19.1 C
Bhubaneswar
Thursday, December 12, 2024
Homeଓଡିଶାରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର, : ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ । ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା । ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା । ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା ।
ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ । ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ।
ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।
ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି । ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking