ଜୟପୁର : ରାଜସ୍ଥାନରେ ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୱାଇ ମାଧୋପୁର ଜିଲ୍ଲାରେ ଡ୍ୟାମ ଭାଙ୍ଗି ଆଖପାଖ ଗାଁ ଜଳମଗ୍ନ ହୋଇଛି। ରାଜ୍ୟରେ ବର୍ଷା ଜନିତ ଘଟଣାରେ ଦୁଇ ଦିନରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଦେଶର ଅନ୍ୟାନ୍ୟ ସ୍ଥାନରେ ସାଧାରଣ ଜନଜୀବନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଓ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଏହାକୁ ଲାଗି ଗୁରୁଗ୍ରାମରେ ସାଧାରଣ ଜନଜୀବନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସୋମବାର ପ୍ରବଳ ବର୍ଷା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ସହ ରିଲିଫ ପ୍ରଦାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।ପ୍ରବଳ ବର୍ଷା ଯୋଗୁଁ ସୋମବାର ଜୟପୁର ସମେତ ରାଜ୍ୟର ୭ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଥିଲା। ମଙ୍ଗଳବାର ଦୌସା, କରୌଲି ଓ ସୱାଇ ମାଧୋପୁର ଜିଲ୍ଲାରେ ଛୁଟି ରଖାଯାଇଛି। ଜୟପୁର-କୋଟା ଜାତୀୟ ରାଜପଥା ଟଙ୍କ ନାମକ ଏକ ସ୍ଥାନରେ ଦୁଇ ଫୁଟ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜୟପୁର ଜିଲ୍ଲାର ବାନ୍ଦି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ଗାନ୍ଧୀ ନଗର ରେଳ ଷ୍ଟେସନରେ ଥିବା ରେଳଧାରଣା ପାଣିରେ ବୁଡି ଯାଇଛି। ଜୟପୁର ଏୟାରପୋର୍ଟ ପରିସର ଓ ସୱାଇ ମାନ ସିଂହ ହସ୍ପିଟାଲ ପରିସରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।










