ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ଦେଇଛି ଅନେକ ଦୁଃଖ ଓ ଅଲିଭା ଯନ୍ତ୍ରଣା। ଶୁକ୍ରବାରର କାଳ ସନ୍ଧ୍ୟାର ରୋମଟାଙ୍କୁରା ଦୃଶ୍ୟର ଦୁଃଖଦ ସ୍ମୃତିକୁ ଦୋହରାଉଛନ୍ତି ଜୀବନ ବଞ୍ଚାଇଥିବା ଭାଗ୍ୟବାନ। ଦୁର୍ଘଟଣାର କାରଣ ଓ ଭିନ୍ନ ଭିନ୍ନ ଦିଗକୁ ନେଇ ଆରମ୍ଭ ହୋଇଛି ତଦନ୍ତ ଓ ଯାଞ୍ଚ।
କେଉଁଥିପାଇଁ ଦୁର୍ଘଟଣା ଘଟିଲା, ଏଥିରେ ବୈଦ୍ୟୁତିକ ବିଚ୍ୟୁତି ଅଛି ନା କିଛି ମାନବୀୟ ତ୍ରୁଟି ରହିଛି ତାହାକୁ ନେଇ ଚାଲିଛି ଅନୁସନ୍ଧାନ। ସରକାରୀ ରେଳ ପୁଲିସ (ଜିଆରପି)ଠାରୁ ମାମଲା ନେବା ସହିତ ନିଜେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମଧ୍ୟ ମାମଲା ରୁଜୁ କରି ସୋମବାର ମଧ୍ୟାହ୍ନଠାରୁ ଯାଞ୍ଚ ଆରମ୍ଭ କରିଛି। ତା ସହିତ ରେଳ ସୁରକ୍ଷା ଆୟୁକ୍ତ ମଧ୍ୟ ଯାଞ୍ଚ ଆରମ୍ଭ କରିଛି।
ଇତିମଧ୍ୟରେ ଏହି ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟର ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଅନ୍ୟପକ୍ଷରେ ଉଭୟ ଡାଉନ୍ ଓ ଅପ୍ ଲାଇନ୍ ସଜଡା ଯିବା ପରେ ଏବେ ଏହି ଦୁଇ ରେଳ ଧାରଣାରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି।