29.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଖାରଜ ହୋଇପାରେ ରାହୁଲଙ୍କ ସାଂସଦ ପଦ!

ଖାରଜ ହୋଇପାରେ ରାହୁଲଙ୍କ ସାଂସଦ ପଦ!

ସୁରଟ୍ : ଏକ ମାନହାନି ମୋକଦ୍ଦମାରେ ଗୁଜରାଟର ସୁରଟ୍‌ସ୍ଥିତ ଏକ ଅଦାଲତ ଗୁରୁବାର କଂଗ୍ରେସ ନେତା ତଥା କେରଳ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ଏଥିସହିତ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଦଣ୍ଡାଦେଶ ପରେ ୧୦ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରି ରାହୁଲ ଜାମିନ ପାଇବାରେ ସଫଳ ହୋଇଛନ୍ତି । ଅପରପକ୍ଷରେ ରାହୁଲଙ୍କ ପିଟିସନକୁ ଆଧାର କରି ଅଦାଲତ ୩୦ ଦିନ ପାଇଁ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ।

ଫଳରେ ଦଣ୍ଡାଦେଶ ବିରୋଧରେ ଉପରିସ୍ଥ ଅଦାଲତର ଦ୍ୱାରସ୍ଥ ହେବାକୁ ରାହୁଲଙ୍କୁ ୩୦ ଦିନ ସମୟ ମିଳିବ ବୋଲି ଜଣାପଡିଛି । ତେବେ ଏକ ଫୌଜଦାରୀ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବାରୁ ରାହୁଲ ସିଧାସଳଖ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯାଇପାରିବେ ନାହିଁ ବୋଲି ଜଣାପଡିଛି । ତାଙ୍କ ତରଫରୁ ଅନ୍ୟ କେହି (ତୃତୀୟ ପକ୍ଷ) ଉପରିସ୍ଥ ଅଦାଲରେ ଆବେଦନ କରିପାରିବେ । ଗୁରୁବାର ରାୟ ପ୍ରକାଶ ସମୟରେ ରାହୁଲ ସୁରଟ୍ କୋର୍ଟରେ ଉପସ୍ଥିତ ଥିଲେ । ଦୋଷୀସାବ୍ୟସ୍ତ ହୋଇଥିବାରୁ ରାହୁଲ ବର୍ତ୍ତମାନ ସାଂସଦ ପଦ ହରାଇବାର ଆଶଙ୍କା ଉପୁଜିଛି ।

ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଯଦି କୌଣସି ନିର୍ବାଚିତ ଜନ ପ୍ରତିନିଧି କୌଣସି ଅପରାଧରେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟ ପାଇଁ ଜେଲ ଦଣ୍ଡାଦେଶ ପାଇଥାନ୍ତି, ତେବେ ତାଙ୍କୁ ଅବିଳମ୍ବେ ବିଧାୟକ କିମ୍ବା ସାଂସଦ ପଦରୁ ବହିଷ୍କାର କରାଯିବାର ବ୍ୟବସ୍ଥା ରହିଛି । ପୂର୍ବରୁ ଏହି ଆଇନରେ ଥିବା ୩ ମାସିଆ କୋହଳ ସମୟସୀମାକୁ ସୁପ୍ରିମକୋର୍ଟ ୨୦୧୩ରେ ଉଚ୍ଛେଦ କରିଦେଇଛନ୍ତି । ବର୍ତ୍ତମାନ ଉପରିସ୍ଥ ଅଦାଲତରେ ଅପିଲ କରିବାକୁ ୩୦ ଦିନ ସମୟ ମିଳିଥିବାରୁ ରାହୁଲଙ୍କ ସାଂସଦ ପଦ ଏକ ମାସ ପାଇଁ ସୁରକ୍ଷିତ ରହିବ ବୋଲି ଆଇନ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ଯଦି ଏକମାସ ମଧ୍ୟରେ ଉପରିସ୍ଥ ଅଦାଲତରୁ ଦଣ୍ଡାଦେଶ ବିରୋଧରେ ରହିତାଦେଶ ନମିଳେ, ତେବେ ତାଙ୍କର ସାଂସଦ ପଦ ହରାଇବା ଏକପ୍ରକାର ନିଶ୍ଚିତ ହୋଇପଡିବ ।

ଉପରିସ୍ଥ ଅଦାଲତରେ ଶୁଣାଣି ନହେବା ପର୍ଯ୍ୟନ୍ତ ରାହୁଲ ସଂସଦ ଯାଇନପାରନ୍ତି ବୋଲି କଂଗ୍ରେସ ମହଲରୁ ସୂଚନା ମିଳିଛି । ରାୟ ପ୍ରକାଶ ପରେ ରାହୁଲ ଦିଲ୍ଲୀ ଫେରିଯାଇ ଟ୍ୱିଟର ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ମହାତ୍ମା ଗାନ୍ଧୀଙ୍କ ବାଣୀକୁ ଉଦ୍ଧୃତ କରି ରାହୁଲ ଗୋଟିଏ ବାକ୍ୟରେ କହିଛନ୍ତି ‘ସତ୍ୟ ଓ ଅହିଂସା ହେଉଛି ମୋ ଧର୍ମ’ । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳର ନେତା ଏହି ଦଣ୍ଡାଦେଶକୁ ସମାଲୋଚନା କରିଛନ୍ତି । ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବିରୋଧୀ ଦଳ ନେତାମାନେ ବର୍ତ୍ତମାନ ସିବିଆଇ, ଇଡି, ଆୟକର ଚଢଉ ପାଇଁ ପ୍ରସ୍ତୁତ ରହିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଉପରୋକ୍ତ ତିନିଟି ବିଭାଗ ଜାଲରେ ପଡୁନଥିବା ନେତାମାନେ ଏଭଳି ମିଥ୍ୟା ମୋକଦ୍ଦମାରେ ଫସିିବାକୁ ମାନସିକସ୍ତରରେ ପ୍ରସ୍ତୁତ ରହିବାକୁ କେଜ୍ରିୱାଲ ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରଠାରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ ‘ମୋଦୀ’ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିଲେ । ରାହୁଲ କହିଥିଲେ ଯେ ‘ସବୁ ଚୋରଙ୍କର ସାଙ୍ଗିଆ ମୋଦୀ କିପରି ହେଲା’ । ରାହୁଲଙ୍କ ଏହି କଟାକ୍ଷ ନିରବ ମୋଦୀ ଓ ଲଳିତ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ସୁଦ୍ଧା ପରୋକ୍ଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ସୁରଟ୍ କୋର୍ଟରେ ରାହୁଲଙ୍କ ବିରୋଧରେ ଏହି ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ଏଥିପାଇଁ ରାହୁଲଙ୍କୁ ତିନି ଥର ଅଦାଲତରେ ଉପସ୍ଥିତ ହେବାକୁ ପଡିଥିଲା ।

ରାହୁଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଯଦି ରାହୁଲଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଥିଲା, ତେବେ ପୂର୍ଣ୍ଣେଶଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ଏହି ମାମଲା ରୁଜୁ କରିବା କଥା । ଚଳିତମାସ ୧୭ରେ ଅଦାଲତ ଶୁଣାଣି ପ୍ରକ୍ରିୟା ଶେଷ କରିଥିବାବେଳେ ରାୟ ଘୋଷଣା ୨୩କୁ ସ୍ଥଗିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking