଂ ଉଡାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ବିଶାଳ ବାଦ୍ୟ ରୋଷଣୀରେ ଖଡଖାଇ ନଦୀ ପଠାରୁ ପୂଜାକାର୍ଯ୍ୟ ସହ ରୀତିନୀତି ସମାପନ କରାଯାଇ ଘଟୁଆଳ ବିଷ୍ଣୁପଦ ସାହୁଙ୍କୁ ଖଣ୍ଡା ଉପରେ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇ ମନ୍ଦିର ପରିକ୍ରମଣ କରାଯାଇଥିଲା । ଭକ୍ତା ଓ ଶ୍ରଦ୍ଧାଳୁମାନେ ପ୍ରସିଦ୍ଧ ଉଡାପର୍ବ ଦେଖିବାକୁ ଏବଂ ବାବା ଐଶ୍ବାନେଶ୍ବରଙ୍କ ଆଶୀର୍ବାଦ ନେବାପାଇଁ ସୁଦୂରରୁ ଛୁଟି ଆସିଥିଲେ । କାର୍ଯ୍ୟକ୍ରମକୁ ବାବା ଐଶ୍ବାନେଶ୍ବର ଉଡାଯାତ୍ରା କମିଟିର ସଭାପତି ସଞ୍ଜିତ ମହାନ୍ତି, ସଂପାଦକ ଅଭିଜିତ ମହାନ୍ତି, ଉପସଭାପତି କାଳିଚରଣ ସାହୁ ଓ ଦୀପକ ଡୋଗ୍ରା ସହ ସଂପାଦକ ଟିଲୁ ସାହୁ, କୋଷାଧ୍ୟକ୍ଷ ସତ୍ୟଜିତ ବାରିକ,ଉପଦେଷ୍ଟା ବୁଲୁ ଏବଂ କମିଟିର ସମସ୍ତ ସଦସ୍ୟ ଉଡାଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।